ଭୁବନେଶ୍ବର: ଚିକିଟି ମଦମୃତ୍ୟୁ ନେଇ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ଆଜି ବିଧାନସଭା ଭିତରେ ବିଜେଡି ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଦେଇଥିଲେ। ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ସଭ୍ୟମାନେ ଚିକିଟି ମଦମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ବିରୋଧୀଙ୍କ ସ୍ବର ଏତେ ଶାଣିତ ଥିଲା ଯେ ପ୍ରଥମାର୍ଦ୍ଧରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନଥିଲା। ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ମୋହନ ସରକାର ଛି ଛି… ନାରାରେ କମ୍ପାଇଥିଲେ। ଅପରାହ୍ନରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ପୁଣି ସେମାନେ ଗୃହ ଭିତରେ ନାରାବାଜି କରିଥିଲେ। ବାଚସ୍ପତି ଗୃହକୁ ଚଳାଇ ରଖିବାକୁ ଉଦ୍ୟମ କରିବାରୁ ସେମାନେ କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀ ଦଳରେ ଆଜି ରାଜସ୍ବ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା।
ଗଣମାଧ୍ୟମକୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ନୀତି ନୈତିକତା କଥା କହି ଶାସନକୁ ଆସିଛି ବିଜେପି। ନିଶାମୁକ୍ତ ଓଡ଼ିଶା କଥା ସେମାନେ କହୁଥିଲେ। କିନ୍ତୁ ଚିକିଟିରେ ଦୁଇ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଛି। ଅନ୍ୟମାନେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ଅବକାରୀ ମନ୍ତ୍ରୀ କାହିଁକି ଏ ଯାଏ ଇସ୍ତଫା ଦେଇନାହାନ୍ତି? ନବୀନ ସରକାର ସମୟରେ ମଦମୃତ୍ୟୁ ହେଲେ ତତ୍କାଳୀନ ଅବକାରୀ ମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ। ଏବେ ବିଜେପି ସରକାରର ନୈତିକତା କୁଆଡ଼େ ଗଲା? ତୁରନ୍ତ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ବିଜେପି ନେତାମାନେ ମଦ ବେପାରୀଙ୍କ ସହ ସଲାସୁତୁରାରେ ଅଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ।
ଇଡି ବିରୋଧରେ ଗର୍ଜିଲା କଂଗ୍ରେସ
ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଇଡି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତାହାର ପ୍ରଭାବ ଆଜି ଭୁବନେଶ୍ବରରେ ବି ଦେଖିବାକୁ ମିଳିଥିଲା। କଂଗ୍ରେସ ପକ୍ଷରୁ ଇଡି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରାଯାଇଥିଲା ବେଳେ ଦଳୀୟ ବିଧାୟକମାନେ ବିଧାନସଭାରେ ହୁଲସ୍ତୁଲ କରିଛନ୍ତି।
ଇଡି କେନ୍ଦ୍ର ସରକାରଙ୍କ ଗୁଣ୍ଡା ସାଜିଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ ଆଜି ଦିନତମାମ ବିଧାନସଭାରେ ହୋହଲ୍ଲା କରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଚେୟାର ଉପରେ ଚଢ଼ି ବାଚସ୍ପତିଙ୍କ ଟେବୁଲ୍ ବାଡ଼େଇଥିଲେ। କେନ୍ଦ୍ର ସରକାର ଇଡି ଓ ସିବିଆଇର ଅପ୍ୟବବହାର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। କେନ୍ଦ୍ର ସରକାର ନୀତି ପରିବର୍ତ୍ତନ ନକଲେ, କଂଗ୍ରେସ ପ୍ରତିବାଦ ଜାରି ରଖିବ ବୋଲି ଚେତାବନୀ ଦେଇଥିଲେ। ଅପରାହ୍ନରେ କଂଗ୍ରେସ ସଭ୍ୟମାନେ ଗୃହ କାର୍ଯ୍ୟ ବର୍ଜନ କରି ବାହାରକୁ ଚାଲିଯାଇଥିଲେ।
Follow Us