ଭକ୍ତିଭାବ ଓ ଭଲ ପାଇବା ଭିତରେ ଜଗନ୍ନାଥଙ୍କୁ ବୁଝିହୁଏ: ରାଜ୍ୟପାଳ

ଭକ୍ତିଭାବ ଓ ଭଲ ପାଇବା ଭିତରେ ଜଗନ୍ନାଥଙ୍କୁ ବୁଝିହୁଏ: ରାଜ୍ୟପାଳ

ଭଦ୍ରକ: ଜଗନ୍ନାଥ ସଂସ୍କୃତି ହେଉଛି ମହାନ୍‌ ସଂସ୍କୃତି। ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ସବୁ କିଛି ହେଉଛି। ହୃଦୟ‌ରେ ଭକ୍ତିଭାବ ଓ ଭଲ ପାଇବା ଥିଲେ ମହାପ୍ରଭୁ ଜଗନ୍ନାଥଙ୍କୁ ବୁଝିହେବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଭଦ୍ରକ ରୋଟାରି କ୍ଲବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ କହିଛନ୍ତି।  ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ସହିଦ୍ ସ୍ମୃତିଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ କହିଲେ, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଜଗନ୍ନାଥଙ୍କ ପାଖରେ ଯିଏ ନିଜକୁ ସମର୍ପଣ କରିଛି, ସିଏ ତାଙ୍କର ଦିବ୍ୟ ସାନ୍ନିଧ୍ୟ ପାଇଛି।

ଦୁନିଆରେ ସ୍ବର୍ଗନର୍କ ବୋଲି କିଛି ସ୍ଥାନ ନାହିଁ। ଆମ କର୍ମର ଫଳ ଆମକୁ ଭୋଗିବାକୁ ପଡିବ। ନିଃସ୍ବାର୍ଥ ସେବା ହେଉଛି ବାସ୍ତବ ସେବା। ପ୍ରଚାରସର୍ବସ୍ବ ହେଲେ ସେବାର କିଛି ମୂଲ୍ୟ ରହେନାହିଁ। ଭଦ୍ରକ ରୋଟାରି କ୍ଲବ ଦୀର୍ଘ ୫୦ ବର୍ଷ ଧରି  ନିରବଚ୍ଛିନ୍ନ ଭାବେ ଜନସେବାରେ ଜଡ଼ିତ ରହିଥିବାରୁ ରାଜ୍ୟପାଳ କ୍ଲବ୍‌ର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ। ଉତ୍ସବରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ରୋଟାରିଆନ୍‌ ଅଜୟ ଅଗ୍ରୱାଲ, ଭଦ୍ରକ ରୋଟାରି କ୍ଳବ ସଭାପତି ଇଂ.ବସନ୍ତ ପାଣିଗ୍ରାହୀ, ସୁବର୍ଣ୍ଣ ଜୟନ୍ତୀ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଇଂ.ଅମ୍ବିକା ବଲ୍ଲଭ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ରୋଟାରିଆନ୍‌ ଅଭିଜିତ ନାୟକ ସଂଯୋଜନା କରିଥିଲେ।

ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ମରଣିକା ‘ସୁବର୍ଣ୍ଣ ଭଦ୍ରା’କୁ ରାଜ୍ୟପାଳ ଉନ୍ମୋଚନ କରିଥିବାବେଳେ ରୋଟାରି କ୍ଲବ ପକ୍ଷରୁ ମୁଖ୍ୟଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ବରିଷ୍ଠ ରୋଟାରିଆନ୍‌ମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ଅଧିବେଶନରେ ରୋଟାରିଆନ୍‌ ଶାନ୍ତନୁ ପାଣି, ରୋଟାରିଆନ୍‌ ଦିଲ୍ଲୀପ ପଟ୍ଟନାୟକ, ରୋଟାରିଆନ୍‌ ଅଶୋକ ବି.ମହାପାତ୍ର, ରୋଟାରିଆନ୍‌ ଶିବବ୍ରତ ଦାସ, ରୋଟାରିଆନ୍‌ ପ୍ରଭୁଦତ୍ତ ସୁବୁଦ୍ଧି ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe