ଅଗମ୍ୟ ଅଞ୍ଚଳ, ଅପହଞ୍ଚ ବିକାଶ: ୪ଟି ପାହାଡ଼ ଚଢ଼ିଲେ ଗାଁରେ ପହଞ୍ଚିବ

ଅଗମ୍ୟ ଅଞ୍ଚଳ, ଅପହଞ୍ଚ ବିକାଶ: ୪ଟି ପାହାଡ଼ ଚଢ଼ିଲେ ଗାଁରେ ପହଞ୍ଚିବ

କେନ୍ଦୁଝର/ତେଲକୋଇ/ହରିଚନ୍ଦନପୁର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଅନେକ ଗାଁକୁ ଏବେ ବି ସବୁଦିନିଆ ରାସ୍ତା ନାହିଁ। କେଉଁଠି ପାହାଡ଼ ଚଢ଼ିବାକୁ ପଡୁଛି ତ ଆଉ କେଉଁଠି ନଈନାଳ ପାର ହେବାକୁ ପଡୁଛି। ଅଗମ୍ୟ ଅଞ୍ଚଳରେ ବିକାଶ ବି ବାଟବଣା। ଯୋଜନ ଦୂରରେ ଯୋଜନା। ବିଶେଷ କରି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ତେଲକୋଇ, ବାଂଶପାଳ ବ୍ଲକ୍‌ରେ ରାସ୍ତା ନଥିବା ଅନେକ ଗାଁ ରହିଛି।

ବାଂଶପାଳ ବ୍ଲକ୍‌ କୁଅଁର ପଞ୍ଚାୟତ ଉପରପଣସନସା ଗାଁରେ ଜୁଆଙ୍ଗ ଜନଜାତିର ଲୋକେ ବାସ କରୁଛନ୍ତି। ଏହି ଗାଁକୁ ଯିବାକୁ ହେଲେ ୪ଟି ପାହାଡ଼ ଅତିକ୍ରମ କରିବାକୁ ପଡୁଛି। କାଞ୍ଜିପାଣି ଘାଟିର ବାମପଟରେ ଥିବା ଏହି ଗାଁକୁ ସବୁଦିନିଆ ରାସ୍ତା ନାହିଁ। କିଛିଦିନ ତଳେ ଗାଁ ଲୋକେ ମନରେଗା ଯୋଜାନରେ ଏକ ପାଦଚଲା ରାସ୍ତା କରିଛନ୍ତି। ଗ୍ରାମୀଣ ଆବାସ ଯୋଜନାରେ ଲୋକଙ୍କୁ ଘର ମିଳିଛି। ଗାଁକୁ ରାସ୍ତା ନ ଥିବାରୁ ନିର୍ମାଣ ସାମଗ୍ରୀ ପହଞ୍ଚିପାରୁ ନାହିଁ। ଏହି ଗାଁରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ବି ଏହାର ଗୃହ ନାହିଁ। କିଛିବର୍ଷ ତଳେ ବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ଅନୁଦାନ ମିଳିଥିଲା। କିନ୍ତୁ ଘର କରିବାପାଇଁ ନିର୍ମାଣ ସାମଗ୍ରୀ ଗାଁରେ ପହଞ୍ଚିପାରି ନଥିଲା। ଗ୍ରାମାବସୀ କାନ୍ଧରେ ଇଟା ବୋହି ନେଇ ଗୃହ ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଦୁଇହାତ କାନ୍ଥ ଉଠିବା ପରେ ଗୃହ ନିର୍ମାଣ ବନ୍ଦ ରହିଗଲା। ଛାତ୍ରଛାତ୍ରୀ ଗାଁ ମଣ୍ଡଘର କିମ୍ବା କାହାର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଝୁମ୍ପୁରା ବ୍ଲକ୍‌ ପିଢ଼ପୋଖରୀ-ଦୁବୁନା ରାସ୍ତା ନିର୍ମାଣ ପାଇଁ ପିଢ଼ପୋଖରୀ ଗ୍ରାମବାସୀ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଗାଁକୁ ରାସ୍ତା ନିର୍ମାଣ ହେଉନାହିଁ। ସେହିପରି ତେଲକୋଇ ବ୍ଲକ୍‌ର ୪ଟି ରାଜସ୍ବ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ହୋଇପାରିନାହିଁ। ଫଳରେ ସମ୍ପୃକ୍ତ ଗ୍ରାମ ଗୁଡ଼ିକୁ ଆମ୍ବୁଲାନ୍ସ, ଦମକଳ ଓ ପୁଲିସ ଗାଡ଼ି ପହଞ୍ଚି ପାରୁନାହିଁ। ତାଳପଦା ପଞ୍ଚାୟତର ବଡ଼ଖମଣ, ଗୋଡ଼ିନର୍ଦ୍ଦା, ଶିବନାରାୟଣପୁରଗୋଡ଼ା ପଞ୍ଚାୟତର ତମାଙ୍ଗ ଓ କାଳିଆହତା ପଞ୍ଚାୟତର ସାରେଇ ଗ୍ରାମକୁ ରାସ୍ତା ନାହିଁ। ସାରେଇ ଗ୍ରାମଟି ପାହାଡ଼ ଉପରେ ରହିଛି। ‌ଗ୍ରାମବାସୀ ୧୦ କିମି ଚାଲିଚାଲି ଗାଁକୁ ଯାଇଥାନ୍ତି। ଗାଁରେ କେହି ଅସୁସ୍ଥ ହେଲେ ଖଟିଆରେ ବୋହି ପାହାଡ଼ ତଳକୁ ଆଣିଥାନ୍ତି।

ହରିଚନ୍ଦନପୁର ବ୍ଲକ୍‌ର ୪୪ଟି ଗାଁ ଓ ସାହିକୁ ସବୁଦିନିଆ ରାସ୍ତା ନଥିବା ଜଣାପଡ଼ିଛି। ବରେଇଗୋଡ଼ା ପଞ୍ଚାୟତର ବଡ଼ଜିମେଇଁ ଗ୍ରାମରେ ଜୁଆଙ୍ଗ ଓ ମୁଣ୍ଡା ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ଗାଁକୁ ରାସ୍ତା ନଥିବାରୁ ଲୋକେ ୪ଟି ନାଳ ଡେଇଁ ଓ ୪ଟି ପାହାଡ଼ ଚଢ଼ି ଯାତାୟାତ କରୁଛନ୍ତି। ରାସ୍ତା ନଥିବାରୁ ଗାଁରେ ସରକାରୀ ଯୋଜନା ପହଞ୍ଚିପାରୁ ନାହିଁ। ଗ୍ରାମବାସୀ ପାନୀୟଜଳ, ବିଜୁଳି ଓ ଶିକ୍ଷା ପରି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ବଞ୍ଚୁଛନ୍ତି। ଆଠବର୍ଷ ତଳେ ବଡ଼ଜିମେଇଁ ଓ ସାନଜିମେଇଁ ଗାଁକୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇଥିଲା। ସାନଜିମେଇଁ ରାସ୍ତା ନିର୍ମାଣ ହୋଇଥିବା ବେଳେ ବଡ଼ଜିମେଇଁ ଗାଁ ଏବେ ବି ଅପହଞ୍ଚ। ୨୦୨୦ ଜାନୁଆରି ୨୪ରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଜିଲ୍ଲାର ୧୯ଟି ଗାଁକୁ ରାସ୍ତା ନାହିଁ, ଏଥିପାଇଁ ୬୧ କିଲୋମିଟର ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି ବୋଲି ଦର୍ଶାଯାଇଥିଲା। ରାସ୍ତା ନିର୍ମାଣ ହେଲେ ୫୯୧୩ଜଣ ଲୋକେ ଉପକୃତ ହେବେ ବୋଲି ଚିଠିରେ ଦର୍ଶାଯାଇଥିଲା। ପରେ ଚିଠି ନମ୍ବର ୨୨୯୫ ତା ୪/୮/୨୦୨୦ରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସମସ୍ତ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ରାସ୍ତା ନ ଥିବା ଗ୍ରାମ ଓ ଜନବସତି (ପଡ଼ା)କୁ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ। ଏହା ପୂର୍ବରୁ ଚିଠି ସଂଖ୍ୟା ୪୮୯୩/୬-୩-୨୦୧୯ରେ ବିଭାଗ ପକ୍ଷରୁ ଅଣପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଗ୍ରାମ/ପଡ଼ା ଗୁଡ଼ିକୁ ମନରେଗା ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଚିଠି କରିଥିଲେ। ସେହିପରି ଚିଠି ନମ୍ବର ୬୦୪୭/୭-୩-୨୦୨୦ରେ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ପିଡ଼ିଙ୍କୁ ଶହେରୁ ଅଧିକ ଲୋକ ରହୁଥିବା ଜନବାସତି ବା ଗ୍ରାମକୁ ରାସ୍ତା ନିର୍ମାଣ କରିବାକୁ ନ‌ିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ତିନିବର୍ଷ ବିତିଯାଇଛି। କେବଳ ଚିଠି ଦିଆନିଆ ଚାଲିଥିବା ବେଳେ ରାସ୍ତା ନିର୍ମାଣ କାମ ତ୍ବରାନ୍ବିତ ହୋଇପାରୁ ନଥିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe