ଚଳନ୍ତା ବସ୍‌ରୁ ଯୁବକ ଡେଇଁବା ଘଟଣା; ମିଳୁନି ସନ୍ଧାନ

Advertisment
ଚଳନ୍ତା ବସ୍‌ରୁ ଯୁବକ ଡେଇଁବା ଘଟଣା; ମିଳୁନି ସନ୍ଧାନ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା କୋଳିମାଟି ଠାରେ ଚଳନ୍ତା ବସରୁ ଡେଇଁ ପଡ଼ିଥିବା ଯୁବକ ସୁନିଆ ଜୁଆଙ୍ଗ(୨୪)ଙ୍କର ଅଦ୍ୟାବଧି କୌଣସି ସନ୍ଧାନ ମିଳିନାହିଁ। ପୁଲିସ୍, ଅଗ୍ନିଶମ ବାହିନୀ, ପରିବାରଲୋକ ଓ ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସୁନିଆଙ୍କର ପତ୍ତା ମିଳିନାହିଁ।  ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ କୁଢିପଶା ପଞ୍ଚାୟତ ଦୁଆରଶୁଣି ଗ୍ରାମର ସୁନିଆ ନିଜ ପତ୍ନୀ ନୀଳାନ୍ଦ୍ରି ଜୁଆଙ୍ଗ, ଛୋଟପିଲା, ବଡ଼ଭାଇ ଲୋଚନ ଜୁଆଙ୍ଗ ଓ ଗ୍ରାମର ଅନ୍ୟ ଦୁଇଜଣଙ୍କ ସହିତ କେରଳକୁ କାମଧନ୍ଦା ପାଇଁ ଟ୍ରେନରେ ଯାଉଥିଲେ।

ତେବେ ରାସ୍ତାରେ ହଠାତ୍ ସୁନିଆ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ଆଚରଣ କରିବାରୁ ସେମାନେ ତିରୁପତି ନିକଟରୁ ବାଧ୍ୟହୋଇ ଘରକୁ ଫେରୁଥିଲେ। ରାସ୍ତାରେ ଟ୍ରେନରୁ ଡେଇଁବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ସମ୍ପର୍କୀୟ କହିଛନ୍ତି। ଗତକାଲି ରାତିରେ ଏକ ‌ଘରୋଇ ଯାତ୍ରୀବାହୀ ବସରେ ଫେରୁଥିବାବେଳେ ରାତି ୯.୧୦ମିନିଟ୍ ସମୟରେ କୋଳିମାଟି ଠାରେ ହଠାତ୍ ତଳକୁ ଡେଇଁ ପଡିଥିଲେ। ବସଯାତ୍ରୀମାନେ ବହୁ ସମୟ ଖୋଜାଖୋଜି କରିବାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମଧ୍ୟ ଖୋଜାଖୋଜି କରି ନପାଇବାରୁ ପରିବାର‌ଲୋକେ ଘସିପୁରା ଫେରି ଆସିଥିଲେ। ସକାଳୁ ପୁଲିସ୍, ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରେ ଜଙ୍ଗଲ ମଧ୍ୟରେ ଖୋଜିଥିଲେ ମଧ୍ୟ ସୁନିଆର କୌଣସି ସନ୍ଧାନ ମିଳି ନଥିଲା।  ସେ ସକାଳେ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା କିଛି ଲୋକ କହୁଥିବା ନେଇ ଥାନା ଅଧିକାରୀ ବିକ୍ରମ କେଶରୀ ଭୂୟାଁ କହିଛନ୍ତି। ପୁଲିସ୍ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଖୋଜିବାକୁ ଉଦ୍ୟମ କରାଯାଉଛି। ସୁନିଆଙ୍କୁ ନପାଇ ପରିବାର ଲୋକେ ଥାନାରେ ଏତଲା ଦେଇ ଘରକୁ ଫେରି ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe