୨୧ ଦିନରେ ଖରଭୂଇଁ ଆନ୍ଦୋଳନ, ୩୦ଜଣଙ୍କ ଘରେ ଲଟ୍‌କା ଜାରି

Advertisment
୨୧ ଦିନରେ ଖରଭୂଇଁ ଆନ୍ଦୋଳନ, ୩୦ଜଣଙ୍କ ଘରେ ଲଟ୍‌କା ଜାରି

ବୌଦ୍ଧ: ପଥର କ୍ବାରୀ ଓ କ୍ରସର ବନ୍ଦ ଘୋଷଣା ଦାବିରେ ହରଭଙ୍ଗା ତହସିଲ ଖରଭୂଇଁ ଗ୍ରାମବାସୀଙ୍କ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି। ୧୬ ତାରିଖରୁ ଦିବାରାତ୍ର ଆନ୍ଦୋଳନ ଚାଲିଛି। ପର୍ଯ୍ୟାୟକ୍ରମେ ଆନ୍ଦୋଳନରେ ନେତୃତ୍ବ ନେଉଥିବା ୩ ଜଣଙ୍କୁ ପୁଲିସ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି। ଏବେ ଅନ୍ୟ ୩୦ ଜଣଙ୍କ ନାଁରେ ଲଟ୍‌କା ଜାରି କରାଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଖରଭୂଇଁ ଅଞ୍ଚଳର ପଥର କ୍ବାରୀ ଓ କ୍ରସର ବନ୍ଦ ଘୋଷଣା କରିବା ପରେ ପ୍ରାୟ ୧ ବର୍ଷ ଅଞ୍ଚଳ ଶାନ୍ତ ରହିଥିଲା। ଏବେ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା ପ୍ରସ୍ତୁତି ଆରମ୍ଭ କରିବାରୁ ପୁଣି ଅଶାନ୍ତ ହୋଇପଡ଼ିଛି। ଚଳିତ ମାସ ୧ ତାରିଖରୁ ଖରଭୂଇଁ ଗ୍ରାମବାସୀ ଆନ୍ଦୋଳନରେ ବସିଛନ୍ତି। ବିଭିନ୍ନ ସମୟରେ କିଛି ରାଜନୈତିକ ଦଳର କର୍ମକର୍ତ୍ତା ମଧ୍ୟ ଆନ୍ଦୋଳନସ୍ଥଳକୁ ଆସି ନିଜ ସମର୍ଥନ ଜଣାଇଥିଲେ। ୧୫ ତାରିଖରେ ଅବକାଶ ସାହୁ ଭୁବନେଶ୍ବରରୁ ପରିବାର ସହ ଫେରୁଥିବା ବେଳେ ଜିଲ୍ଲା ସୀମାନ୍ତରୁ ପୁଲିସ ଗିରଫ କରିଥିଲା। ପର ଦିନଠାରୁ ଗ୍ରାମବାସୀ ଆନ୍ଦୋଳନକୁ ଅଧିକ ବ୍ୟାପକ କରି ଦିବାରାତ୍ର କରିଛନ୍ତି।

ସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ପ୍ରତିହତ କରିବା ସରଞ୍ଜାମ ସହ ୪ ପ୍ଲାଟୁନ ପୁଲିସ ମୁତୟନ ରହିଥିଲେ। ଏସ୍‌ଡିପିଓଙ୍କ ସହ ୪ ଜଣ ଇନ୍ସପେକ୍ଟର ସ୍ଥିତି ଅନୁଧ୍ୟାନ କରୁଥିଲେ। ଏବେ ଏକ ପ୍ଲାଟୁନ ପୁଲିସ ଆନ୍ଦୋଳନ ସ୍ଥଳରେ ଜଗି ରହୁଥିବା ଦେଖାଯାଇଛି। ପଥର କ୍ବାରୀର ବିସ୍ଫାରଣ ଓ କ୍ରସରର ପ୍ରଦୂଷଣ ଯୋଗୁଁ ଜୀବନ ଜୀବିକା ବାଜିରେ ଲାଗିଥିବା ଅଭିଯୋଗରେ ଗ୍ରାମବାସୀ ଆନ୍ଦୋଳନ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ବିକାଶ କାର୍ଯ୍ୟର କଞ୍ଚାମାଲ ପାଇଁ ଆନ୍ଦୋଳନ ହଟାଇବା ଉଦ୍ୟମ ଜାରି ରଖିଛି। ଜିଲ୍ଲାପାଳ ସେମାନଙ୍କୁ ଡକାଇ ସମାଧାନ କରନ୍ତୁ ବୋଲି ଲୋକେ ଦାବି କରୁଛନ୍ତି। ସେପଟେ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଅବକାଶଙ୍କ ପରେ ଗ୍ରାମର ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏବେ ଗ୍ରାମର ୩୦ ଜଣ ପୁରୁଷ ଓ ମହିଳାଙ୍କ ନାମରେ ଧାରା ୧୦୭ରେ ମାମଲା ରୁଜୁ କରି ସେମାନଙ୍କ ଘର ସାମ୍ନାରେ ଲଟ୍‌କା ଜାରି କରାଯାଇଛି। ରବିବାର ସନ୍ଧ୍ୟାରେ ପୁଲିସ ଆସି କିଛି ଘର ସମ୍ମୁଖରେ ନୋଟିସ ଛାପିଥିଲା। ସୋମବାର ପୂର୍ବାହ୍ନରେ ଅନ୍ୟ ସବୁ ଘରେ ନୋଟିସ ଛାପିଛି। ନୋଟିସରେ ୨୧ ତାରିଖ ଅର୍ଥାତ ଆଜି ଅପରାହ୍ନ ସାଢ଼େ ୩ଟାରେ ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବା ପାଇଁ ଉଲ୍ଲେଖ ରହିଛି। ତାଲିକାରେ ନାଁ ଥିବା ସମସ୍ତେ ଆତ୍ମଗୋପନ କରିଥିବା ଯୋଗୁଁ ପୁଲିସ ଆତ୍ମୀୟଙ୍କ ଠିକଣା ଖୋଜି ଗାଁ ଗାଁ’ରେ ଚଢଉ କରୁଥିବା ସୂଚନା ମିଳିଛି। ସେପଟେ ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ସ୍ଥଳର ଫଟୋ ଉଠାଇବାକୁ ଉପସ୍ଥିତ ପୁଲିସ ବାରଣ କରୁଥିବ‌ା ଦେଖାଯାଇଛି। ଆଜି ୨ ଜଣ ଯୁବକ ଫଟୋ ଉଠାଉଥିବା ବେଳେ ଜଣେ ପୁଲିସ କର୍ମଚାରୀ ସେମାନଙ୍କ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଉଠାଇଥିବା ଫଟୋ ଡିଲିଟ କରି ଦୁଇ ଘଣ୍ଟା ପରେ ମୋବାଇଲ ଫେରାଇଥିବା ଆ‌ନ୍ଦୋଳକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe