ଅଣସର ଘରେ ମହାପ୍ରଭୁ, ଆଜିଠୁ ପଟିଦିଅଁ ପୂଜା: ୧୫ ଦିନ ଚାଲିବ ଗୁପ୍ତନୀତି, ଶ୍ରୀଜିଉଙ୍କ ସୁନାଚିତା ଓ ରାହୁରେଖା ମଇଲମ

ପଟିଦିଅଁକୁ ଲାଗିହେବ ଛପନ ଭୋଗ, ମହାପ୍ରଭୁଙ୍କୁ ଫଳ

ଅଣସର ଘରେ ମହାପ୍ରଭୁ, ଆଜିଠୁ ପଟିଦିଅଁ ପୂଜା: ୧୫ ଦିନ ଚାଲିବ ଗୁପ୍ତନୀତି, ଶ୍ରୀଜିଉଙ୍କ ସୁନାଚିତା ଓ ରାହୁରେଖା ମଇଲମ

ପୁରୀ: ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନପରେ ଅଣସର ଘର ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ପଟିଦିଅଁ ପୂଜା ପାଇବେ। ଏଥିପାଇଁ ସୋମବାର ବଡ଼ି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବଦେବୀ ଶ୍ରୀମନ୍ଦିରକୁ ବିଜେ କରିବେ। ଅନ୍ୟପଟେ ଆଜି ବାହୁଡ଼ା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ପରେ ଅଣସର ତାଟି ବନ୍ଧା ଯାଇଛି। ଏଥିପାଇଁ ଆବଶ୍ୟକ ତାଟି ଓ ପଟା ଶ୍ରୀମନ୍ଦିରକୁ ନିଆଯାଇଛି।

publive-image

ଶ୍ରୀଜିଉଙ୍କ ଅଣସର ନୀତି ୧୫ ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ। ଅନ୍ୟପଟେ ଆସନ୍ତାକାଲିଠାରୁ ଗୁପ୍ତ ନୀତି ଆରମ୍ଭ ହେବ। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅଣସରର ଗୁପ୍ତନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରକୁ ବାହାରିବେ। ଏହି ୧୫ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ଭୋଗ ଲାଗି ହେବ। ଏହିସମୟରେ ମହାପ୍ରଭୁଙ୍କଠାରେ ଫଳ, ଚକଟା ଭୋଗ ଆଦି ଲାଗି ହେବ। ଘନ ଅନ୍ଧକାର ଭିତରେ ଏହି ଭୋଗ ଲାଗି ସହ ଗୁପ୍ତ ସେବା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe