ସୁନ୍ଦରଗଡ଼ ପୌର ନିର୍ବାଚନର ରୋଚକ ଦୃଶ୍ୟ: ଚର୍ଚ୍ଚାରେ ସ୍ବାଧୀନ ପ୍ରାର୍ଥୀ; ନୋଟ୍ ଦିଅ, ଭୋଟ୍ ଦିଅ  

ସୁନ୍ଦରଗଡ଼ ପୌର ନିର୍ବାଚନର ରୋଚକ ଦୃଶ୍ୟ: ଚର୍ଚ୍ଚାରେ ସ୍ବାଧୀନ ପ୍ରାର୍ଥୀ; ନୋଟ୍ ଦିଅ, ଭୋଟ୍ ଦିଅ  

ସୁନ୍ଦରଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୋର୍ ଧରିଥିଲା ଭୋଟ୍ କିଣାବିକା ପ୍ରସଙ୍ଗ। ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡିକ ଘର ଘର ବୁଲି ‘ନୋଟ ନିଅ, ଭୋଟ୍ ଦିଅ’ କହି ଭୋଟରଙ୍କୁ ଟଙ୍କା ଯାଚି ଭୋଟ୍ ମାଗୁଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ସୁନ୍ଦରଗଡ଼ ପୌର ନିର୍ବାଚନରେ ଏହାର ବିପରୀତ ଭିନ୍ନ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଭୋଟରଙ୍କୁ ଟଙ୍କା ଯାଚି ନୁହେଁ, ନିଜେ ଗାମୁଛା ପାତି ଟଙ୍କା ସହ ଭୋଟ୍ ମାଗୁଛନ୍ତି ସ୍ବାଧୀନ ପ୍ରାର୍ଥୀ।

ପୌରାଧ୍ୟକ୍ଷା ଆସନ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବିଜେପି ବିଦ୍ରୋହୀ ପ୍ରାର୍ଥୀ ନିନିମା ପଟେଲ ଦୋକାନ ଓ ଘର ଘର ଭୁଲି ଭୋଟ୍ ମାଗିବା ସହ ନିର୍ବାଚନ ଲଢ଼ିବାକୁ ଅର୍ଥ ସହାୟତା ଲୋଡ଼ିଛନ୍ତି। ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଓ ଯାଞ୍ଚ ଶେଷ ହେବା ପରେ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଦିନରାତି କସରତ ଓ ବୈଠକ ପରେ ବୈଠକ ଜାରି ରହିଛି। ନିଜ ସମର୍ଥକମାନଙ୍କ ସହ ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ବେଳେ ସହରର ବିଭିନ୍ନ ଛକ ଓ ବଜାରରେ ମାଳମାଳ ପୋଷ୍ଟର, ବ୍ୟାନର ଲଗାଯିବା ସହ ଘୂରି ବୁଲୁଛି ପ୍ରଚାର ଗାଡ଼ି। ଏଥିପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆଗକୁ ଭୋଟରଙ୍କ ପାଖକୁ ରାତିଅଧିଆ ଭେଟି ପହଞ୍ଚାଇବାକୁ ମଧ୍ୟ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି।

publive-image

ଏସବୁ ଆଖି ଝଲସା ପ୍ରଚାର ଠାରୁ ଅନେକ ଦୂରରେ ଥିବା ସ୍ବାଧୀନ ପ୍ରାର୍ଥୀ ନିନିମା ତାଙ୍କ ସ୍ବାମୀ ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ଲଢ଼ୁଆ ଚେହେରା ଓ ପୌରାଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଉଠାଇଥିବା ସ୍ବରକୁ ପାଥେୟ କରି ନିର୍ବାଚନ ଲଢ଼ୁଥିବା ପ୍ରକାଶ କରିଛନ୍ତି। ପାଖରେ ରାଜନୈତିକ ଦଳ ଭଳି ଟଙ୍କା ନାହିଁ ଏଣୁ ଲୋକଙ୍କ କାମ କରିବା ପାଇଁ ଲୋକଙ୍କ ଠାରୁ ସାହାଯ୍ୟ ମାଗୁଥିବା ଓ ଜନତା ତାଙ୍କୁ ଆଶୀର୍ବାଦ କରୁଛନ୍ତି ବୋଲି ନିନିମା କହିଛନ୍ତି। ଏହିକ୍ରମରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ସେ ନିଜ କିଛି ସମର୍ଥକଙ୍କୁ ଧରି କଚେରି ରୋଡ ଓ ସୁପରମାର୍କେଟକୁ ଯାଇ ନିର୍ବାଚନ ଲଢ଼ିବାକୁ ଅର୍ଥ ଓ ଭୋଟ ମାଗିଥିଲେ। ବିଜେଡି, ବିଜେପି ପରି ଶକ୍ତିଶାଳୀ ଦଳ ସହ ଲଢ଼ିବାକୁ ସାହସ ଜୁଟାଇଥିବା ଶ୍ରୀମତୀ ପଟେଲଙ୍କ ଏ ଅଭିନବ ପ୍ରଚାର ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe