ନୟାଗଡ଼ରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା: ୪ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

Advertisment
ନୟାଗଡ଼ରେ ଫୁଟିଲା ଗୁଳି, ବୁଲିଲା ଖଣ୍ଡା: ୪ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

ନୟାଗଡ଼: ନିର୍ବାଚନ ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଗତକାଲି ନୟାଗଡ଼ ବ୍ଲକ୍‌ ଅଧୀନ ନୋତ୍ତର ପଞ୍ଚାୟତ ବଉଳିସାହିରେ ୪ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ବନ୍ଧୁକ, କଟୁରି, ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆହତମାନେ ହେଲେ ବଉଳିସାହିର ପୃଥ୍ବୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂହ ଓ ପ୍ରଦ୍ୟୁମ୍ନ ରଥ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଇଟାମାଟି ଥାନାରେ ମାମଲା ହୋଇଥିଲେ ମଧ୍ୟ ପୁଲିସ ଏ ପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିପାରି ନାହିଁ।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଏହି ଚାରିଜଣ ଯୁବକ ଗାଁ ମନ୍ଦିର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଗାଁର ବନମାଳୀ ନାୟକ, ସନ୍ତୋଷ ନାୟକ, ନାଲୁ ବେହେରା, ବିଜୟ ନାୟକ, କାଶୀନାଥ ନାୟକ ଓ ଗଙ୍ଗାଧର ଜେନା ମିଳିତ ଭାବେ ଏହି ଯୁବକମାନଙ୍କୁ ଆକ୍ରମଣ କରିଥି‌ଲେ। କେହି କିଛି ବୁଝିବା ପୂର୍ବରୁ ସେମାନଙ୍କ ଉପରେ ଖଣ୍ଡା ଚୋଟ ବସିଥିବା ବେଳେ ଦୁର୍ବୃତ୍ତମାନେ ଶିକାର କରାଯାଉଥିବା ବନ୍ଧୁକରୁ ଗୁଳି ଚଳାଇଥିଲେ। ପୃଥ୍ୱୀରାଜଙ୍କର ହାତ ଓ ଗୋଡ଼ରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସେହିପରି ରାଜେଶ, ଆଶିଷ ଓ ପ୍ରଦ୍ୟୁମ୍ନଙ୍କ ଦେହରେ ଗୁଳି ବାଜିଥ‌ିବାରୁ ସମସ୍ତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଆଗକୁ ନିର୍ବାଚନ ପାଖେଇ ଆସୁଥ‌ିବାରୁ ଏବେ ରାଜନୈତିକ ଦଳଗୁଡ଼ିକର କର୍ମୀମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ଏହାକୁ ନେଇ କିଛି ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ଥିବାରୁ ପୁଲିସର ଚିନ୍ତା ବଢ଼ିଯାଇଛି। ଏ ନେଇ ଇଟାମାଟି ଥାନା ଇନିସ୍ପେକ୍ଟର ଦିଲୀପ ସ୍ବାଇଁ କୁହନ୍ତି ଯେ, ଆକ୍ରମଣର ଶିକାର ଯୁବକମାନଙ୍କ ପକ୍ଷରୁ ହୋଇଥିବା ଏତଲାରେ କୌଣସି ରାଜନୈତିକ ପ୍ରସଙ୍ଗ ଉଲ୍ଲେଖ କରାଯାଇନାହିଁ। ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe