ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ ଟଙ୍କା ଲୁଟ୍‌ରେ ଆନ୍ତଃରାଜ୍ୟ ଡକାୟତ : ଅପରାଧୀଙ୍କୁ ଧରିବା ପାଇଁ ୪ ଟିମ୍‌ ଗଠନ

Advertisment
ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ ଟଙ୍କା ଲୁଟ୍‌ରେ ଆନ୍ତଃରାଜ୍ୟ ଡକାୟତ : ଅପରାଧୀଙ୍କୁ ଧରିବା ପାଇଁ ୪ ଟିମ୍‌ ଗଠନ

ରାଉରକେଲା : ରାଉରକେଲା ମଧୁସୂଦନମାର୍ଗସ୍ଥିତ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରୁ ଟଙ୍କା ଲୁଟ୍‌ରେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌ ସମ୍ପୃକ୍ତ। ଲୁଟ୍‌ ଅର୍ଥ ଧରି ସେମାନେ ଝାଡ଼ଖଣ୍ଡ ଚାଲିଯାଇଥିବା ପୁଲିସ ଅନୁମାନ କରୁଛି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ରାଉରକେଲା ପୁଲିସ ୪ଟି ଟିମ୍‌ ଗଠନ କରିଛି। ସେଥିମଧ୍ୟରୁ ଗୋଟିଏ ଟିମ୍‌ ଆଜି ଝାଡ଼ଖଣ୍ଡ ରାଜ୍ୟର ଏକ ଗାଁକୁ ଯାଇଛି। ଅପରପେକ୍ଷ ବ୍ୟାଙ୍କ୍‌ ଲୁଟ୍‌ ଘଟଣାର ତଦନ୍ତ ପାଇଁ କଟକ କ୍ରାଇମ୍‌ ବ୍ରାଞ୍ଚର ଏକ ଟିମ୍‌ ଆଜି ରାଉରକେଲା ଆସିଛି।

ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ ଲୁଟେରାଙ୍କୁ ଧରିବା ପାଇଁ ଆଜି ରାଉରକେଲା ପୁଲିସ ତନାଘନା ଆରମ୍ଭ କରିଛି। ଅପରାଧୀଙ୍କୁ ଧରିବା ପାଇଁ ଗଠିତ ୪ଟି ଟିମ୍‌ ମଧ୍ୟରୁ ୩ଟି ଟିମ୍‌ ରାଉରକେଲା ସହରରେ ରହି ତଦନ୍ତ କରୁଛନ୍ତି। ବ୍ୟାଙ୍କ୍‌କୁ ସଂଯୋଗ ରାସ୍ତାରେ ବିଭିନ୍ନ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ୍‌କୁ ଗୋଟିଏ ଟିମ୍‌ ଯାଞ୍ଚ କରୁଛି। ବ୍ୟାଙ୍କ ନିକଟସ୍ଥ ଏକ ହୋଟେଲ୍‌ ଓ ଏକ ପାଉରୁଟି କାରଖାନା ସିସି ଟିଭି ଫୁଟେଜ୍‌ରୁ ଲୁଟେରାମାନେ ୪ଟି ବାଇକ୍‌ରେ ଆସିଥିବା ଜଣାପଡୁଛି। ପ୍ରଥମ ବାଇକ୍‌ରେ ୩ ଜଣ ଆସି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ଲୁଟ୍‌ ପରେ ଦୁଇଟ୍‌ ବ୍ୟାଗ୍‌ରେ ସେମାନେ ଟଙ୍କା ନେଇ ଯାଉଥିବା ଦେଖିବାକୁ ମିଳିଛି। ୮ ଲୁଟେରାଙ୍କ ମଧ୍ୟରୁ ୨ ଜଣ ହେଲ୍‌ମେଟ୍‌ ପିନ୍ଧିଥିବା ବେଳେ ଅନ୍ୟମାନେ ମୁହଁକୁ ଖୋଲା ରଖିଥିଲେ। ଲୁଟେରାମାନେ କେଉଁ ରାସ୍ତା ଦେଇ ଯାଇଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଲୁଟ୍‌ ପରର ଅଧ ଘଣ୍ଟାର ସିସିଟିଭି ଫୁଟେଜ୍‌ ବ୍ୟାଙ୍କ୍‌କୁ ସଂଯୋଗ ସବୁ ରାସ୍ତାରେ ଥିବା ଦୋକାନୀଙ୍କ ଠାରୁ ସଂଗ୍ରହ କରିଛି। ଅନ୍ୟ ଏକ ଟିମ୍‌ ବ୍ୟାଙ୍କ୍‌ ଲୁଟ୍‌ରେ ସ୍ଥାନୀୟ ଅପରାଧୀ ଗୋଷ୍ଠୀ କିମ୍ବା କୌଣସି ଲୋକର ସହଯୋଗ ଅଛି କି ନାହିଁ, ସେମାନେ କେଉଁଠି ରହୁଥିଲେ ଏବଂ କାହା ସହିତ କଥା ହେଉଥିଲେ ସେ ସମ୍ପର୍କରେ ତଦନ୍ତ କରୁଛି। ବାହାର ଅପରାଧୀ ହୋଟେଲରେ ରହି ଡକାୟତି ଯୋଜନା କରିଥିବା ଆଶଙ୍କା କରି ବିଭିନ୍ନ ଲୋକଙ୍କୁ ପଚରାଉଚରା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe