ସୁଧୁରିବା ଆରମ୍ଭ କଲାଣି ଶିଳ୍ପ ଅର୍ଥନୀତି, ଏପ୍ରିଲ୍ ପରେ ଆସିଲାଣି ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ

ସୁଧୁରିବା ଆରମ୍ଭ କଲାଣି ଶିଳ୍ପ ଅର୍ଥନୀତି, ଏପ୍ରିଲ୍ ପରେ ଆସିଲାଣି ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ

scroll

୧୭,୫୧୪ କୋଟିର ନିବେଶ ହେବ
୧୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା
ଜିଏସ୍‌ଟି ପ୍ରଦାନ ପ୍ରକ୍ରିୟାକୁ ସହଜ କରିବାକୁ ନବୀନଙ୍କ ନିର୍ଦେଶ

ଭୁବନେଶ୍ୱର : କରୋନା ମହାମାରୀ ସାରା ବିଶ୍ବରେ ଭୟ ସୃଷ୍ଟି କରିବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତର ଭାବେ ପ୍ରଭାବିତ କରିଛି। ମାତ୍ର ଓଡ଼ିଶା ଅର୍ଥନୀତି ଉପରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହୋଇନାହିଁ। ଗତ ଏପ୍ରିଲ୍‌ରୁ ଅଗଷ୍ଟ ଭିତରେ ଓଡ଼ିଶା ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ ହାସଲ କରି ଏହାକୁ ପ୍ରମାଣିତ କରିଛି। ଜାତୀୟ ଅଭିବୃଦ୍ଧି ହାର ଠାରୁ ସର୍ବଦା ଆଗରେ ରହୁଥିବା ରାଜ୍ୟ ଅର୍ଥନୀତି ଦ୍ରୁତ ସୁଧାର ପଥରେ ‌ଦୌଡ଼ିବା ଆରମ୍ଭ କରିଥିବା ଏଥିରୁ ଜଣାପଡ଼ିଛି। ଏଠାରେ ମନେ ପକାଇ ଦେବାକୁ ହେବ ଯେ କରୋନା ଭୂତାଣୁର ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରେ ସର୍ବଭାରତୀୟ ସ୍ତରରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୨୫ରୁ ମେ' ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍ ରହିବା ପରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପ୍ରିଲ୍ ମାସ ସାରା ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ରହିବା ସତ୍ତ୍ବେ ଓଡ଼ିଶାକୁ ନିବେଶ ପ୍ରସ୍ତାବ ଆସିବା ନିଶ୍ଚିତ ରୂପେ ଏକ ଗୁରୁତ୍ବ ବହନ କରୁଥିବା ବିଷୟ ବୋଲି କୁହାଯାଇପାରିବ।

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ଅନୁଯାୟୀ, ଚଳିତ ବର୍ଷର ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ରାଜ୍ୟକୁ ୧୭,୫୧୪ କୋଟି ଟଙ୍କାର ୨୦୦ରୁ ଅଧିକ ପ୍ରକଳ୍ପ ପ୍ରସ୍ତାବ ଆସିଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୩ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୌସୁମୀ ଋତୁ ଶେଷ ହେବା ପରେ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ କାର୍ଯ୍ୟକାରୀ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସମସ୍ତ ବଡ଼ ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ ହୋଇପାରିଛି। ରାଜ୍ୟର ପ୍ରାୟ ୮୫ ପ୍ରତିଶତ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍‌ଇ)ର ପରିଚାଳନା ସ୍ବାଭାବିକ ସ୍ତରକୁ ଫେରିଛି। ଉତ୍ପାଦନ ସ୍ତର ମଧ୍ୟ ୮୦ ପ୍ରତିଶତ ଉଚ୍ଚ ସ୍ତରରେ ପହଞ୍ଚିଛି। ଶିଳ୍ପ ସଂସ୍ଥାଗୁଡ଼ିକ କାର୍ଯ୍ୟକ୍ଷମ ହୋଇଥିବାରୁ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଛି। ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ବ୍ୟବହାର ପରିମାଣ ଗତ ଏପ୍ରିଲ୍‌ରେ ୨୯୪ ନିୟୁତ ୟୁନିଟ୍ ଥିଲା। ଜୁଲାଇ ଶେଷ ସୁଦ୍ଧା ତାହା ୪୮୧ ୟୁନିଟ୍‌ରେ ପହଞ୍ଚିଛି। ରାଜ୍ୟରେ ରେଳ ଜରିଆରେ ମାଲ୍ ପରିବହନରେ ମଧ୍ୟ ସ୍ରୁତ ସୁଧାର ଘଟିଛି। ଗତ ଏପ୍ରିଲ୍‌ରେ ରେଳରେ ମାଲ୍ ପରିବହନ ହ୍ରାସ ପାଇଥିଲା। ଏହାରେ ପ୍ରତି ମାସରେ ସେଥିରେ ସୁଧାର ହୋଇଥିଲା। ଜୁଲାଇ ଶେଷ ସୁଦ୍ଧା ସେଥିରେ ଆଉ ମାତ୍ର ୨ ପ୍ରତିଶତ ଅନ୍ତର ଥିଲା ବୋଲି ଶ୍ରୀ ଶର୍ମା ଜଣାଇଛନ୍ତି। ରାଜ୍ୟର ତିନି ପ୍ରମୁଖ ବନ୍ଦରରେ ମାଲ ପରିଚାଳନାରେ ମଧ୍ୟ ଉନ୍ନତି ହୋଇଛି। ଗତବର୍ଷ ଏପ୍ରିଲ୍-ଜୁଲାଇ ତୁଳନାରେ ଚଳିତ ବର୍ଷ ସମାନ ଅବଧିରେ ବନ୍ଦରରେ ମାଲ୍ ପରିଚାଳନାରେ ମାତ୍ର ୨.୯୯ ପ୍ରତିଶତ ହ୍ରାସ ଘଟିଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା କ୍ଷେତ୍ରରେ ସେପ୍ଟେମ୍ବର ସୁଦ୍ଧା ୧.୫ ଲକ୍ଷରୁ ଅଧିକ ୟୁନିଟ୍‌କୁ ପାଖାପାଖି ୩୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଶିଳ୍ପ ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଯେପରି ସୁବିଧାରେ କାର୍ଯ୍ୟ କରିପାରିବେ, ସେଥିପାଇଁ ଜିଏସ୍‌ଟି ପ୍ରଦାନ ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ବଚ୍ଛ ଓ ସହଜ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe