ଡାକ୍ତରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ଭୀମଭୋଇ ମେଡିକାଲ କଲେଜ ପୁଲିସ ଛାଉଣି

Advertisment

୨ ଆକ୍ରମଣକାରୀ ଗିରଫ

୨ ଆକ୍ରମଣକାରୀ ଗିରଫ

ଡାକ୍ତରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ଭୀମଭୋଇ ମେଡିକାଲ କଲେଜ ପୁଲିସ ଛାଉଣି

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ହସ୍‌ପିଟାଲର ହାଉସ୍ ସର୍ଜନ ଡା. ବିଶ୍ବରଞ୍ଜନ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଆଜି ଦିନ ତମାମ ମେଡିକାଲ ପରିସର ଅଶାନ୍ତ ରହିଥିଲା। ମେଡିକାଲ ଛାତ୍ରମାନେ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଅଡ଼ି ବସିଥିବା ବେଳେ ସମସ୍ତ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ୍‌ ଗୁଡ଼ାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମେଡିକାଲ ଗେଟରେ ଧାରଣା ଦେଇଥିଲେ। ମେଡିକାଲ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପୁଲିସ ନାକେଦମ ହୋଇଥିଲା। ପରେ ଘଟଣାସ୍ଥଳରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍‌ପି ଋଷିକେଶ ଖିଲାରି, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଏସ୍‌ଡିପିଓ ତୋଫାନ ବାଗ, ଆଇଆଇସି ବିଶ୍ବଜିତ ମନବୋଧ, ମେଡିକାଲ ଅଧୀକ୍ଷକ ଡ. ମାନସୀ ପଣ୍ଡା ପ୍ରମୁଖ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

ଅପରପକ୍ଷେ ପୁଲିସ ଏହି ଘଟଣାକୁ ଗୁରୁତ୍ବ ଦେଇ ମେଡିକାଲ କଲେଜ ହସପିଟାଲରେ ଶାନ୍ତି ବ୍ୟାହତ ହେବା ଆଶଙ୍କାରେ ବ୍ୟାପକ ପୁଲିସ ମୁତୟନ କରିଥିଲା। ଗତକାଲି ଜଣେ ମହିଳା ରୋଗୀଙ୍କ ଗର୍ଭପାତ ଚିକିତ୍ସା ପାଇଁ ପରୀକ୍ଷା କରିବା ଘଟଣାକୁ ନେଇ ଏହି ଅଘଟଣ ଘଟିଥିବା କୁହାଯାଉଛି। ଏସ୍‌ପି ଶ୍ରୀ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ଏକାଧିକ ଟିମ୍‌ ଗଠନ କରାଯାଇ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନକୁ ପଠା ଯାଇଥିଲା। ସାଇବର ସେଲ୍‌ ଓ ସିସିଟିଭି ଫୁଟେଜକୁ ନେଇ ଆକ୍ରମଣକାରୀଙ୍କ ଗତିବିଧି ଦେଖିବା ପାଇଁ ଚାରିଆଡ଼େ ପୁଲିସ ଜାଲ ବିଛାଇଥିଲା। ପଡ଼ୋଶୀ ଜିଲ୍ଲାର ପୁଲିସକୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା। ଆଜି ଅପରାହ୍ନରେ ପୁଲିସର ଏକ ଟିମ୍‌ ଆକ୍ରମଣକାରୀ ଯୁବକ ଦ୍ବୟଙ୍କୁ ବୌଦ୍ଧ-କନ୍ଧମାଳ ସୀମା ନିକଟରୁ ଧରିଥିବା ବେଳେ ସେମାନେ ଆକ୍ରମଣ ସମୟରେ ବ୍ୟବହାର କରିଥିବା ବାଇକକୁ ମଧ୍ୟ ଜବତ କରାଯାଇଛି।

ଅଭିଯୁକ୍ତ ଦ୍ବୟ ବଲାଙ୍ଗୀର ଚଁଟିଆପାଲିର ସମୀର ବଡ଼ମାଳୀ ଓ ଶାନ୍ତିପଡ଼ାର ଲିପୁନ ସାହୁ ବୋଲି ଜଣାପଡ଼ିଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତମାନେ ଅପରାଧୀ ଶ୍ରେଣୀର ବୋଲି ଏସ୍‌ପି ଶ୍ରୀ ଖିଲାରୀ କହିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଏକ ଡକାୟତି ମାମଲାରେ ପୂର୍ବରୁ ଜେଲ ମଧ୍ୟ ଯାଇଥିବା ସେ କହିଛନ୍ତି। ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଡାକ୍ତର ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ଦର୍ଶାଇ ଡାକ୍ତରଙ୍କ ନାଁରେ ଏତଲା ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଆହତ ଡାକ୍ତର ସାହୁଙ୍କ ଅବସ୍ଥା ସ୍ଥିର ଥିବା ଓ ତାଙ୍କ ଚିକିତ୍ସା ଜାରି ରହିଥିବା ପରିବାର ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe