ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା: ହାଇପରସୋନିକ୍‌ କ୍ରୁଜ୍‌ ମିଜାଇଲ୍‌ର ସଫଳ ପରୀକ୍ଷଣ

ଅବଦୁଲ୍‌ କଲାମ ଦ୍ବୀପରୁ ପରୀକ୍ଷା କଲେ ଡିଆର୍‌ଡିଓ ବୈଜ୍ଞାନିକ, ଆମେରିକା, ରୁଷିଆ ଓ ଚୀନ୍‌ ପରେ ଭାରତ ଚତୁର୍ଥ ଦେଶ

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା: ହାଇପରସୋନିକ୍‌ କ୍ରୁଜ୍‌ ମିଜାଇଲ୍‌ର ସଫଳ ପରୀକ୍ଷଣ

The Economic Times

ବାଲେଶ୍ବର/ଚାନ୍ଦବାଲି/ଧାମରା: ଭାରତୀୟ ପ୍ରତିରକ୍ଷା ବିଜ୍ଞାନୀମାନଙ୍କୁ ମିଳିଛି ବଡ଼ ସଫଳତା। ସୋମବାର ପୂର୍ବାହ୍ନ ୧୧.୩ରେ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍‌ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ହାଇପରସୋନିକ୍‌ କ୍ରୁଜ୍‌ ମିଜାଇଲ୍‌ (ଏଚ୍‌ଏସ୍‌ଟିଡିଭି) ର ସଫଳ ପରୀକ୍ଷଣ ହୋଇଛି। ଏଥିସହିତ ଆମେରିକା, ରୁଷିଆ ଓ ଚୀନ୍‌ ପରେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ଏଭଳି ଉଚ୍ଚକ୍ଷମତା ସମ୍ପନ୍ନ କ୍ରୁଜ୍‌ ମିଜାଇଲ୍‌ର ସଫଳ ପରୀକ୍ଷା କରିବାରେ ସମର୍ଥ ହୋଇଛି।

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ହାଇପରସୋନିକ୍‌ ଟେ‌କ୍ନୋଲୋଜି ଡେମୋନ୍‌ଷ୍ଟ୍ରେସନ୍‌ ଭେହିକିଲ୍‌ର ବ୍ୟାବହାରିକ ପରୀକ୍ଷଣ ସମୟରେ ବଙ୍ଗୋପସାଗରରେ ଭାରତୀୟ ନୌସେନାର ଏକ ଜାହାଜରୁ ଏହାର ଗତିବିଧି ଓ ଟାର୍ଗେଟ୍‌ ଉପରେ ଲକ୍ଷ୍ୟ ରଖାଯାଇଥିଲା। ସ୍ବୟଂଚାଳିତ ରାଡାର୍‌, ଟେଲିମାଟ୍ରି ସିଷ୍ଟମ୍‌ ପ୍ରଭୃତି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ବାରା ପରିଚାଳିତ ଏହି ଗତିଶୀଳ ଯାନ ନିର୍ଧାରିତ ଟା‌ର୍ଗେଟ୍‌ ଅତିକ୍ରମ କରିବା ପରେ ଉପସ୍ଥିତ ପ୍ରତିରକ୍ଷା ବିଜ୍ଞାନୀମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଥିଲା। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓକୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରକଳ୍ପରେ ଜଡ଼ିତ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଚ୍‌ଏସ୍‌ଟିଡିଭିର ସଫଳ ପରୀକ୍ଷଣ ପରେ ଡିଆରଡିଓ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଚ୍‌ଏସ୍‌ଟିଡିଭି ଦ୍ବାରା ଭାରତ ମହାକାଶକୁ ଖୁବ୍‌ କମ୍‌ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ। ଖାଲି ସେତିକି ନୁହେଁ, ଏହି ଅତ୍ୟାଧୁନିକ ସାଧନକୁ ଉପଯୋଗ କରି ଭାରତ ଆକାଶମାର୍ଗରେ ଶତ୍ରୁପକ୍ଷର ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ର ଓ ସମୁଦ୍ର ପତ୍ତନଠାରୁ ମାତ୍ର ୩୨ କିମି ଉଚ୍ଚରୁ ସବୁପ୍ରକାର କ୍ଷେପଣାସ୍ତ୍ରକୁ ଟାର୍ଗେଟ୍‌ କରିପାରିବ। ଏହା ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର ସାମର୍ଥ୍ୟ ରଖିଛି। ଘଣ୍ଟା ପ୍ରତି ୭ ହଜାର ୯୬୨ କିମି ବେଗରେ ଗତି କରୁଥିବା ଏହି ଯାନରେ ସଲିଡ୍‌ ରକେଟ୍‌ ଲଞ୍ଚ୍‌ ବୁଷ୍ଟର୍‌ ଖଞ୍ଜାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବାରୁ ବିଶ୍ବର ହାତଗଣତି ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇଥିବା ବେଳେ ଦେଶର ବାୟୁ ସୁରକ୍ଷା ପ୍ରଣାଳୀ ଆହୁରି ଶକ୍ତିଶାଳୀ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଚ୍‌ଏସ୍‌ଟିଡିଭିର ଡିଜାଇନ୍‌ ୨୦୦୪ରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୧୦ ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା। ଆଜି ଏହାର ଦ୍ବିତୀୟ ସଂସ୍କରଣ ପରୀକ୍ଷଣ ସମୟରେ ଡିଆର୍‌ଡିଓ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବହୁ ବରିଷ୍ଠ ବୈଜ୍ଞାନିକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe