ଡିଏନ୍ ଗ୍ରୁପରେ ଆୟକର ଚଢ଼ଉ: ନଗଦ ୩୦ କୋଟି ଟଙ୍କା ଜବତ, ୨୩ ସ୍ଥାନରେ ଚାଲିଛି ଚଢ଼ଉ

୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ, ଲକର୍ ଚାଲିଛି ଯାଞ୍ଚ, ଖୁବ୍‌ଶୀଘ୍ର ଇଡି କରିବ ଛାନ୍‌ଭିନ୍

ଡିଏନ୍ ଗ୍ରୁପରେ ଆୟକର ଚଢ଼ଉ: ନଗଦ ୩୦ କୋଟି ଟଙ୍କା ଜବତ, ୨୩ ସ୍ଥାନରେ ଚାଲିଛି ଚଢ଼ଉ

ଭୁବନେଶ୍ବର: ଟିକସ ଫାଙ୍କି ଅଭିଯୋଗରେ ଡିଏନ୍ ଗ୍ରୁପ ଉପରେ ଚଢ଼ଉ କରିଛି ଆୟକର ବିଭାଗ। ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆୟକର ବିଭାଗର ୭ଟି ଟିମ୍ ଚଢ଼ଉ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ଆଜି ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା। ୟୁନିଟ୍-୪ରେ ଥିବା ପୋଷ୍ଟାଲ କଲୋନିରେ ରହୁଥିବା ଡିଏନ୍ ଗ୍ରୁପ୍ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କର ଘର ଖଟ ତଳେ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା। ସେଥିରୁ କେବ​ଳ ୫ ଶହ ଟଙ୍କିଆ ବିଡ଼ା ମିଳିଥିଲା। ଏହା ପରେ କର୍ମଚାରୀ ଚନ୍ଦ୍ରଶେଖର ଓ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି। ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ତଦନ୍ତକାରୀ ଟିମ୍।

୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନି ଆରମ୍ଭ ହୋଇଥିଲା। ବିଲ୍ଡର୍ସ ଓ କନଷ୍ଟ୍ରକସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନିର ଏକାଧିକ ସଂସ୍ଥା ରହିଛି। ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ଆୟକର ବିଭାଗର ଟିମ୍ ତଦନ୍ତ ଜାରି ରଖିଥିବା ବେଳେ ଆଗାମୀ ଦିନେ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ଚଢ଼ଉ ଚାଲିବ ବୋଲି ଜଣାପଡ଼ିଛି। ସେହିପରି ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି। ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍‌କୁ ଯାଞ୍ଚ କରାଯିବ।

ଅନ୍ୟପକ୍ଷରେ ନଗଦ ପ୍ରାୟ ୩୦ କୋଟି ଟଙ୍କା ମିଳିଥିବାରୁ ଏ ସଂକ୍ରାନ୍ତରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି ଜଣାପଡ଼ିଛି। ଆୟକର ବିଭାଗ ଠାରୁ ଇଡି ବିଧିବଦ୍ଧ ଭାବେ ସୂଚନା ପାଇବା ପରେ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଆଜିର ଚଢ଼ଉ ସଂକ୍ରାନ୍ତରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe