ବହୁଚର୍ଚ୍ଚିତ ଓଡ଼ଗାଁ ଡବଲମର୍ଡର ଘଟଣା: ହତ୍ୟାକାରୀକୁ ଫାଶୀଦଣ୍ଡାଦେଶ

Advertisment
ବହୁଚର୍ଚ୍ଚିତ ଓଡ଼ଗାଁ ଡବଲମର୍ଡର ଘଟଣା: ହତ୍ୟାକାରୀକୁ ଫାଶୀଦଣ୍ଡାଦେଶ

ଓଡ଼ଗାଁ: ୨୦୧୯ ମସିହାର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି। ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମାନସ ରଞ୍ଜନ ରଥ ଆସାମୀ ନିରଞ୍ଜନ ମଳିକକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିବର୍ଷ ଜାନୁଆରି ମାସ ୧୭ ତାରିଖ ବିଳମ୍ବିତ ରାତିରେ ଓଡ଼ଗାଁ କୃଷକବଜାର ରାତ୍ର ଜଗୁଆଳି ରଙ୍ଗଣୀପାଟଣା ଜାମୁସାହି ଗ୍ରାମର ତ୍ରିଲୋଚନ ସେଠୀ ବସ୍‌ଷ୍ଟାଣ୍ଡ୍‌ ନିକଟରେ ଠିଆ ହୋଇଥିବା ବେଳେ ସାକେରୀ ପଞ୍ଚାୟତ କୁଶଢ଼ିପି ଗ୍ରାମର ନିରଞ୍ଜନ ମଳିକ ଓରଫ ନଣ୍ଡା ଏକ କାଠ ଫାଳିଆରେ ପିଟି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲା। ଏହି ଘଟଣା ଘଟାଇ ସାରିବା ପରେ ସେହି ରାତି ୩ଟା ସମୟରେ ଅଭିଯୁକ୍ତ ନିରଞ୍ଜନ ସିନେମାହଲ ଛକର ବଦନୀ ପ୍ରଧାନଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ଝିଅ ସୁଲୋଚନା ପ୍ରଧାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ବଦନୀଙ୍କର ମୃତ୍ୟୁ ଘଟିଥିଲା। ଝିଅ ସୁଲୋଚନା ଗୁରୁତର ଭାବେ ଆହତ ହୋଇଥିଲେ। କେବଳ ସେତିକିରେ ରକ୍ତମୁଖା ନିରଞ୍ଜନ ଶାନ୍ତ ହୋଇନଥିଲା। ସେଦିନ ରାତିରେ ଓଡ଼ଗାଁର ଦାମୋଦର ସାହୁ ଓ ଅମୁଲି ବାରିକଙ୍କୁ ମଧ୍ୟ ନିରଞ୍ଜନ ପ୍ରାଣାନ୍ତକ ଆକ୍ରମଣ କରିଥିଲା।

ଏହି ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଭିଯୁକ୍ତକୁ କାବୁ କରିବାକୁ ଯାଇ ତତ୍କାଳୀନ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ମଧ୍ୟ ପଥର ମାଡ଼ରେ ଆହତ ହୋଇଥିଲେ। ଅଭିଯୁକ୍ତର ଗିରଫ ଦାବି ଓ ମୃତକଙ୍କ ପରିବାରକୁ ସହାୟତା ଦାବିରେ ସ୍ଥାନୀୟ ଲୋକେ ଭୁବନେଶ୍ୱର-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ୯ ଘଣ୍ଟା ଧରି ଅବରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ସମେତ ଆହତଙ୍କୁ ସରକାରୀ ଖର୍ଚ୍ଚରେ ଚିକିତ୍ସା କରିବା ପାଇଁ ଘୋଷଣା କରିବା ପରେ ରାସ୍ତାରୋକ ହଟିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା ୨୭ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ ଏବଂ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ଆଜି ଅଭିଯୁକ୍ତକୁ ଫାଶୀଦଣ୍ତରେ ଦଣ୍ତିତ କକରାଯାଇଛି। ସରକାରଙ୍କ ତରଫରୁ ଅତିରିକ୍ତ ପିପି ଇନ୍ଦୁଭୂଷଣ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe