ବର୍ତ୍ତମାନ ପରିସ୍ଥିତିରେ ସାହିତ୍ୟ ହିଁ ସତ୍ୟ କହିପାରିବ: ସୌମ୍ୟ

Advertisment

କଥାକାର ପଦ୍ମଜ ପାଳ ଓ ସୁଲୋଚନା ଦାସଙ୍କୁ ଜେମା-ସାମନ୍ତ ସୃଜନୀ ପୁରସ୍କାର

କଥାକାର ପଦ୍ମଜ ପାଳ ଓ ସୁଲୋଚନା ଦାସଙ୍କୁ ଜେମା-ସାମନ୍ତ ସୃଜନୀ ପୁରସ୍କାର

ବର୍ତ୍ତମାନ ପରିସ୍ଥିତିରେ ସାହିତ୍ୟ ହିଁ ସତ୍ୟ କହିପାରିବ: ସୌମ୍ୟ

କଟକ: ଅମଡ଼ା ନ ମାଡିଲେ ସଭ୍ୟତା ଆଗକୁ ବଢ଼ି ପାରେ ନାହିଁ। ଅମଡା ମାଡିବାକୁ କିନ୍ତୁ ଆମ ପାଖରେ ସାହସ ନାହିଁ। ବିକଳ୍ପ ଚିନ୍ତା କରିବା ବି ଏବେ ରାଷ୍ଟ୍ରଦ୍ରୋହ ଭାବେ ବିବେଚନା କରଯାଉଛି। ଏଭଳି ସ୍ଥିତି ଗଣତନ୍ତ୍ର ପାଇଁ ବିପଦ। ଗଣତନ୍ତ୍ରର ଏଭଳି ସଂକଟ ସମୟରେ ସାହିତ୍ୟ ହିଁ ସତ୍ୟ କହିପାରିବ ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀରାମ ଚନ୍ଦ୍ରଭବନରେ ଆୟୋଜିତ ଜେମା-ସାମନ୍ତ ସୃଜନୀ ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବ‌େ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅନ୍ୟକୁ ନଜରଅନ୍ଦାଜ କରିବା, ଅନ୍ୟର ପ୍ରତିଭାକୁ ଅଣଦେଖା କରିବା ଭଳି କାର୍ଯ୍ୟ ଗଣତନ୍ତ୍ର ବ୍ୟବସ୍ଥାର ଅବକ୍ଷୟର ଲକ୍ଷଣ। ନେହରୁ ବଡ଼ ନା ପଟେଲ, ଏଭଳି ଆଲୋଚନା ପ୍ରାସଙ୍ଗିକ ନୁହେଁ। ଶ୍ରୀ ପଟ୍ଟନାୟକ ଉପସ୍ଥିତ ସାହିତ୍ୟିକ ମାନଙ୍କୁ ୩ଟି ପ୍ରଦୀପ ପ୍ରସଙ୍ଗରେ କହିଥିଲେ। ସଂପ୍ରତି ବୌଦ୍ଧିକ ପ୍ରଦୀପ ଲିଭି ଯାଉଥିବା ବେଳେ ସାମାଜିକ ପ୍ରଦୀପ ମିଞ୍ଜିମିଞ୍ଜି ହୋଇ ଜଳୁଛି ଓ ରାଜନୈତିକ ପ୍ରଦୀପ ହୁତୁହୁତୁ ହୋଇ ଜଳୁଛି। ଏଥିରେ ସୁଧାର ଆଣିବା ପାଇଁ ସାହିତ୍ୟିକମାନଙ୍କୁ ଶ୍ରୀ ପଟ୍ଟନାୟକ ଆହ୍ବାନ ‌ଦେଇଥିଲେ। ଜେମା-ସାମନ୍ତଙ୍କ ତ୍ୟାଗପୁତ ଜୀବନ କାହାଣୀ ବିଷୟରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ରର ମୂଳମନ୍ତ୍ର କୁହାଯାଉଥିବା ସମ୍ବେଦନଶୀଳତା, ସହାନୁଭୂତି, ସହନଶୀଳତା ଏବେ ହଜିଯାଉଛି। ସାହିତ୍ୟ ହିଁ ଏହାକୁ ସିଧା କରିପାରିବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ୨୦୨୦ ବ‌ର୍ଷ ପାଇଁ କଥାକାର ଡକ୍ଟର ପଦ୍ମଜ ପାଳ ଓ ୨୦୨୧ବର୍ଷ ପାଇଁ ବିଶିଷ୍ଟ ଲେଖିକା ଡକ୍ଟର ସୁଲୋଚନା ଦାସଙ୍କୁ ସମ୍ମାନଜନକ ଜେମା-ସାମନ୍ତ ସୃ୍ଜନୀ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ତାମ୍ରଫଳକ ଓ ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟବକ୍ତା‌ ଭାବେ ଯୋଗ ଦେଇ ପ୍ରଫେସର ଡକ୍ଟର ବିଜୟ କୁମାର ଶତପଥୀ, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଉପବାଚସ୍ପତି ନାରାୟଣ ବୀରବର ସାମନ୍ତ ଓ ସ୍ୱାଧୀନତା ସଂଗ୍ରାମୀ ତଥା ବିଧାୟିକା ରତ୍ନମାଳା ଜେମାଙ୍କ ଉତ୍ସର୍ଗୀକୃତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ। ସାହିତ୍ୟ ସମାଜର ଉପସଭାପତି ସୁସ୍ମିତା ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଉପସଭାପତି ସଂଜିତ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନ ସଂପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ।

କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ବ୍ରହ୍ମାନନ୍ଦ ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ତପନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ଡକ୍ଟର ସୁନାମଣି ରାଉତ ଓ ବିଜୟଲକ୍ଷ୍ମୀ ନାୟକ ମାନପତ୍ର ପାଠ କରିଥିଲେ। କଣ୍ଠଶିଳ୍ପୀ ଜୀବନାନନ୍ଦ ଅଧିକାରୀ ଓ ପ୍ରୀତିପର୍ଣ୍ଣା ମହାନ୍ତି ଭକ୍ତିସଂଗୀତ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସାହିତ୍ୟ ସମାଜ ସଂପାଦିକା ମୀନାକ୍ଷୀ ଦେବୀ ଓ ପ୍ରଖ୍ୟାତ କଥାଶିଳ୍ପୀ ମନୋଜ ଦାସଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe