ସୁନ୍ଦରଗଡ଼: ମୃତ୍ୟୁ କେତେବେଳେ ଓ କେମିତି ଆସିବ, ତାହା ଏବେ ବି ରହସ୍ୟ ହୋଇ ରହିଛି। ମନ୍ଦିର ଯିବା ବାଟରେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ମହିଳାଙ୍କ ସମେତ ଜଣେ ଯୁବକ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଯୁବକଜଣକ ଗୁରୁତର ଅଛନ୍ତି। ଏହାସହ ଜଣେ କାଠୁରିଆ ମଧ୍ୟ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଜି ଦିନ ୧୧ଟାରେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ତିଲଡେଗା ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ମହିଳାହେଲେ ଗାଇଡେଗା ଗ୍ରାମର ଦେବକୀ ରଣା (୫୨)।
ବୁଧବାର ଶିବରାତ୍ରି ଥିବାବେଳେ ଦେବକୀ ନିଜ ନାତିଙ୍କ ସହ ବାଇକ୍ରେ ପାଖ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ନିକଟ ଜଙ୍ଗଲକୁ ଯାଇଥିବା ଜଣେ କାଠୁରିଆ ହରି ଖଡ଼ିଆ (୭୨)ଙ୍କୁ ହଠାତ ବାଘୁଆ ମହୁମାଛି ଆକ୍ରମଣ କରିଥିଲେ। ଏହା ପରେ ମହୁମାଛିପଲ ଗାଁ ଆଡ଼କୁ ମାଡ଼ି ଆସିଥିଲେ। ହାବୁଡ଼ରେ ପଡ଼ିଥିଲେ ବାଇକ୍ରେ ଯାଉଥିବା ଦେବକୀ ଓ ନାତି। ମହୁମାଛିପଲ ଗୋଡ଼ାଇ ଗୋଡ଼ାଇ ଉଭୟଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ସେମାନେ ଭାରସାମ୍ୟ ହରାଇ ବାଇକ୍ ସହ ଗଛରେ ପିଟିହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ହରିଙ୍କ ସହ ଦେବକୀ ଓ ତାଙ୍କ ନାତିଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଦେବକୀଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ।
Follow Us