ବାଲୁଗାଁ : ବାଲୁଗାଁ-ବାଣପୁର ଲୋକଙ୍କ ଦୀର୍ଘ ଦିନର ଦାବି ପରେ ବାଲୁଗାଁ ନିକଟରେ ବାଣପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ଏକ ରେଲୱେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ। ମାତ୍ର ୧ ବର୍ଷ ମଧ୍ୟରେ ଏହି ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଠିକା ନେଇଥିବା ଠିକାଦାର ସଂସ୍ଥା ଏହାକୁ ଅଧପନ୍ତରିଆ ଅବସ୍ଥାରେ ପକାଇ ରଖିଛି। ବର୍ତ୍ତମାନ ଏହି ରେଲୱେ ଓଭରବ୍ରିଜ୍ ଲୋକଙ୍କ ଦୁଃଖର କାରଣ ହୋଇଛି। ୫ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I
ସୂଚନା ଯୋଗ୍ୟ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୩୫କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ଗୃହ ଓ ରାସ୍ତା ନିର୍ମାଣ ବିଭାଗ ଦ୍ବାରା କରାଯାଉଥିବା ଏହି ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ପାଇଁ ଭୁବନେଶ୍ୱରର ଏକ ଠିକାଦାର ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ୨୦୧୫ ମସିହା ମେ ମାସରେ ଆରମ୍ଭ ହୋଇଥିଲା। ଏକ ବର୍ଷ ଅର୍ଥାତ୍ ୨୦୧୬ ମସିହା ମେ ମାସ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାପାଇଁ ଅବଧି ରହିଥିଲା I ମାତ୍ର ଇତି ମଧ୍ୟରେ ୫ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଦାୟିତ୍ୱରେ ଥିବା ଠିକାଦାର ଜାଣୁଶୁଣି ଏହି ଓଭରବ୍ରିଜ ନିର୍ମାଣକୁ ଗୁରୁତ୍ବ ଦେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ରାଜ୍ୟ ଗୃହ ଓ ରାସ୍ତା ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଅଭୟ ଲେଙ୍କାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଠିକାଦାରଙ୍କ ଅବହେଳା ଯୋଗୁଁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି I ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଯଦି ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ଆସନ୍ତା ୧୫ ଦିନ ମଧ୍ୟରେ ତ୍ବରାନ୍ବିତ କରା ନ ଯାଏ ତେବେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
Follow Us