ବନପାଳ-ବନରକ୍ଷୀ ନିଯୁକ୍ତି ପରୀକ୍ଷାରେ ଅଘଟଣ: ଦୌଡ଼ିବା ବେଳେ ୨ପ୍ରାର୍ଥୀଙ୍କ ଜୀବନ ଗଲା

Advertisment

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପରିଚାଳିତ ବନପାଳ, ବନରକ୍ଷୀ ଓ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ପାଇଁ ଯୁଗ୍ମ ଶାରୀରିକ ପରୀକ୍ଷା ବେଳେ ଘଟିଛି ଅଘଟଣ।

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପରିଚାଳିତ ବନପାଳ, ବନରକ୍ଷୀ ଓ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ପାଇଁ ଯୁଗ୍ମ ଶାରୀରିକ ପରୀକ୍ଷା ବେଳେ ଘଟିଛି ଅଘଟଣ।

Dead

ସୁନ୍ଦରଗଡ଼/ସାରନଗରୀ/ବାଲିକୁଦା: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ପରିଚାଳିତ ବନପାଳ, ବନରକ୍ଷୀ ଓ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ପାଇଁ ଯୁଗ୍ମ ଶାରୀରିକ ପରୀକ୍ଷା ବେଳେ ଘଟିଛି ଅଘଟଣ। ଦୌଡ଼ିବା ବେଳେ ହୃଦ୍‌ଘାତ ଯୋଗୁଁ ୨ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି।  ମୃତକ ଦ୍ବୟ ହେଲେ ରାଉରକେଲା ସେକ୍ଟର ୨୨ ସାରନଗରୀ ଅଞ୍ଚଳର ପ୍ରବୀଣ କୁମାର ପଣ୍ଡା (୩୧) ଓ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅରିଲୋ ପଞ୍ଚାୟତ ମାଳପୁର ଗ୍ରାମର ବୁଦ୍ଧେଶ୍ୱର ଜେନାଙ୍କ ଏକମାତ୍ର ପୁତ୍ର ଜ୍ଞାନରଞ୍ଜନ ଜେନା (୨୮ ବର୍ଷ)।  ପ୍ରାର୍ଥୀ ଦ୍ବୟଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶୋକ ପ୍ରକାଶ କରିବା ସହ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ସାରନଗରୀର ପ୍ରବୀଣ କୁମାର ପଣ୍ଡା ବନପାଳ ଓ ବନରକ୍ଷୀ ପଦ ପାଇଁ ଆବେଦନ କରିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀଙ୍କ ତତ୍ତ୍ବାବଧାନରେ ମଙ୍ଗଳବାର ଶାରୀରିକ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିପାଇଁ ସକାଳ ୬ଟାରେ ରିପୋର୍ଟିଂ ଥିବାବେଳେ ୯ଟାବେଳେ ଦୌଡ଼ (ଶାରୀରିକ ଦକ୍ଷତା ପରୀକ୍ଷା) ଆରମ୍ଭ ହୋଇଥିଲା। ଏଥିପାଇଁ ସେ ରାଉରକେଲାରୁ ତାଙ୍କ ବାପା ଖଦଲ ପଣ୍ଡାଙ୍କ ସହ ସୁନ୍ଦରଗଡ଼ ଆସିଥିଲେ। ଭବାନୀପୁରରୁ ବାରଗାଡ଼ ୨୫ କିଲୋମିଟର ଦୌଡ଼ିବାକୁ ଧାର୍ଯ୍ୟ ହୋଇଥିଲା। ଭବାନୀପୁର କ୍ରୀଡ଼ା କମ୍ପ୍ଲେକ୍ସରୁ ଦୌଡ଼ ଆରମ୍ଭ ହୋଇଥିଲା। ଅନ୍ୟ ପ୍ରାର୍ଥୀମାନଙ୍କ ସହ ପ୍ରବୀଣ ୪ କିଲୋମିଟର ଦୌଡ଼ ସାରିଥିଲେ।  କିରେଇ ନିକଟ ଟସରପଡ଼ିଆ ନିକଟରେ ହଠାତ୍‌ ସେ ଝୁଣ୍ଟିପଡ଼ି ଅଚେତ ହୋଇଯାଇଥିଲେ। ପଛେପଛେ ଆସୁଥିବା ଟାଉନ୍‌ଥାନା ଭାରପ୍ରାପ୍ତ ଅଧିକାରୀ ଅନୀଲ କୁମାର ସାମଲ ତୁରନ୍ତ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ କହିଛନ୍ତି, ପ୍ରାର୍ଥୀ ପ୍ରବୀଣଙ୍କ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ସମୟରେ ସବୁ ଠିକ୍ ଥିଲା। ସେ ସୁସ୍ଥଥିବା କହି ଦୌଡ଼ିବା ପାଇଁ ସ୍ବୀକୃତି ଦେଇଥିଲେ। ହେଲେ କେଉଁ ସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ସେଠାରେ ଉପସ୍ଥିତ ବାପାଙ୍କୁ ହସ୍ତାନ୍ତର କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି।

ସେହିପରି ଫରେଷ୍ଟ ଗାର୍ଡ ପାଇଁ ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଥିବା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଗତକାଲି ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିଲା। ବାଲିକୁଦା ଥାନା ଅନ୍ତର୍ଗତ ଅରିଲୋ ପଞ୍ଚାୟତ ମାଳପୁର ଗ୍ରାମର ବୁଦ୍ଧେଶ୍ୱର ଜେନାଙ୍କ ଏକମାତ୍ର ପୁତ୍ର ଜ୍ଞାନରଞ୍ଜନ ଜେନା (୨୮ ବର୍ଷ)  ପୂର୍ବରୁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଶାରୀରିକ ପରୀକ୍ଷା ପାଇଁ ଅନ୍ୟ ଆଶାୟୀଙ୍କ ସହ ପଡ଼ିଆରେ ଦୌଡ଼ିଥିଲେ। କିଛି କିଲୋମିଟର ଦୌଡ଼ିବା ପରେ ସେ ହଠାତ୍ ପଡ଼ିଆରେ ବେହୋସ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅଧିକାରୀ ତାଙ୍କୁ ପ୍ରଥମେ ଜଗତସିଂହପୁର ଡାକ୍ତରଖାନାକୁ ନେଇଥିଲେ। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ଞାନଙ୍କର ଆଜି ଅପରାହ୍ଣରେ ମୃତ୍ୟୁ ଘଟିଛି।  କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଜ୍ଞାନଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆସନ୍ତାକାଲି ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe