ଭୁବନେଶ୍ବର: ବାତ୍ୟାର କେନ୍ଦ୍ରବିନ୍ଦୁ ଏବେ ମାଲକାନଗିରି ଜିଲ୍ଲାରେ ରହିଛି ଏବଂ ଏହା ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି,ପବନର ବେଗ କେଉଁଠି ବି ଅଧିକ ହୋଇ ନାହିଁ। ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖସିଥିଲା। ୨୧ଟି ବ୍ଲକରେ ୫୦ ପ୍ରତିଶତ ରୁ ଅଧିକ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୪୮ ମିଲି ମିଟର ବର୍ଷା ହୋଇଛି। ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲି ମିଟର ବର୍ଷା ହୋଇଛି। ଗଜପତିର ଗୋଶାଣୀରେ ୮୩ ମିମି, ମୋହନାରେ ୩୩ ମିମି, ରାୟଗଡ଼ା ବ୍ଳକରେ ୬୦ ମିମି ଓ ନୂଆଗଡ଼ରେ ୩୩ ମିମି ବର୍ଷା ରେକର୍ଡ ହୋଇଛି।
ବିଦ୍ୟୁତ୍ ଭିତ୍ତିଭୂମି କେଉଁଠି କ୍ଷତିଗ୍ରସ୍ତ ହୋଇନାହିଁ। ଖୁଣ୍ଟ କେଉଁଠି ଉପୁଡ଼ିନାହିଁ। ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି। ବର୍ଷା କମିଲେ ତାହା ମରାମତି କରାଯିବ। ପାହାଡ଼ିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା, ତାହା ଏବେ ବନ୍ଦ ହୋଇଗଲାଣି।
ମୋଟାମୋଟି ଭାବେ ପାଣି ପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା, ସେମିତି ବର୍ଷା କି ପବନ ହୋଇ ନାହିଁ। କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ।
ଏସଡିଆରଏଫ ନିୟମ ଆଧାରରେ ସମସ୍ତ ଜିଲ୍ଲାପାଳମାନଙ୍କୁ ୫ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ସର୍ବମୋଟ ୪୬ ହଜାର ୭୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୧୧୮୯ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଥିଲା। ୧୫୩୩ ଜଣ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ଅଳ୍ପ ବର୍ଷା ଜାରି ରହିଛି। ଆଶା କରୁଛୁ ସେମିତି କିଛି ସମସ୍ୟା ହେବ ନାହିଁ । କେବଳ ମାଲକାନଗିରିରେ ୫୦ ରୁ ୬୦ ଗଛ ଭାଙ୍ଗିଛି।
Follow Us