ଭୁବନେଶ୍ୱର: ଭରତପୁର ଥାନା ମାମଲାରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନ୍ୟାୟ ଦେଇପାରିନଥିବାରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ। ଏହି ସମୟରେ ପୁଲିସ ସହ ଯୁବ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା ଏବଂ ପୁଲିସ ଉପରକୁ ଅଣ୍ଡା ଟମାଟୋ ମାଡ଼ କରାଯାଇଥିଲା।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଯୁବ କଂଗ୍ରେସ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ପୁଲିସ ସେମାନଙ୍କୁ ବାରିକେଡ୍ କରି ଅଟକାଇବାରୁ ଯୁବ କଂଗ୍ରେସ କର୍ମୀମାନେ ପଚାଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ତେଣୁ ପୁଲିସ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା। ଏହି ଅବସରରେ ରଣଜିତ ପାତ୍ର କହିଛନ୍ତି ଯେ ଗୃହ ବିଭାଗକୁ ସମ୍ଭାଳିବାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଅସମର୍ଥ। ଭରତପୁର ଆଦର୍ଶ ଥାନାରେ ଥାନାଧିକାରୀ ମହିଳାଙ୍କ ଇଜ୍ଜତ ଲୁଟୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଖବର ହେଲା ନାହିଁ। ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଗୃହ ସଚିବ, ଡିଜିପି ଓ କମିସନରେଟ ପୁଲିସ ଭରତପୁର ଥାନାର ତତ୍କାଳନୀ ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଘଣ୍ଟ ଘୋଡାଇବାରେ ବ୍ୟସ୍ତ ଥିଲେ। କେବଳ ଗଣମାଧ୍ୟମ, ହାଇକୋର୍ଟ ଓ ବିଭିନ୍ନ ରଜନୈତିକ ଦଳର ଦାବି ପାଇଁ ସେହି ଅପରାଧୀ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଛି। ଓଡ଼ିଶାରେ ମହିଳା ଅସୁରକ୍ଷିତ ବୋଲି ନିର୍ବାଚନ ପୂର୍ବରୁ ବିଜେପିର ତୁଙ୍ଗନେତାମାନେ ଚିତ୍କାର କରୁଥିଲେ।
ଆଜି ସେମାନେ ଚୁପ୍ ହୋଇ ବସିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ସୁଦୀପ ସାମଲ, ମନୋଜ ବିଶ୍ୱାଳ, ଗଣେଶ ଦାଶ, ଗୋପନ ମାର୍ଥା, ମହମ୍ମଦ ଗୁଲ୍ଫାମ, ସ୍ୱାଗତ କର, ଅଜୟ ସାହୁ, ସାଗର ପଟ୍ଟନାୟକ, ସାହାରୁଖ ଖାଁ, ମହମ୍ମଦ ପର୍ଭେଜ୍, ମିର୍ଜା ଇସ୍ଲାମ୍ ବେଗ୍, ନିଆଜୁଲ୍ ଇସ୍ଲାମ୍, ବଟକୃଷ୍ଣ ରାଉତରାୟ, ସୌଦ୍ୱୀପ ରାୟ, ସ୍ପନ୍ଦନ ସ୍ୱାଇଁ, ସୁବାଶିଷ ମହାନ୍ତି, ଇମ୍ରାନ ଅଲ୍ଲି ଖାଁ, ଚନ୍ଦନ ସାହୁ, ଆସିଫ୍ ଖାଁ, ମିର୍ଜା ଅବ୍ଦୁଲ୍ କାଲାମ ବେଗ୍ ଓ ଅନ୍ୱାର୍ ଖାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Follow Us