Advertisment

ପରଲୋକରେ ନାଟ୍ୟକାର ରବୀନ୍ଦ୍ରନାଥ ଦାସ

Advertisment
ପରଲୋକରେ ନାଟ୍ୟକାର ରବୀନ୍ଦ୍ରନାଥ ଦାସ

ଭୁବନେଶ୍ବର: ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ନାଟ୍ୟଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ନାଟକ ପ୍ରତି ତାଙ୍କର ବିଶେଷ ଦୁର୍ବଳତା ଥିଲେ ମଧ୍ୟ ଗଳ୍ପ, ଉପନ୍ୟାସ କ୍ଷେତ୍ରରେ ମଧ୍ୟ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

ରବିବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ପରିବାର ପକ୍ଷରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇଦିନ ଧରି ଚିକିତ୍ସିତ ହେବା ପରେ ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଇନ୍ଦିରା ଦାସ, ଝିଅ ଲିପିକା ଦାସ, ଜ୍ବାଇଁ ମନୋରଞ୍ଜନ ଦାସ, ପୁଅ ଆକାଶ ଦାସ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ନୂଆପଲ୍ଲୀସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କ ମରଶରୀରକୁ ସଂସ୍କୃତି ଭବନକୁ ନିଆଯାଇଥିଲା। ସେଠାରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଆ ସାହିତ୍ୟ ଏକାଡେମି ସଚିବ ପ୍ରବୋଧ ରାଉତ, ଓଡ଼ିଆ ସାହିତ୍ୟ ଏକାଡେମି ଓ ସଂଗୀତ ନାଟକ ଏକାଡେମିର କର୍ମଚାରୀବୃନ୍ଦ, ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ କବି ସୂର୍ଯ୍ୟ ମିଶ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ରବୀନ୍ଦ୍ରନାଥ ୧୯୪୩ ମସିହା ମେ ୧୭ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପାଇଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାପରେ ସେ ଚାକିରି ଜୀବନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ସେ କାର୍ଯ୍ୟ କରିଥିଲେ। ଅବସର ପରେ ନାଟକ ଏବଂ ସାହିତ୍ୟ କ୍ଷେତ୍ରରେ ବିଶେଷ ସମୟ ବିନିଯୋଗ କରିଥିଲେ। ସେ ୨୦୦୬-୦୭ରେ ଓଡ଼ିଶା ସାହିତ୍ୟ ଏକାଡେମିରେ ସଚିବ ଭାବେ କାର୍ଯ୍ୟ କରିଥିଲେ। ନାଟକ ‘ବିଷର୍ଣ୍ଣ ପୃଥିବୀ’ ପାଇଁ ତାଙ୍କୁ ୧୯୭୯ରେ ଓଡ଼ିଶା ସାହିତ୍ୟ ଏକାଡେମି‌ ପୁରସ୍କାର ମିଳିଥିଲା। ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ମଧ୍ୟ ଥିଲେ। ତାଙ୍କର ଏକାଧିକ ନାଟକ ବେତାର ଓ ଦୂରଦର୍ଶନରେ ପ୍ରସାରିତ ହୋଇଛି। ସେ କେତେକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ମଧ୍ୟ ଚିତ୍ରନାଟ୍ୟ ଲେଖିଛନ୍ତି। ଜଣେ ପ୍ରୟୋଗବାଦୀ ନାଟ୍ୟକାର ଭାବେ ସେ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe