ଭାଉଜକୁ ପଥର ଛେଚି ହତ୍ୟା କଲା ଦିଅର, କାରଣ ଅସ୍ପଷ୍ଟ 

ଭାଉଜକୁ ପଥର ଛେଚି ହତ୍ୟା କଲା ଦିଅର, କାରଣ ଅସ୍ପଷ୍ଟ 

ରା. ଉଦୟଗିରି : କୌଣସି କାରଣ ନଥାଇ ଭାଉଜକୁ ପଛରୁ ଅତର୍କିତ ଆକ୍ରମଣ କରି ହତ୍ୟା କରିଛି ଦିଅର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ବଙ୍ଗଳାସାହିରେ। ଆଜି ଅପରାହ୍‌ଣ ସାଢ଼େ ୩ଟା ବେଳେ ବଙ୍ଗଳାସାହି ନିବାସୀ ସଞ୍ଜୟ ପାଇକଙ୍କ ପତ୍ନୀ ଅନିତା ପାଇକ(୨୫) ଘର ବାରିପଟେ ବସି ଚାଉଳରୁ ଗୋଡ଼ି ବାଛୁଥିଲେ। ଏହି ସମୟରେ ତାଙ୍କ ଦିଅର ସୁଶାନ୍ତ ପାଇକ ଓରଫ ରୁନା ପଛପଟୁ ଛପି ଛପି ଆସି ଅନିତାଙ୍କ ମୁଣ୍ଡ ଉପରେ ଏକ ପଥର ଛେଚି ଦେଇଥିଲେ।

ଚିତ୍କାର ଶୁଣି ପରିବାରବର୍ଗ ଅନିତାଙ୍କୁ ଗୁରୁତର ଅବସ୍ଥାରେ ରା.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନିତାଙ୍କ ଶାଶୂ ସରସ୍ବତୀଙ୍କ ଠାରୁ ସୂଚନା ପାଇ ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ଚମ୍ପଟ ମାରିଥିବା ପୁଲିସ କହିଛି। ପୁଲିସ କେସ୍ ନମ୍ବର ୨୧ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଥାଉକି, ମୋହନା ଥାନା ଅଧୀନ ଶିଙ୍କୁଳିପଦର ଡେଙ୍ଗାନା ଗ୍ରାମର ଅନିତା ଗତ ୪ ବର୍ଷ ତଳେ ବଙ୍ଗଳାସାହିର ସଞ୍ଜୟଙ୍କୁ ବିବାହ କରିଥିଲେ। ସଞ୍ଜୟ ପରିବାର ପ୍ରତିପୋଷଣ ପାଇଁ ରୋଜଗାର କରିବାକୁ ବାହାରକୁ ଚାଲି ଯାଇଥିବା ବେଳେ ଅନିତା ବର୍ଷକର ପୁଅ, ଦିଅର ଓ ଶାଶୂଙ୍କ ସହ ରହୁଥିଲେ। ଆଜି ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe