୧୮ରୁ ଭାରତ ଭ୍ରମଣ ଓ ପର୍ଯ୍ୟଟନ ପ୍ରଦର୍ଶନୀ

୧୮ରୁ ଭାରତ ଭ୍ରମଣ ଓ ପର୍ଯ୍ୟଟନ ପ୍ରଦର୍ଶନୀ

ପୁରୀ : ଜିଲ୍ଲା ପ୍ରଶାସନ ଓ ପୁରୀ ହୋଟେଲ ସଂଘ ସହଯୋଗରେ କୋଲକାତାର ଫେୟାର ଭିୟୁ ମିଡିଆ ପକ୍ଷରୁ ଆସନ୍ତା ୧୮ ତାରିଖ ଅପରାହ୍‌ଣରେ ଗୋଲ୍‌ଡେନ ବିଚ୍‌ ପରିସରରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ଦୁଇଦିନିଆ ‘ଭ୍ରମଣ ଓ ପର୍ଯ୍ୟଟନ ପ୍ରଦର୍ଶନ’।

ପ୍ରଦର୍ଶନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ସମେତ ଓଡ଼ିଶା ପର୍ଯ୍ୟଟନ ବିଭାଗ, ଗୋଆ, ଝାଡ଼ଖଣ୍ଡ ବିଭାଗ, ଗୁଜରାଟ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ବିହାର ଓ ଛତିଶଗଡ଼ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଟୁର୍‌ ପ୍ୟାକେଜ୍‌’ ଓ ସେହି ସବୁ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ବୁଲିବା ନେଇ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରିବେ। ଏହାବ୍ୟତୀତ ନେପାଳର ଭୂଟାନରୁ ମଧ୍ୟ ୨ଟି ଟ୍ରାଭେଲ୍‌ ‌ଏଜେଣ୍ଟ୍‌ ଟିମ୍‌ ଓ ହୋଟେଲ ଅଂଶଗ୍ରହଣ କରିବେ। ଏଥିରେ ପ୍ରାୟ ୧୦୦ରୁ ଅଧିକ ଟ୍ରାଭେଲ୍‌ ଏଜେଣ୍ଟ୍‌ ଓ ହୋଟେଲ ସାମିଲ ହେବେ। ଏହାଦ୍ବାରା ଓଡ଼ିଶାରୁ ପର୍ଯ୍ୟଟକ ବାହାର ରାଜ୍ୟକୁ ଯାଇପାରିବେ ଓ ବାହାର ରାଜ୍ୟରୁ ଓଡ଼ିଶାକୁ କିଭଳି ପର୍ଯ୍ୟଟକ ଆସ‌ିବେ ସେ ସଂକ୍ରାନ୍ତରେ ଯୋଗସୂତ୍ର ପାଇଁ ଆଲୋଚନା ହେବ।

ପର୍ଯ୍ୟଟନ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ବିରଞ୍ଚି ମିଶ୍ର କହିଛନ୍ତି, ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୯୦ ଭାଗ ପୁରୀକୁ ଆସନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ଦ୍ବାରା ଲୋକେ ସିଧାସଳଖ ବିଭିନ୍ନ ରାଜ୍ୟରେ ଥିବା ପର୍ଯ୍ୟଟନ ସୁବିଧା ସମ୍ପର୍କରେ ଜାଣିପାରିବେ। ଏହାଦ୍ବାରା ଯେଉଁ ବାହାର ରାଜ୍ୟର ଏଜେଣ୍ଟ୍‌ମାନେ ଆସିବେ ସେମାନେ ପୁରୀ ଓ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବା ପରେ ପୁରୀକୁ ସ୍ବତନ୍ତ୍ର ଟୁର୍‌ ପାଇଁ ସେମାନଙ୍କ ରାଜ୍ୟରେ ଲୋକମାନଙ୍କୁ ପ୍ରୋତ୍ସାହିତ କରିପାରିବେ ବୋଲି ସେ କହିଛନ୍ତି। ସଂସ୍କୃତି ଭବନରେ ଏ ସଂକ୍ରାନ୍ତରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ପଳ ପତି, ସୁନୀଲ ପଟ୍ଟନାୟକ, ଫେୟାର ଭିୟୁର ଏମ୍‌ଡି ମହୁଆ ଦେ, ପ୍ରଦୀପ କୁମାର କରାର, ଅର୍ଣ୍ଣବ କୁମାର ଦେ ଓ ସୁମନ କରାର ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe