ଇନ୍ଦ୍ରଦ୍ୟୁମ୍ନ ସ୍ନାନ, ଆଡ଼ପମଣ୍ଡପ ଦର୍ଶନ ଦିଏ ଅନନ୍ତ ପୁଣ୍ୟ

Advertisment
ଇନ୍ଦ୍ରଦ୍ୟୁମ୍ନ ସ୍ନାନ, ଆଡ଼ପମଣ୍ଡପ ଦର୍ଶନ ଦିଏ ଅନନ୍ତ ପୁଣ୍ୟ

ପୁରୀ: ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଭକ୍ତ ଅନନ୍ତ ପୁଣ୍ୟ ଲାଭ କରନ୍ତି। ଶାସ୍ତ୍ର ମତେ ‘ନୀଳାଦ୍ରୌ ଦଶ ବର୍ଷାଣୀ, ଗୁଣ୍ଡିଚା ମଣ୍ଡପେ ଦିନେ’। ଅର୍ଥାତ ଶ୍ରୀମନ୍ଦିରରେ ୧୦ ବର୍ଷ ଦର୍ଶନ କଲେ ଯେତିକି ପୁଣ୍ୟ ପ୍ରାପ୍ତି ହୁଏ, ଗୁଣ୍ଡିଚା ମନ୍ଦିରରେ ଦିନଟିଏ ଦର୍ଶନ କଲେ ଭକ୍ତ ସେତିକି ପୁଣ୍ୟ ଲାଭ କରନ୍ତି। ସେହିପରି ଦିନ ଅପେକ୍ଷା, ରାତିରେ ଦର୍ଶନ ଅଧିକ ପୁଣ୍ୟଦାୟୀ। ଅର୍ଥାତ ଦିନରେ ଦର୍ଶନ ଅପେକ୍ଷା ରାତିରେ ଦର୍ଶନରେ ଅଧିକ ପୁଣ୍ୟ ଯୋଗ ରହିଥାଏ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ଷକୁ ଥରେ ନବଦିନାତ୍ମକ ଯାତ୍ରା କରିବାକୁ ବାହାରି ଆସନ୍ତି। ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ଶ୍ରୀମନ୍ଦିରରୁ ବାହାରି ବାହୁଡ଼ା ଦଶମୀରେ ପ୍ରତ୍ୟାବର୍ତ୍ତନ କରନ୍ତି। ଅର୍ଥାତ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ସପ୍ତାହେ ବ୍ୟାପୀ ଦର୍ଶନ କରିବାର ସୁଯୋଗ ମିଳେ। ଆଡ଼ପମଣ୍ଡପ ତଥା ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମସ୍ଥାନ। ତେଣୁ ମହାପ୍ରଭୁଙ୍କର ଏହି ସ୍ଥାନ ପ୍ରତି ଅହେତୁକ ଆକର୍ଷଣ ଓ ଶ୍ରଦ୍ଧା ରହିଛି। ତେଣୁ ଗୋଟିଏ ଦିନ ହେଉ ପଛେ ଦର୍ଶନ କରିବା ଦରକାର। ଯଦି ଭକ୍ତମାନେ ପ୍ରତିଦିନ ଦର୍ଶନ କରନ୍ତି, ତେବେ ଅନନ୍ତ ପୁଣ୍ୟ ପ୍ରାପ୍ତି ହୁଏ।

ଶ୍ରୀ ଦାଶ କହିଛନ୍ତି, ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ତୀର୍ଥ ପୁଷ୍କରିଣୀ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ କରି, ନଚେତ୍‌ ଜଳ ଛିଟା ଛିଞ୍ଚି ହୋଇ ସରୋବର ନିକଟରେ ଥିବା ନୀଳକଣ୍ଠେଶ୍ବର ମହାଦେବଙ୍କୁ ଦର୍ଶନ ଏବଂ ସେଠାରୁ କିଛି ଦୂରରେ ଲକ୍ଷ୍ମୀ ନୃସିଂହଙ୍କୁ ଦର୍ଶନ କରି ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପ କ୍ଷୟର ବିଶ୍ବାସ ରହିଛି ବୋଲି ସେ କହିଛନ୍ତି। ଖାଲି ସେତିକି ନୁହେଁ, ଏହି ସମୟରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରାହ୍ମଣମାନଙ୍କୁ ଶ୍ରୀମହାପ୍ରସାଦ ଖାଇବାକୁ ଦେଇ ତାଙ୍କ ଆଶୀର୍ବାଦ ଲାଭ କଲେ ଭକ୍ତ ଅନନ୍ତ ପୁଣ୍ୟ ଲାଭ କରନ୍ତି। ସେଥିପାଇଁ ପ୍ରତିବର୍ଷ ଆଡ଼ପମଣ୍ଡପ ଦର୍ଶନ ପାଇଁ ସ୍ମରଣାତୀତ କାଳରୁ ଭକ୍ତଙ୍କ ବିପୁଳ ସମାଗମ ହୋଇଆସୁଛି। ଯେତେବେଳେ ୬ ରଥ ଚଳୁଥିଲା ଏବଂ ଏ ସ୍ଥାନ ଦୁର୍ଗମ ଥିଲା, ସେତେବେଳଠାରୁ ବହୁ ଦର୍ଶନାର୍ଥୀ ମଧ୍ୟ ଆଡ଼ପମଣ୍ଡପରେ ଦର୍ଶନ କରିବାକୁ ଆସୁଥିଲେ। ଏବେ ମଧ୍ୟ ସେଇ ପବିତ୍ର ଦର୍ଶନ ପାଇଁ ପ୍ରତିଦିନ ଆଡ଼ପମଣ୍ଡପକୁ ଲକ୍ଷଲକ୍ଷ ଭକ୍ତଙ୍କ ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe