ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ମରଣୀୟ ଦିନ: ଚାରି ଦଶନ୍ଧି ପ୍ରତୀକ୍ଷାର ଅନ୍ତ, ସେମିରେ ଭାରତ

Advertisment

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ମରଣୀୟ ଦିନ: ଚାରି ଦଶନ୍ଧି ପ୍ରତୀକ୍ଷାର ଅନ୍ତ, ସେମିରେ ଭାରତ

ବିଜୟ ପରେ ଉଲ୍ଲସିତ ଭାରତୀୟ ଖେଳାଳି

ଟୋକିଓ : ରବିବାର ଅପରାହ୍ନ ୫ଟା ୩୦। କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ନଜର ଭାରତ-ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ଚାଲିଥିବା ଟୋକିଓ ଅଲିମ୍ପିକ୍ସ ହକି ଟର୍ଫ ଉପରେ ଥିଲା। ସମସ୍ତେ ଯେମିତି ଟେଲିଭିଜନ ପରଦା ଆଗରେ ବରଫ ଭଳି ଜମି ଯାଇଥିଲେ। କ୍ଷଣକ ପାଇଁ କାହା ଆଖିର ପଲକ ପଡ଼ୁ ନଥିଲା। ଗୋଟିଏ ଘଣ୍ଟାର ରୋମାଞ୍ଚକ, ଉତ୍କଣ୍ଠାପୂର୍ଣ୍ଣ ଓ ସଂଘର୍ଷଭରା ଲଢ଼େଇ ପରେ ଆସିଲା ପ୍ରତୀକ୍ଷିତ ଶୁଭ ମୁହୂର୍ତ। ଭାରତ ୩-୧ରେ ବିଜୟୀ ହୋଇ ସେମିଫାଇନାଲ୍‌ରେ ପହଞ୍ଚିଗଲା। ଆଉ ତତ୍‌କ୍ଷଣାତ୍ ସାରା ଦେଶରେ ଖୁସିର ଲହରି ଖେଳିଯାଇଥିଲା।

ବହୁପ୍ରତୀକ୍ଷିତ ଫଳାଫଳ ପରେ ଭାରତୀୟ ହକି ତାର ହୃତ ଗୌରବକୁ ଫେରି ପାଇବାର ମୂଳଦୁଆ ପକାଇ ସାରିଥିଲା। ୪୧ ବର୍ଷ ଏବଂ ୯ ଅଲିମ୍ପିକ୍ସ ପରେ ଆଉ ଏକ ଅଲିମ୍ପିକ୍ସ ପଦକ ଜିତିବା ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇ ସାରିଥିଲା ଟିମ୍ ଇଣ୍ଡିଆ। ଟୋକିଓ ଅଲିମ୍ପିକ୍ସରେ ନିଜ ଐତିହାସିକ ବିଜୟ ଧାରାକୁ ଆହୁରି ଲମ୍ବାଇ ପାଖାପାଖି ପାଞ୍ଚ ଦଶନ୍ଧି ପରେ ସେମିଫାଇନାଲ୍‌କୁ ଯିବାର ଐତିହାସିକ ଓ ଅନନ୍ୟ ସଫଳତା ଲାଭ କରିଥିଲା ଭାରତୀୟ ହକି ଦଳ।

ରବିବାରର କ୍ବାର୍ଟର ଫାଇନାଲ୍‌ରେ ଭାରତ ଚାରିଟିରୁ ତିନିଟି କ୍ବାର୍ଟରରେ ଆଧିପତ୍ୟ ବିସ୍ତାର କରିବା ଅନ୍ୟତମ ଉଲ୍ଲେଖନୀୟ ଘଟଣା ଥିଲା। ୮ ଥର ବିଜେତା ଭାରତ ୧୯୮୦ ମସିହା ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ତେବେ ମାତ୍ର ୬ ଦଳକୁ ନେଇ ଆୟୋଜିତ ହୋଇଥିବା ସେହି ଅଲିମ୍ପିକ୍ସର ହକି ପ୍ରତଯୋଗିତାରେ ସେମିଫାଇନାଲ୍‌ର ବ୍ୟବସ୍ଥା ନଥିଲା। ପରିସଂଖ୍ୟାନ ଅନୁସାରେ ଭାରତୀୟ ହକି ଦଳ ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ କୌଣସି ଅଲିମ୍ପିକ୍ସର ସେମିଫାଇନାଲ୍ ମ୍ୟାଚ୍ ଖେଳିବ। ୮ ଥର ବିଜେତା ଭାରତ ମଙ୍ଗଳବାରର ସେମିଫାଇନାଲ୍‌ରେ ବିଶ୍ବ ବିଜେତା ବେଲଜିୟମକୁ ଭେଟି ଫାଇନାଲ୍ ପ୍ରବେଶ ପାଇଁ ଉଦ୍ୟମ କରିବ। ଭାରତୀୟ ହକି ଦଳ ପାଇଁ ରବିବାର ତିନି ପଞ୍ଜାବୀ ତାରକା ଦିଲପ୍ରୀତ ସିଂହ, ଗୁରଜାନ୍ତ ସିଂହ ଓ ହାର୍ଦିକ ସିଂହ ଗୋଲ୍ କରି ହୃଦୟ ଜିତିଥିଲେ।

publive-image

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ ସେମି ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଦଳର ପ୍ରଦର୍ଶନରେ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ବାର୍ଟର୍ ଫାଇନାଲ୍‌‌େର ଜାତୀୟ ଟିମ୍ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ସେମିଫାଇନାଲ୍ ଓ ଫାଇନାଲ୍‌ରେ ମଧ୍ୟ ଟିମ୍ ଏହି ଧାରା ଜାରି ରଖିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆମ ଜାତୀୟ କ୍ରୀଡ଼ା ହକିର ବିକାଶରେ ଓଡ଼ିଶାର ବହୁ ଅବଦାନ ରହିଛି। ଓଡ଼ିଶା ସରକାର ୨୦୧୮ ମସିହାରୁ ୫ ବର୍ଷ ଯାଏ ଉଭୟ ପୁରୁଷ ଓ ମହିଳା ଜାତୀୟ ହକି ଟିମ୍‌ର ପ୍ରାୟୋଜକ ଅଛନ୍ତି।

ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଆମ ଜାତୀୟ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଆସୁଛି। ଓଡ଼ିଶାର ବହୁ ଖେଳାଳି ଭାରତୀୟ ଟିମ୍‌ରେ ବିଭିନ୍ନ ସମୟରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଉପ ଅଧିନାୟକ ଥିଲା ବେଳେ ମହିଳା ହକି ଦଳରେ ଦୀପ ଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି। ହକି ଇଣ୍ଡିଆ ସହିତ ଅଂଶୀଦାର ହୋଇ ଓଡ଼ିଶା ସରକାର ଭୁବନେଶ୍ବରରେ ଗୁରୁତ୍ବପୂର୍ଣ୍ଣ ହକି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରୁଛନ୍ତି। ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ଯୋଗୁ ଭାରତୀୟ ଟିମ୍‌ର ମନୋବଳ ବଢ଼ିବା ସହ ଖେଳାଳିମାନଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଉତ୍ସାହଜନକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe