ବାଲ୍ୟ ବିବାହ ରୋକିବାକୁ ପ୍ରୋତ୍ସାହନ

Advertisment

୧୮ ବର୍ଷ ପରେ ବିବାହ କଲେ ଆଦିମ ଜନଜାତି ଝିଅଙ୍କୁ ମିଳୁଛି ୨୦ ହଜାର

୧୮ ବର୍ଷ ପରେ ବିବାହ କଲେ ଆଦିମ ଜନଜାତି ଝିଅଙ୍କୁ ମିଳୁଛି ୨୦ ହଜାର

ବାଲ୍ୟ ବିବାହ ରୋକିବାକୁ ପ୍ରୋତ୍ସାହନ

Image Courtesy of Zee News

ଭୁବନେଶ୍ବର : ୧୮ ବର୍ଷ ପରେ ବିବାହ ପାଇଁ ଆଦିମ ଜନଜାତି ଯୁବତୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ୮୫୨ ଝିଅଙ୍କୁ ଏହି ପ୍ରୋତ୍ସାହନ ଦିଆଯାଇଛି। ୨୦୧୮ ଓ ୨୦୧୯ ମସିହାରେ ଯଥାକ୍ରମେ ୧୭୧ ଏବଂ ୩୫୮ ଜଣଙ୍କୁ ୨ ହଜାର ଟଙ୍କା ଲେଖାଏ, ୨୦୨୦ ମସିହାରେ ୧୪୩ ଜଣଙ୍କୁ ୧୦ ହଜାର ଏବଂ ୨୦୨୧ ମସିହାରେ ୧୮୦ ଜଣଙ୍କୁ ୨୦ ହଜାର ଟଙ୍କା ଦିଆଯାଇଛି। ଅର୍ଥାତ ୨୦୧୮ ମସିହାରେ ଦିଆଯାଉଥିବା ୨ ହଜାର ଟଙ୍କାକୁ ୨୦୨୧ ମସିହାରେ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ ଅନୁସାରେ, ରାଜ୍ୟର ୨୦.୫ ପ୍ରତିଶତ ଝିଅ, ୧୩.୩ ପ୍ରତିଶତ ପୁଅ ବାଲ୍ୟ ବିବାହ କରିଛନ୍ତି। ନବରଙ୍ଗପୁର, ନୟାଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ବାଲେଶ୍ବର, ବୌଦ୍ଧ, ଅନୁଗୁଳ ଏବଂ ଢେଙ୍କାନାଳରେ ବାଲ୍ୟ ବିବାହର ବିକଳ ଚିତ୍ର ରହିଛି। ରାଜ୍ୟରେ ଥିବା ସମୁଦାୟ ୨୨.୮୫ ପ୍ରତିଶତ ଆଦିବାସୀଙ୍କ ମଧ୍ୟରେ ୧୮ ବର୍ଷ ପୂର୍ବରୁ ବିବାହ ସର୍ବାଧିକ ହେଉଛି। ଏଥିମଧ୍ୟରେ ୧୩ ପ୍ରକାର ଆଦିମ ଜନଜାତିଙ୍କ ମଧ୍ୟରେ ବାଲ୍ୟ ବିବାହ ବହୁଳ ଭାବରେ ଦେଖାଯାଉଛି।

୪ ବର୍ଷରେ ୮୫୨ ଜଣଙ୍କୁ ଆର୍ଥିକ ପ୍ରୋତ୍ସାହନ

ରାୟଗଡ଼ାର ଡଙ୍ଗରିଆ କନ୍ଧ, ମାଲକାନଗିରିର ବଣ୍ଡା, ଦିଦାଇ, କଳାହାଣ୍ଡି, କନ୍ଧମାଳର କୁଟିଆ କନ୍ଧ, ନୂଆପଡ଼ାର ଚୁକୁଟିଆ ଭୁଞ୍ଜିଆ, ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼ର ପାଉଡ଼ି ଭୂୟାଁ, କେନ୍ଦୁଝରର ଜୁଆଙ୍ଗ, ମୟୂରଭଞ୍ଜର ଲୋଧା, ଗଜପତି, ଗଞ୍ଜାମର ସୌରା ଏବଂ ଲାଞ୍ଜିଆ ସୌରାଙ୍କ ମଧ୍ୟରେ ୧୪ରୁ୧୫ ବର୍ଷ ମଧ୍ୟରେ ଝିଅମାନେ ବିବାହ କରୁଥିବା ନେଇ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ମତ ଦେଉଛନ୍ତି। ଏଥିଯୋଗୁଁ ଏହି ସମୁଦାୟ ମଧ୍ୟରେ ମାତୃମୃତ୍ୟୁ ଏବଂ ଶିଶୁ ମୃତ୍ୟୁ ହାର ବୃଦ୍ଧି ସହିତ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୧୮ ବର୍ଷ ପରେ ବିବାହ କଲେ ଝିଅମାନଙ୍କୁ ଆର୍ଥିକ ପ୍ରୋତ୍ସାହନ କାର୍ଯ୍ୟକ୍ରମ ୨୦୧୮ ମସିହାରେ ଓପିଲିପି ପକ୍ଷରୁ ଆରମ୍ଭ କରାଯାଇଛି।

ଗ୍ରାମ୍ୟ ବିକାଶ କମିଟି ପକ୍ଷରୁ ୧୮ ବର୍ଷ ପରେ ବିବାହ କରୁଥିବା ଝିଅଙ୍କୁ ଚିହ୍ନଟ କରାଯାଉଛି। ସରପଞ୍ଚଙ୍କ ଅନୁମୋଦନ ପରେ ଓପିଲିପି ପକ୍ଷରୁ ଟଙ୍କା ଦିଆଯାଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଏହି ସମୁଦାୟଙ୍କ ପାଖରେ ବିକାଶ ପହଞ୍ଚି ନାହିଁ। ଶିକ୍ଷା ଏବଂ ସ୍ବାସ୍ଥ୍ୟ ଅପହଞ୍ଚ ହୋଇ ରହିଛି। ଏଥିଯୋଗୁଁ ସେମାନଙ୍କ ମଧ୍ୟରେ ଆଜି ବି ବାଲ୍ୟ ବିବାହ ହେଉଥିବା ନେଇ ଗବେଷକମାନେ ମତ ଦେଇଛନ୍ତି। ଆର୍ଥିକ ପ୍ରୋତ୍ସାହନ ପାଇଥିବା ଜିଲ୍ଲାର ଜନଜାତିଙ୍କ ମଧ୍ୟରେ ମୟୂରଭଞ୍ଜ, ମାଲକାନଗିରି, କେନ୍ଦୁଝର, ନୂଆପଡ଼ା, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଜପତି, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ଗଞ୍ଜାମର ଆଦିମ ଜନଜାତି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe