ଉଡ଼ାନ୍‌ ଯୋଜନାର ୮ ବର୍ଷ ପୂର୍ତ୍ତି ପାଳୁଛି ଦେଶ: ସାମିଲ ହୋଇପାରୁନି ସର୍ବପୁରାତନ ଗୁଦାରି ଏୟାରଷ୍ଟ୍ରିପ୍

ଉଡ଼ାନ୍‌ ଯୋଜନାର ୮ ବର୍ଷ ପୂର୍ତ୍ତି ପାଳନ କରୁଛି ଆମ ଦେଶ। ଛୋଟ ଛୋଟ ସହରକୁ ଏହି ଯୋଜନା ଫଳରେ ବିମାନ ମାର୍ଗ ସଂଯୋଗ ହୋଇପାରିଛି। କିନ୍ତୁ, କନ୍ଧମାଳ ଜିଲ୍ଲାର ସର୍ବପୁରାତନ ଗୁଦାରି ଏୟାରଷ୍ଟ୍ରିପ୍‌କୁ ଉଡାନ୍‌ ଯୋଜନାରେ ସାମିଲ୍‌ କରାଯାଇ ପାରୁନାହିଁ।

sfsfsfsfsfsf

ଫୁଲବାଣୀ: ଉଡ଼ାନ୍‌ ଯୋଜନାର ୮ ବର୍ଷ ପୂର୍ତ୍ତି ପାଳନ କରୁଛି ଆମ ଦେଶ। ଛୋଟ ଛୋଟ ସହରକୁ ଏହି ଯୋଜନା ଫଳରେ ବିମାନ ମାର୍ଗ ସଂଯୋଗ ହୋଇପାରିଛି। କିନ୍ତୁ, କନ୍ଧମାଳ ଜିଲ୍ଲାର ସର୍ବପୁରାତନ ଗୁଦାରି ଏୟାରଷ୍ଟ୍ରିପ୍‌କୁ ଉଡାନ୍‌ ଯୋଜନାରେ ସାମିଲ୍‌ କରାଯାଇ ପାରୁନାହିଁ। ଏହାକୁ ଯୋଜନାରେ ସାମିଲ୍‌ କରାଯିବା ନେଇ ଶାସକ ଓ ବିରୋଧୀ ନିରବ। ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଏୟାରଷ୍ଟ୍ରିପ୍‌କୁ କେବେ ପୂର୍ଣ୍ଣକାଳୀନ ବିମାନ ବନ୍ଦର କରାଯିବ ସେ ନେଇ କନ୍ଧମାଳବାସୀଙ୍କ ମନରେ ପ୍ରଶ୍ନ ଉଠିଛି। 

ଅତୀତରେ ଏହି ଯୋଜନାରେ ରାଜ୍ୟର ଅନେକ ଏୟାରଷ୍ଟ୍ରିପ୍‌ର ବିକାଶ କରାଯାଇ ପୂର୍ଣ୍ଣକାଳୀନ ବିମାନ ବନ୍ଦରର ମାନ୍ୟତା ପ୍ରଦାନ କରାଯାଇଛି। ଜୟପୁର, ମାଲକାନଗିରି, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାର ରାଇସୁଆଁ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ର ବିକାଶ କରାଯାଇଛି। ମାତ୍ର, ଫୁଲବାଣୀ ସହର ଉପକଣ୍ଠରେ ଥିବା ପୁରାତନ ଗୁଦାରି ଏୟାରଷ୍ଟ୍ରିପ୍‌ କଥା ସରକାର ଭୁଲି ଯାଇଛନ୍ତି। ଏବେ ନୂତନ ସରକାର ଏହି ଏୟାରଷ୍ଟ୍ରିପ୍‌ର ବିକାଶ କରି ପୂର୍ଣ୍ଣକାଳୀନ ବିମାନବନ୍ଦର କରାଇବାକୁ ବିଭିନ୍ନ ମହଲରେ ଦାବି ଜୋର୍‌ ଧରିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଗତ ୧୯୯୭ ମସିହାରେ ଫୁଲବାଣୀ ସହର ଉପକଣ୍ଠରେ ଗୁଦାରି ନିକଟରେ ପ୍ରାୟ ପାଞ୍ଚଶହ ଏକର ପରିମିତ ଜମିରେ ଏହି ଏୟାରଷ୍ଟ୍ରିପ୍‌ ନିର୍ମାଣ କରାଯାଇଥିଲା। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ଏୟାରଷ୍ଟ୍ରିପ୍‌ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଏହାର ରନ୍‌ୱେ ମଧ୍ୟ ଖରାପ ହୋଇଗଲାଣି।

ଦୀର୍ଘଦିନ ଧରି ମରାମତି ହୋଇନାହିଁ। ଅନ୍ୟପକ୍ଷରେ ଏୟାରଷ୍ଟ୍ରିପ୍‌ର ଚତୁଃପାର୍ଶ୍ବରେ ସ୍ଥାୟୀ ପାଚେରି ନଥିବାରୁ ଗାଈଗୋରୁଙ୍କ ଅବାଧ ପ୍ରବେଶ। ଏଠାରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ଅଞ୍ଚଳର ଅସାମାଜିକ ଗୋଷ୍ଠୀ ଆଡ଼ା ଓ ମଦ ଆସର ସହ ଭୋଜିଭାତ କରୁଛନ୍ତି। ଅଧିକାଂଶ ସମୟରେ ଏହାର ଗେଟ୍‌ ଖୋଲା ରହୁଥିବାରୁ ଯେକୌଣସି ବ୍ୟକ୍ତି ଏୟାରଷ୍ଟ୍ରିପ୍‌ ମଧ୍ୟକୁ ପ୍ରବେଶ କରୁଛନ୍ତି। ଏହା ମଧ୍ୟରେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ଜିଲ୍ଲାର ଦାରିଙ୍ଗିବାଡ଼ି, ବେଲଘର, ମଣ୍ଡାସରୁକୁଟି, ଲୁଦୁ, କୋଟଗଡ଼ ଅଭୟାରଣ୍ୟ ଭଳି ପର୍ଯ୍ୟଟନସ୍ଥଳ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି। ଯଦି ଗୁଦାରି ଏୟାରଷ୍ଟ୍ରିପ୍‌ ନିୟମିତ ବିମାନ ବନ୍ଦର ହୋଇପାରନ୍ତା, ତେବେ ଦେଶବିଦେଶରୁ ପର୍ଯ୍ୟଟକ ସହଜରେ ଆସିପାରନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe