The Sunday Guardian
ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷରେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମଲେଖା ହେବ। ପ୍ରଥମ ଥର ଲାଗି ନାମଲେଖା ହେଉଥିବା ଏହି କଲେଜର ୧୦୦ ଏମ୍ବିବିଏସ୍ ସିଟ୍ ପାଇଁ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ(ଏମ୍ସିଆଇ) ଅନୁମତି ଦେଇଛି। ଯଦି ସବୁ କିଛି ଠିକ୍ଠାକ୍ ଚାଲେ ତେବେ ଆଜିଠାରୁ ଆରମ୍ଭ ହୋଇଥିବା ମେଡିକାଲ ନାମଲେଖା ପ୍ରକ୍ରିୟାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ସାମିଲ ହେବ। ଚଏସ୍ ଫିଲିଂ ସମୟରେ ନିଟ୍ ଯୋଗ୍ୟତାଧାରୀ ପିଲାମାନେ ଆବେଦନ କରିପାରିବା ସହ ନାମ ଲେଖାଇପାରିବେ। ଏହାବ୍ୟତୀତ ରାଜ୍ୟର ଆଉ କେତେକ ମେଡିକାଲ କଲେଜର ସିଟ୍ ବୃଦ୍ଧି କରିବାକୁ ବି ପ୍ରସ୍ତାବ ରଖାଯାଇଛି। ମାତ୍ର ଡିଏମ୍ଇଟି କିମ୍ବା ଓଜେଇଇ ପକ୍ଷରୁ ଏ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ଏମ୍ବିବିଏସ୍ ସିଟ୍ ସଂଖ୍ୟା ବୃଦ୍ଧି ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଚଏସ୍ ଫିଲିଂ ସମୟରେ ଚୂଡ଼ାନ୍ତ ସିଟ୍ ତାଲିକା ପ୍ରକାଶ କରାଯିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।
ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ହେବ ନାମଲେଖା
ପ୍ରଥମ ବର୍ଷ ଲାଗି ୧୦୦ ଏମ୍ବିବିଏସ୍ ସିଟ୍ ପାଇଁ ଅନୁମତି
କିଛି କଲେଜ ସିଟ୍ ବୃଦ୍ଧି ପ୍ରସ୍ତାବ ହୋଇପାରେ କାର୍ଯ୍ୟକାରୀ
ମିଳିଥିବା ସୂଚନା ଅନୁଯାୟୀ ଏଥର ରାଜ୍ୟର ମୋଟ ୧୪୫୦ ଏମବିବିଏସ ଓ ୧୬୩ଟି ବିଡିଏସ ସିଟ୍ ପାଇଁ ନାମଲେଖା ହେବ। ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ୧୦୦ ସିଟ୍ ବ୍ୟତୀତ କଟକସ୍ଥିତ ଏସସିବି ଓ ବ୍ରହ୍ମପୁର ଏମକେସିଜିର ୨୫୦ ଲେଖାଏ, ବୁର୍ଲା ଭୀମସାର ୨୦୦, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ୧୨୫ ଲେଖାଏ, ବଲାଙ୍ଗୀର ଓ ବାଲେଶ୍ୱର ମେଡିକାଲ କଲେଜର ୧୦୦ ଲେଖାଏ ସିଟ୍ ପାଇଁ ନାମଲେଖା କରାଯିବ। ହାଇଟେକ୍ ଭୁବନେଶ୍ୱର ଓ ରାଉରକେଲାର ୧୦୦ ଲେଖାଏ ଏମ୍ବିବିଏସ୍ ସିଟ୍କୁ ମିଶାଇ ଏଥର ମୋଟ ୧୪୫୦ ସିଟ୍ ପାଇଁ ନାମାଲେଖା ହେବାକୁ ଯୋଜନା ହୋଇଛି। ସଂଖ୍ୟା ଆହୁରି ବଢ଼ିପାରେ। ସେହିପରି କଟକ ଏସ୍ସିବିର ୬୩ ଓ ହାଇଟେକ୍ ଭୁବନେଶ୍ବରର ଶହେ ବିଡିଏସ୍ ସିଟ୍ ଲାଗି ମଧ୍ୟ ନାମଲେଖା ହେବ। ସରକାରୀ ମେଡିକାଲ କଲେଜର ୮୫% ସିଟ୍ ପାଇଁ ଓଜେଇଇ କାଉନସେଲିଂ କରିବ। ଚଳିତବର୍ଷ ଓଡ଼ିଶାରୁ ୨୨ ହଜାର ଛାତ୍ରଛାତ୍ରୀ ନିଟ୍ରେ କୃତକାର୍ଯ୍ୟ ହୋଇଥିବାରୁ ନାମଲେଖା ସମୟରେ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଅନୁମାନ କରାଯାଉଛି।
ନିଟ୍ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହୋଇଛି। ୧୮ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ସହ ଅନ୍ଲାଇନ୍ ଆବେଦନ, ଫି’ ଦାଖଲ, ଅନ୍ଲାଇନ୍ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିପାରିବେ। ୨୪ ତାରିଖ ସନ୍ଧ୍ୟା ୫ଟାରେ ପ୍ରୋଭିଜନାଲ ରାଜ୍ୟ ମେଧା ତାଲିକା ପ୍ରକାଶ ପାଇବ। ତାଲିକାକୁ ନେଇ ପ୍ରାର୍ଥୀଙ୍କର ଯଦି କୌଣସି ପ୍ରଶ୍ନ ଥିବ ତେବେ ସେମାନେ ୨୫ ଓ ୨୬ ତାରିଖରେ ପ୍ରଶ୍ନ କରିପାରିବେ। ୨୭ ତାରିଖରେ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯିବ। ଚଏସ୍ ଫିଲିଂ, ଆଲଟ୍ମେଣ୍ଟ ଅଫ୍ ସିଟ୍ ଆଦି ସମ୍ପର୍କରେ ପରବର୍ତୀ ସମୟରେ ସୂଚନା ଦିଆଯିବ। ଅଧିକ ତଥ୍ୟ ଲାଗି ଛାତ୍ରଛାତ୍ରୀ www.ojee.nic.in, www.odishajee.com ନିୟମିତ ଦେଖିବାକୁ ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି।
Follow Us