ଚନ୍ଦନେଶ୍ୱର/ଉଦୟପୁର: ମୌସୁମୀ ବର୍ଷା ଯୋଗୁ ବାଲେଶ୍ବର ଜିଲ୍ଲା ଅଧୀନ ଭୋଗରାଇ ବ୍ଲକ୍ ଉଦୟପୁର-ତାଳସାରୀ ବେଳାଭୂମିର ୨.୭ କିମି ଅଞ୍ଚଳରେ ନିର୍ମାଣାଧୀନ ପଥରବନ୍ଧ ତଥା ମେରାଇନ୍ ଡ୍ରାଇଭ୍ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୫୦ଟି ସ୍ଥାନରେ ବନ୍ଧ ଧୋଇଯାଇଥିବା ଜଣାପଡ଼ିଛି।
ପଥରବନ୍ଧ ତଥା ମେରାଇନ୍ ଡ୍ରାଇଭ୍ ରାସ୍ତା କାମ ପାଇଁ ଏଯାଏ ଏକାଧିକ ପର୍ଯ୍ୟାୟରେ ମୋଟ ୮୮ କୋଟି ୮୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ, ୧୨ ବର୍ଷ ବିତିଯାଇଥିଲେ ମଧ୍ୟ କାମ ସରୁନାହିଁ। ବିଭିନ୍ନ ସମୟରେ ଜଳସମ୍ପଦ ବିଭାଗ ସଚିବ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଜିଲ୍ଲାପାଳଙ୍କ ସହ ଅନ୍ୟ ପଦାଧିକାରୀମାନେ କ୍ଷେତ୍ର ପରିଦର୍ଶନ ସହ କାମ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ, ସାମାନ୍ୟ ବର୍ଷା ପାଣିରେ ବନ୍ର ଏପରି ସ୍ଥିତି ହୋଇଥିବା ବେଳେ ଭବିଷ୍ୟତରେ ଜନବସତି ମୁହାଁ ଜୁଆର ପାଣିକୁ ଏହା କିପରି ରୋକିବ, ସେନେଇ ସପନ ଗଙ୍ଗାଇ, ଅବନୀ ପଟ୍ଟାୟତ, ତରଣୀକାନ୍ତ ସେନାପତି, ବାଚ୍ଚୁ ସେନାପତି, ସୁଶାନ୍ତ ପଟ୍ଟାୟତ, ଦୀନେଶ ବେହେରା ପ୍ରମୁଖଙ୍କ ସହ ଶତାଧିକ ଅଞ୍ଚଳବାସୀ ପ୍ରଶ୍ନ କରିବା ସହ ଅର୍ଥ ଆତ୍ମସାତ କରାଯାଇ ବନ୍ଧ କାମ ନିମ୍ନମାନର ହୋଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହିତ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି। ଏନେଇ ବାଲେଶ୍ୱର ଜଳସମ୍ପଦ ବିଭାଗ ଅଧିକାରୀ ପ୍ରଭାସ ପ୍ରଧାନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ସିଧାସଳଖ ଉତ୍ତର ନଦେଇ କାମ ସରିନାହିଁ ବୋଲି କହିଛନ୍ତି।
ସାମାନ୍ୟ ବର୍ଷାରେ... ୫୦ ସ୍ଥାନରେ ଧୋଇଗଲା ପଥର ବନ୍ଧ
Advertisment
Follow Us