ଚେନ୍ନାଇରେ ଓଡ଼ିଆ ଯୁବତୀଙ୍କୁ ହତ୍ୟା : ଏକତରଫା ପ୍ରେମରୁ ହତ୍ୟାକାଣ୍ଡ, ହତ୍ୟାକାରୀ, ସହଯୋଗୀ ବି ଓଡ଼ିଆ

Advertisment

ଅଟୋମୋବାଇଲ୍‌ ଇଞ୍ଜିନିୟର୍‌ ଥିଲେ ଯୁବତୀ, ବିବାହ ପାଇଁ ମନା କରିବାରୁ ଏଭଳି କାଣ୍ଡ

ଅଟୋମୋବାଇଲ୍‌ ଇଞ୍ଜିନିୟର୍‌ ଥିଲେ ଯୁବତୀ, ବିବାହ ପାଇଁ ମନା କରିବାରୁ ଏଭଳି କାଣ୍ଡ

ଚେନ୍ନାଇରେ ଓଡ଼ିଆ ଯୁବତୀଙ୍କୁ ହତ୍ୟା : ଏକତରଫା ପ୍ରେମରୁ ହତ୍ୟାକାଣ୍ଡ, ହତ୍ୟାକାରୀ, ସହଯୋଗୀ ବି ଓଡ଼ିଆ

କଟକ : ବିବାହ କରିବାକୁ ମନା କରିଦେବାରୁ ଚେନ୍ନାଇରେ ଅଟୋମୋବାଇଲ୍ ଇଂଜିନିୟର ଥିବା ଜଣେ ଓଡ଼ିଆ ଯୁବତୀଙ୍କୁ ହତ୍ୟା କରାଯାଇଛି। ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇଥିବା ପ୍ରେମିକ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି। ସ୍କୁଲରେ ପଢିବା ସମୟରୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିବା ଓଡ଼ିଶାର ଏହି ପ୍ରେମିକ ଜଣକ ଚେନ୍ନାଇ ଯାଇ ସେଠାରେ ଓଢଣୀରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଛି। ସେଠାରେ ଯୁବତୀଙ୍କ ସହ ହୁଷ୍କର୍ମ ଉଦ୍ୟମ ମଧ୍ୟ କରିଥିବା ଜଣାପଡିଛି। ଚେନ୍ନାଇ ପୁଲିସ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ସାଇକେଲ ଦେଇଥିବା ସୁରକ୍ଷାକର୍ମୀ ଓ କିଛି ଓଡିଆ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଅନ୍ୟପଟେ ସିସିଟିଭି ଫୁଟେଜ୍‌ରେ ଅଭିଯୁକ୍ତ ଯୁବକ ମାନସର ଫଟୋ ଥିବା ଜଣାପଡ଼ିଛି।

publive-image East Idaho News

ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିଶ୍ଚିନ୍ତ‌କୋଇଲି ବ୍ଲକ୍‌ର ବଡଖିରୀ ଗ୍ରାମର ଦିଲ୍ଲୀପ କୁମାର ଗାହାଣଙ୍କ ଝିଅ କରିନା ପ୍ରିୟଦର୍ଶିନୀ(୨୧) ଚେନ୍ନାଇରେ ଅଟୋ ମୋବାଇଲ୍ ଇଂଜନିୟର ଭାବେ କାର୍ଯ୍ୟ କରନ୍ତି। ଡିପ୍ଲୋମା ପାସ କରିବା ପରେ କରିନା ଚେନ୍ନାଇର ରୟାଲ ଏନ୍‌ଫିଲ୍ଡ କମ୍ପାନିରେ ଅଟୋମୋବାଇଲ ଇଂଜିନିୟର ଭାବେ ଚାକିରି କରୁଥିଲେ। ସେଠାରେ ସେ ଭଡ଼ାରେ ଅନ୍ୟଜଣେ ଯୁବତୀଙ୍କ ସହ ରହୁଥିଲେ। ହେଲେ ସେ ସ୍କୁଲ ପଢିବା ସମୟରୁ ଗୋପପୁର ଗାଁର ଯୁବକ ମାନସ ସାହୁ ତାଙ୍କୁ ଏକତରଫା ପ୍ରେମ କରୁଥିଲେ। ବାରମ୍ବାର ହଇରାଣ ମଧ୍ୟ କରୁଥିଲେ। ଯାହାକୁ ନେଇ ବିଭିନ୍ନ ସମୟରେ ଝିଅର ବାପା ମଧ୍ୟ ମାନସକୁ ଏସବୁ କାମରୁ ନିବୃତ୍ତ ରହିବା ପାଇଁ ବୁଝାସୁଝା କରିଥିଲେ। କିନ୍ତୁ ମାନସ ଯୁବତୀଙ୍କୁ ବାରମ୍ବାର ହଇରାଣ କରୁଥିଲା। ତେବେ ଗତ ୧୪ ମାସ ତଳେ କରିନା ଚାକିରି ପାଇଁ ଚେନ୍ନାଇ ଯାଇଥିଲେ। ସେଠାରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ହଠାତ୍ ୪/୫ମାସ ତଳେ ମାନସ ଚେନ୍ନାଇରେ ପହଞ୍ଚି କ୍ୟାଟରିଙ୍ଗ ବୟଭାବେ କାମ କରିବା ସହିତ ପୁଣି କରିନାଙ୍କ ମୋବାଇଲକୁ ବାରମ୍ବାର ଫୋନ କରି ବିବାହ କରିବା‌କୁ ବାଧ୍ୟ କରୁଥିଲା। କରିନା ମନା କରିବା ଫଳରେ ଗାଁରେ ତାଙ୍କ ବାପା, ଭାଇଙ୍କୁ ମାରି ଦେବାର ଧମକ ଦେଉଥିଲା। ମାନସର ବଡଭାଇ କାଳିଆ ମଧ୍ୟ କରିନାଙ୍କୁ ଫୋନ କରି ତା ଭାଇକୁ ବିବାହ ନକଲେ ପରିବାରର ସମସ୍ତଙ୍କୁ ହତ୍ୟା କରିବାର ଧମକ ଦେଇଥିଲା। ରାତିରେ ବାରମ୍ବାର ଫୋନ କରି ମାନସ ଯୁବତୀଙ୍କୁ ଗାଳିଗୁଲଜ ମଧ୍ୟ କରୁଥିଲା। ଗଲା ଜାନୁଆରି ୧ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ଜଣେ ପ୍ରଧାନଶିକ୍ଷକ ମଧ୍ୟ ଯୁବତୀଙ୍କୁ ଫୋନ କରି ମାନସକୁ ବିବାହ କରିବାକୁ କହିଥିଲେ। ତେବେ କରିନା ଏହାକୁ ପ୍ରତ୍ୟାଖ୍ୟାନ କରି ଫୋନ ରଖିଦେବା ଫଳରେ ପୁଣି ମାନସ ଫୋନ କରି ଗାଳିଗୁଲଜ କରିବା ସହ ତୋର କ’ଣ ଅବସ୍ଥା କରୁଛି ଦେଖ ବୋଲି କହି ଧମକ ଦେଇଥିଲା।

ଚେନ୍ନାଇରେ ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡା ତଥା ଆଖପାଖ ଅଂଚଳର ୧୦/୧୨ଜଣ ଯୁବକ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ସେମାନେ ରହୁଥିବା ସ୍ଥାନରେ ପହଞ୍ଚି ମାନସ ଅସୁବିଧା ଅଛି ଘର ମିଳୁନି କହି ତାଙ୍କ ପାଖରେ କିଛି ଦିନ ରହିଥିଲା। ସେଠାରେ ରହି ଜଣେ ସୁରକ୍ଷାକର୍ମୀଙ୍କ ସାଇକେଲ ଧରି ମାନସ ଗଲା ୨୧ ତାରିଖ ଦିନ କରିନା ରହୁଥିବା ଭଡ଼ାଘରେ ପହଞ୍ଚି ଥିଲା। କରିନାଙ୍କୁ ହତ୍ୟା କରି ମୃତଦେହକୁ ବାଥରୁମ୍‌ ପାଖରେ କପଡା ଘୋଡାଇ ପକାଇ ଦେଇ ଖସି ପଳାଇଥିଲା। ତେବେ କରିନାଙ୍କ ସହ ରହୁଥିବା ଅନ୍ୟ ଯୁବତୀ ଅପରାହ୍ନରେ ଘରକୁ ଆସି ‌କରିନା ଏଭଳି ଅବସ୍ଥାରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। କରିନାଙ୍କ ବେକରେ ନଖ ଦାଗ ସବୁ ରହିବା ସହ ଓଢଣୀରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି। ଅନ୍ୟପଟେ ସିସିଟିଭି ଫୁଟେଜରେ ମଧ୍ୟ ମାନସର ‌ଫଟୋ ରହିଥିବା ଚେନ୍ନାଇ ପୁଲିସ କରିନାଙ୍କ ପରିବାରକୁ ସୂଚନା ଦେଇଛି। ଏହି ଘଟଣା ପରେ କରିନାଙ୍କ ପରିବାରବର୍ଗ ଚେନ୍ନାଇରେ ପହଞ୍ଚି ମୃତଦେହକୁ ଆଣିଛନ୍ତି। ଏଥିସହ ହତ୍ୟାକାରୀ ମ‌ାନସ, ତାଙ୍କ ବଡଭାଇ ଓ ମାନସର ସାଙ୍ଗ ହୋଇ ଫୋନ କରିଥିବା ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe