ଝାରସୁଗୁଡ଼ାରେ ଆୟକର ଚଢ଼ଉ: ଏସ୍‌ବିଆଇରେ ଜମାହେଲା ୧ କୋଟି

Advertisment
ଝାରସୁଗୁଡ଼ାରେ ଆୟକର ଚଢ଼ଉ: ଏସ୍‌ବିଆଇରେ ଜମାହେଲା ୧ କୋଟି

ଝାରସୁଗୁଡ଼ା: ରାତି ପାହିଲେ ଝାରସୁଗୁଡ଼ା ଜିଲ୍ଲାରେ ମତଦାନ ହେବ।  କିନ୍ତୁ ୨ ଦିନ ପୂର୍ବେ ଜିଲ୍ଲାରେ ଆରମ୍ଭ ହୋଇଥିବା ଆୟକର ବିଭାଗର ଛାନ୍‌ଭିନ୍‌ ଏବେ ବି ଜାରି ରହିଛି। ଇତିମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଶନିବାର ସନ୍ଧ୍ୟାରେ ଆୟକର ବିଭାଗ ବେହେରାମାଲସ୍ଥିତ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଶାଖାରେ ନଗଦ ଏକ କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି। ଏହି ଟଙ୍କା କାହାଠାରୁ ଜବତ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ତେବେ ୩ ଦିନ ଧରି ଝାରସୁଗୁଡ଼ାରେ ଚାଲିଥିବା ଚଢ଼ଉରୁ ଏହି ଟଙ୍କା ମିଳିଥିବା ସନ୍ଦେହ କରାଯାଉଛି।

ବ୍ୟାଙ୍କ୍‌ର ଜଣେ କର୍ମଚାରୀଙ୍କ ସୂଚନା ଅନୁସାରେ, ଗତକା‌ଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଆୟକର ବିଭାଗର ୪ଜଣିଆ ଟିମ୍‌ ବ୍ୟାଙ୍କ୍‌ରେ ପହଞ୍ଚି ମ୍ୟାନେଜରଙ୍କୁ ଦେଖା କରିଥିଲେ। ଏହାପରେ ସେମାନେ ଏକ ଟ୍ରଲି ବ୍ୟାଗ୍‌ରେ ଆଣିଥିବା ନଗଦ ୧ କୋଟି ଟଙ୍କାର ୫ଶହ ଟଙ୍କିଆ ବିଡ଼ା ବ୍ୟାଙ୍କ୍‌ରେ ଜମା ଦେବା ପରେ ସେଠାରୁ ଚାଲି ଯାଇଥିଲେ। ଏହା ପୂର୍ବରୁ କି ପରଠାରୁ ଆୟକର ବିଭାଗ ଆଉ ଟଙ୍କା ଜମା କରିନଥିବା ଜଣାପଡ଼ିଛି। ଏହି ୩ ଦିନ ଭିତରେ ଆୟକର ବିଭାଗ ବିଶାଳ ଦାସଙ୍କୁ ପଚରାଉଚରା‌ କରିବା ସହିତ ତାଙ୍କ ଘରେ ଛାନ୍‌ଭିନ୍‌ କରିଥିଲା। ଏହାସହିତ ଶ୍ରୀ ଦାସଙ୍କ ବ୍ୟବସାୟିକ ସହଯୋଗୀଙ୍କ ଘରେ ବି ଆୟକର ବିଭାଗ ଘନଘନ ଚଢ଼ଉ କରି କେଉଁଠୁ ମୋବାଇଲ୍‌ ତ କେଉଁଠୁ ଲାପ୍‌ଟପ୍‌ ଜବତ କରିଥିଲା। ଅର୍ଡାସ୍ଥିତ ଚଢ଼ଉରୁ ୧ ଲକ୍ଷ ଟଙ୍କା ଓ ଶ୍ରୀ ଦାସଙ୍କ କାର୍ଯ୍ୟାଳୟର କର୍ମଚାରୀ ଆଶିଷ ଦାସଙ୍କ କୋଲାବିରାସ୍ଥିତ ଘରୁ ମଧ୍ୟ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଆୟକର ବିଭାଗ ବିଶାଳ ଦାସଙ୍କଠାରୁ କୌଣସି ଟଙ୍କା ପାଇଛି ନା ନାହିଁ ତାହା ବି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି। ସେପଟେ, କୋଲାବିରାସ୍ଥିତ ଆଶିଷ ଦାସଙ୍କ ଘରେ ଓ ଅର୍ଡାସ୍ଥିତ ମଳୟ ସାହୁଙ୍କ ଘରେ ଗତକାଲି ସନ୍ଧ୍ୟା ଯାଏ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଆଜି ଚଢ଼ଉ ଥମି ନଥିବା ବେଳେ ଆଜି ବି ଝାରସୁଗୁଡ଼ାରେ ଆୟକର ବିଭାଗର ଏକ ଟିମ୍‌ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବା ଚିତ୍ର ସାମ୍ନାକୁ ଆସିଛି। କିନ୍ତୁ ଖବର ଲେଖାହେବା ଯାଏ ତମାମ୍‌ ଚଢ଼ଉରୁ କ’ଣ ମିଳିଛି ସେନେଇ ଆୟକର ବିଭାଗ ପକ୍ଷରୁ ‌ସୂଚନା ପ୍ରଦାନ କରାଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe