ଡିସେମ୍ବରରେ ଲୋୟର ସୁକତେଲ ପ୍ରକଳ୍ପ ଉଦ୍‌ଘାଟନ: ୨୨ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ

Advertisment

ଉଦ୍‌ଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲେ ଜଳସମ୍ପଦ ମନ୍ତ୍ରୀ

ଉଦ୍‌ଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲେ ଜଳସମ୍ପଦ ମନ୍ତ୍ରୀ

ଡିସେମ୍ବରରେ ଲୋୟର ସୁକତେଲ ପ୍ରକଳ୍ପ ଉଦ୍‌ଘାଟନ: ୨୨ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ‌ସୁକତେଲ୍ ପ୍ରକଳ୍ପ ଆସନ୍ତା ଡିସେମ୍ବରରେ ଉଦ୍‌ଘାଟନ ହେବ। ବଲାଙ୍ଗୀର ଜିଲ୍ଲାବାସୀଙ୍କର ଦୀର୍ଘ ୨୨ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଏହି ପ୍ରକଳ୍ପର ଡ୍ୟାମ୍ ଏବଂ ସ୍ପିଲୱେ (ନିର୍ଗମନ ପଥ) କାମ ଶେଷ ହେବ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ତୃତୀୟ ସପ୍ତାହରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଉଦ୍‌ଘାଟନ କରିବାକୁ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୭ତାରିଖରେ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଛନ୍ତି ଯେ ଡିସେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସର୍ବାଧିକ ୩୩ମିଟର ଉଚ୍ଚତା ପର୍ଯ୍ୟନ୍ତ ନିର୍ମିତ ୧୧୫୫ମିଟରର ମାଟି ବନ୍ଧ, ୨୫୫ମିଟର ଲମ୍ବର ନିର୍ଗମନ ପଥ କାମ ଶେଷ ହେବ। ଗତ ମୌସୁମୀ ବର୍ଷା ସମୟରେ ଏଠାରେ ପାଣି ସଂରକ୍ଷିତ କରି ରଖାଯାଇଥିଲା। ଏଠାରେ ୩୨୦୨୮ ହେକ୍ଟୋମିଟର ପର୍ଯ୍ୟନ୍ତ ଜଳ ସଂରକ୍ଷିତ ହୋଇପାରିବ। ଏହି ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର, ଲୋଇସିଂହା, ପୁଇଁତଲା ବ୍ଲକ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ୪୦ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ତେଣୁ ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରନ୍ତୁ।

ସୂଚନାଯୋଗ୍ୟ ଯେ ଏହି ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧୯୯୫-୯୬ ମସିହାରେ ରାଜ୍ୟ ସରକାର ୨୧୭କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରିଥିବାବେଳେ ନଭେମ୍ବର, ୨୦୦୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବହୁ ବିବାଦ, ବିରୋଧ ମଧ୍ୟରେ ଏହି ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଏହାକୁ ଗତ ବର୍ଷ ଠାରୁ ୫-ଟି ନୀତି ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାପରେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବା ସହ ନିର୍ମାଣ କାମକୁ ତ୍ବରାନ୍ବିତ କରାଯାଇଥିଲା। ଏପରିକି ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅର୍ଥ ବରାଦରେ କୌଣସି ଅବହେଳା କରିନଥିଲେ। ଯେଉଁଥିପାଇଁ ଏବେ ଏହି ପ୍ରକଳ୍ପର ଖର୍ଚ୍ଚ ଅଟକଳ ୫୨୫୬କୋଟିରେ ପହଞ୍ଚିଛି। ସେହିପରି ପୂର୍ବରୁ ୨୩ହଜାର ହେକ୍ଟର ଜମିକୁ ଜଳସେଚନ କରିବାକୁ ଯୋଜନା ହୋଇଥିବାବେଳେ ପରେ ଭୂତଳ ପାଇପ୍‌ ଲାଇନ୍‌ ବିଛାଇ ପାଣି ନେବାକୁ ଯୋଜନା ହୋଇଥିଲା। ଏଥିପାଇଁ ୨ହଜାର କୋଟି ଖର୍ଚ୍ଚ ଅଟକଳ ହେବା ସହ ୪୦ହଜାର ହେକ୍ଟର ଜମିକୁ ଜଳସେଚନ କରିବା ନେଇ ନିଷ୍ପତ୍ତି ହୋଇଛି। ଆସନ୍ତା ଜାନୁଆରି ସୁଦ୍ଧା ୬ହଜାର ହେକ୍ଟର ଜମିକୁ ଜଳସେଚନ ହେବାକୁ ଥିବାବେଳେ ୨୦୨୫ ସୁଦ୍ଧା ୪୦ହଜାର ହେକ୍ଟର ଜମିକୁ ଜଳସେଚନ କରିବାକୁ ଟାର୍ଗେଟ୍ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe