ଆୟକର ଚଢ଼ଉ ମାମଲା: ୭ ଠିକାଦାରଙ୍କ ୩୧୮ କୋଟିର କଳାଧନ

ଆୟକର ବିଭାଗ ପକ୍ଷରୁ ଏକକାଳୀନ ୭ ଠିକାଦାରଙ୍କ ଘରେ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଜାଗାରେ ଚଢ଼ଉ କରାଯାଇଛି। ସମଗ୍ର ରାଜ୍ୟରେ ପ୍ରାୟ ୪୫ ଜାଗାରେ ଆୟକର ବିଭାଗ ସ୍କ୍ବାଡ୍‌ ଖୋଳତାଡ଼ କରିଛି।

bh

ଭୁବନେଶ୍ବର: ଆୟକର ବିଭାଗ ପକ୍ଷରୁ ଏକକାଳୀନ ୭ ଠିକାଦାରଙ୍କ ଘରେ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଜାଗାରେ ଚଢ଼ଉ କରାଯାଇଛି। ସମଗ୍ର ରାଜ୍ୟରେ ପ୍ରାୟ ୪୫ ଜାଗାରେ ଆୟକର ବିଭାଗ ସ୍କ୍ବାଡ୍‌ ଖୋଳତାଡ଼ କରିଛି। ୧୭ ତାରିଖରୁ ଏହି ଚଢ଼ଉ ଚାଲିଥିଲା। ଆୟକର ଫାଙ୍କିଥିବା ଓ ବିପୁଳ କଳାଧନ ଠାବ କରିଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଏହି ଚଢ଼ଉ ବାବଦରେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କିନ୍ତୁ ଏହି ସବୁ ଠିକାଦାରଙ୍କ ନିକଟରେ ପାଖାପାଖି ୩୧୮ କୋଟି ଟଙ୍କାର କଳାଧନ ଠାବ କରାଯାଇଥିବା ଜଣାପଡ଼ିଛି। ଏମିତିକି କେବଳ ଜଣେ ଠିକାଦାରଙ୍କ ମାଲିକାନାରେ ପ୍ରାୟ ୧୨୫ କୋଟି ଟଙ୍କାର କଳାଧନ ଠୁଳ ହୋଇଥିବା ଜଣାପଡ଼ିଛି। ଏସବୁ ‌ସମ୍ପତ୍ତି ଉପରେ ଜବାବ ରଖିବାକୁ ଆୟକର ବିଭାଗ ୭ ଠିକାଦାରଙ୍କୁ ସମନ କରିଛି। 

ଜଣେ ଠିକାଦାରଙ୍କ ପାଖରୁ ୧୨୫ କୋଟି ଠାବ
ଜବାବ ଦାଖଲ ପାଇଁ ସମନ, ଜମି କିଣାବିକାର ଖୋଳତାଡ଼ ହେବ

ଆୟକର ଫାନ୍ଦରେ ଫସିଥିବା ଠିକାଦାରମାନେ କଳାଧନକୁ ଜମି, ଘର, ରିସର୍ଟ ଓ ସୁନା କିଣାରେ ବିନିଯୋଗ କରିଥିବା ଜଣାପଡ଼ିଛି। ଜମି କିଣାବିକାରେ ବ୍ୟାପକ ଅନିୟମିତା ଥିବା ଖୋଳତାଡ଼ରୁ ଜଣାପଡ଼ିଛି। କଳାଧନକୁ ଧଳା କରିବା ଲାଗି ଜମି କିଣା ବେଶ୍‌ ଭଲ ମାଧ୍ୟମ ହୋଇଥିବାରୁ ଏହି ଠିକାଦାରମାନେ ବହୁ ପରିମାଣର ଜମି କିଣିଛନ୍ତି। ସେ ସଂକ୍ରାନ୍ତୀୟ ବହୁ ଦଲିଲ ଜବତ କରାଯାଇଛି। ସରକାରୀ ରେଜିଷ୍ଟ୍ରେସନ୍‌ ଫି କମ୍ ପଡ଼ୁଥିବା ବେଳେ ଏମାନେ ଜମି ମାଲିକଙ୍କୁ ଅଧିକ ଟଙ୍କା ଗଣିଛନ୍ତି ଏବଂ ସେସବୁ ନଗଦ ଆକାରରେ ଦିଆଯାଇଛି। ତେଣୁ ଏହି ଛାନ୍‌ଭିନ୍‌ରେ ଆୟକର ବିଭାଗର ଅଧିକାରୀମାନେ ଜମି ବିକ୍ରେତାମାନଙ୍କୁ ପଚରାଉଚରା କରିବେ ବୋଲି ‌ଯୋଜନା କରିଛନ୍ତି। ସେହିଭଳି ଠିକାଦାରମାନଙ୍କ ମୋବାଇଲ୍‌କୁ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇ ଯାଞ୍ଚ କରାଇବାକୁ ସ୍ଥିର କରାଯାଇଛି। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସ, ରାହୁଲ ମିଶ୍ର, ଲାଲ୍‌ମୋହନ ପଣ୍ଡା, ସନ୍ତୋଷ ମିଶ୍ର, ଜଗଦୀପ୍‌ ବଂଶଲ, ସଞ୍ଜୟ ଅଗ୍ରୱାଲ୍‌ ଓ ତାଙ୍କ ଭାଇ କହ୍ନେୟା ଅଗ୍ରୱାଲ୍‌ଙ୍କ ବିଭିନ୍ନ ଠିକଣାରେ ଆୟକର ଚଢ଼ଉ ହୋଇଥିଲା। ବ୍ରଜକିଶୋରଙ୍କ ସମ୍ବଲପୁରସ୍ଥିତ ଘର, କାର୍ଯ୍ୟାଳୟ ସମେତ ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗୀର, କଣ୍ଟାବାଞ୍ଜି, ବୌଦ୍ଧ, ସୋନପୁର, ରାୟପୁର ଓ ଝାରସୁଗୁଡ଼ାରେ ଚଢ଼ଉ କରାଯାଇଥିଲା। କିଛି ଠିକାଦାରଙ୍କ ନିକଟରୁ ପ୍ରାୟ ୨.୫ କୋଟି ଟଙ୍କା ଓ ୧ କେଜି ୧୦୦ ଗ୍ରାମ୍‌ ସୁନା ଜବତ ହୋଇଛି। ପ୍ରଥମ ଦିନ କୋଟିଏ ୭୦ ଲକ୍ଷ ଟଙ୍କା ଓ କିଛି ସୁନା ଜବତ ହୋଇଥିଲା। ଏମାନେ ପାଇଥିବା ରାସ୍ତା, ଜାତୀୟ ରାଜପଥ, ବ୍ରିଜ୍‌ ଓ ରେଳବାଇ ଠିକା କାମର ସମସ୍ତ ଦସ୍ତାବିଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe