ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ପାଇଁ ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇଛନ୍ତି। ବାତ୍ୟା ଯୋଗୁଁ ଗତକାଲି ଠାରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ରେଳବାଇ ୬୧ଟି ଟ୍ରେନ୍ ବାତିଲ କରିସାରିଛି। ବାତିଲ ହୋଇଥବା ଟ୍ରେନ୍ଗୁଡ଼ିକ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରୁଟ୍ରେ ପରିଚାଳିତ ହୋଇଥାଏ।
ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତକାଲି ୪ଟି ଟ୍ରେନ୍ ବାତିଲ ହୋଇଥିଲା ବେଳେ ଆଜି ପାଇଁ ୪୮ଟି ଟ୍ରେନ୍ ବାତିଲ କରାଯାଇଛି। ସେହିପରି ଅକ୍ଟୋବର ୨୯ ପାଇଁ ୮ଟି ଏବଂ ୩୦ ତାରିଖରେ ଗୋଟିଏ ଟ୍ରେନ୍ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ଭୁବନେଶ୍ବର ନ୍ୟୁ-ହାଇଦ୍ରାବାଦ (୦୭୧୬୬), ଯାହା ଆସନ୍ତାକାଲି ରହିଥିଲା, ବେଙ୍ଗାଲୁରୁ-ଭୁବନେଶ୍ବର ପ୍ରଶାନ୍ତି ଏକ୍ସପ୍ରେସ୍ (୧୮୪୬୪), ଯାହା ଆସନ୍ତାକାଲି ରହିଥିଲା ଏବଂ ପୁରୀ-ତିରୁପତି (୧୭୪୭୯) ଅକ୍ଟୋବର ୩୦ରେ ଚାଲିବାର ଥିଲା। ରେଳବାଇ ପକ୍ଷରୁ କୁହାଯାଇଛି ଯେ, ୬ଟି ଟ୍ରେନ୍କୁ ଅଧବାଟ ପର୍ଯ୍ୟନ୍ତ ପରିଚାଳନା କରାଯାଉଥିବା ବେଳେ ୬ଟି ଟ୍ରେନକୁ ଦିଗ ପରିବର୍ତ୍ତନ କରାଯାଉଛି। ସେହିପରି ଅନ୍ୟ ୯ଟି ଟ୍ରେନ୍ର ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ବାତ୍ୟା ଉପରେ ରେଳବାଇ ସଂପୂର୍ଣ୍ଣ ନଜର ରଖିଛି।
ଆହୁରି ପଢ଼ନ୍ତୁ: Cyclone Mohtha: ରାତି ୧୨ଟା ସୁଦ୍ଧା ସରିବ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ଆଇଏମ୍ଡି
ରେଳମନ୍ତ୍ରୀଙ୍କ ସମୀକ୍ଷା
ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମୋନ୍ଥା’ ଦ୍ୱାରା ପୂର୍ବତଟ ରେଳପଥ କ୍ଷେତ୍ର ପ୍ରଭାବିତ ହେବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଆଜି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀମାନଙ୍କ ସହିତ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରଭାବିତ ହେବାକୁ ଥିବା ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ରେଳ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ପୂର୍ବରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ବୈଷ୍ଣବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Cyclone in Odisha: ଇତିହାସ ପୃଷ୍ଠାରେ ଓଡ଼ିଶାର ବାତ୍ୟା, ଜାଣନ୍ତୁ କେବେ ଆସିଛି କେଉଁ ବାତ୍ୟା…?
୨୪ ଘଣ୍ଟିଆ ନିରୀକ୍ଷଣ ନିର୍ଦ୍ଦେଶ
କେନ୍ଦ୍ର ମନ୍ତ୍ରୀ ଡିଭିଜନସ୍ତରୀୟ ଜରୁରିକାଳୀନ କକ୍ଷକୁ କାର୍ଯ୍ୟକ୍ଷମ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନିରୀକ୍ଷଣ ଲାଗି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ବିଶାଖାପାଟଣା ଏବଂ ଗୁଣ୍ଟୁର ଡିଭିଜନରେ ଜରୁରୀ ଉପକରଣ, ଯନ୍ତ୍ରାଂଶ ଏବଂ ଯଥେଷ୍ଟ ସଂଖ୍ୟାରେ ରେଳ କର୍ମଚାରୀଙ୍କୁ ପୁନରୁଦ୍ଧାର ଲାଗି ପ୍ରସ୍ତୁତ ରଖିବା ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଙ୍କ ଅସୁବିଧାକୁ ହ୍ରାସ କରିବା ଲାଗି ରେଳ ଚଳାଚଳ ଉପରେ ନଜର ରଖିବା ଏବଂ ଏହାକୁ ସୁବ୍ୟବସ୍ଥିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଜରୁରୀକାଳୀନ ପରିସ୍ଥିତି ଏବଂ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ପୂର୍ବତଟ, ଦକ୍ଷିଣ ତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ ଅଧିକାରୀମାନଙ୍କୁ ଆବଶ୍ୟକ ସମ୍ବଳ ଯୋଗାଡ଼ ପାଇଁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ହେଲ୍ପଲାଇନ୍ ନମ୍ବର ଜାରି
ଇତିମଧ୍ୟରେ ଯେକୌଣସି ପ୍ରକାର ସହାୟତା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଭୁବନେଶ୍ୱର ପାଇଁ 8114382371 ଖୋର୍ଦ୍ଧା ରୋଡ୍ ପାଇଁ 9668978727, ବ୍ରହ୍ମପୁର ପାଇଁ 9668978725 ଏବଂ ପଲାସା ପାଇଁ 9668978724 ନମ୍ବରରେ ଯୋଗାଯୋଗ କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/28/train-2025-10-28-19-45-55.jpg)