ବଲାଙ୍ଗୀରରେ ବଢ଼ୁଛି ବନ୍ଧ୍ୟାଦୋଷ: ପ୍ରଦୂଷଣ, କୀଟନାଶକ ପ୍ରମୁଖ କାରଣ

Advertisment
ବଲାଙ୍ଗୀରରେ ବଢ଼ୁଛି ବନ୍ଧ୍ୟାଦୋଷ: ପ୍ରଦୂଷଣ, କୀଟନାଶକ ପ୍ରମୁଖ କାରଣ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାରେ ବନ୍ଧ୍ୟାଦୋଷ କ୍ରମଶଃ ବଢ଼ିବାରେ ଲାଗିଛି। ବଲାଙ୍ଗୀର ଜିଲ୍ଲା ମଧ୍ୟ ଏହି ସମସ୍ୟାରୁ ବାଦ ପଡ଼ିନାହିଁ। ଦୁଇଟି ବେସରକାରୀ ସଂସ୍ଥାର ସର୍ଭେରୁ ଏହି ଉଦ୍‌ବେଗଜନକ ତଥ୍ୟ ସାମନାକୁ ଆସିଛି। ତଥ୍ୟ ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ୧୫ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ପୁରୁଷ ଏହାଦ୍ବାରା ପୀଡ଼ିତ। ମହିଳାଙ୍କ ସଂଖ୍ୟା ମଧ୍ୟ ପାଖାପାଖି ସମାନ ରହିଛି। ଏହି କାରଣରୁ ଦମ୍ପତିମାନେ ମାନସିକ ଅବସାଦର ଶିକାର ବି ହେଉଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ ଏହି ଦୋଷ ପାଇଁ ପ୍ରଦୂଷଣ ଓ କୀଟନାଶକର ବହୁଳ ବ୍ୟବହାର ପ୍ରମୁଖ କାରଣ। ଦଶନ୍ଧି ତଳର ପରିସଂଖ୍ୟାନ ତୁଳନାରେ ଏବେ ବନ୍ଧ୍ୟାଦୋଷ ୩୦ ପ୍ରତିଶତ ବଢ଼ିଥିବା ଆଉ ଏକ ରିପୋର୍ଟ କହୁଛି। ପୂର୍ବରୁ ପ୍ରଦୂଷଣ ଏବଂ କୀଟନାଶକର ବ୍ୟବହାର କମ୍‌ ଥିବାରୁ ଦମ୍ପତିମାନେ ବିଶେଷ ଭାବେ ପ୍ରଭାବିତ ହେଉନଥିଲେ। କିନ୍ତୁ ଏବେ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ବଢ଼ିଛି। ଯାହାଦ୍ବାରା ଶରୀରର ସ୍ବାଭାବିକ କ୍ରିୟା ଗୁରୁତର ଭାବେ ପ୍ରଭାବିତ ହୋଇଛି।

କୀଟନାଶକର ମାତ୍ରାଧିକ ବ୍ୟବହାର ବନ୍ଧ୍ୟାଦୋଷ ବଢ଼ାଉଛି। ପନିପରିବାଠାରୁ ଆରମ୍ଭ କରି ଧାନରେ କୀଟନାଶକ ସିଞ୍ଚନ ଅନବରତ ଭାବେ ବଢ଼ିଚାଲିଛି। କିଛି ମାତ୍ରାରେ କୀଟନାଶକ ଶରୀରର ପାଚକତନ୍ତ୍ର ପ୍ରକ୍ରିୟାକରଣ କରିବାରେ ସମର୍ଥ ହୋଇଥାଏ। କିନ୍ତୁ ଉଚ୍ଚକ୍ଷମତା ସଂପନ୍ନ କୀଟନାଶକ ଦ୍ବାରା କିଡ୍‌ନି ଓ ଲିଭର୍‌ ପ୍ରଭାବିତ ହୋଇଥାଏ। ପର୍ଯ୍ୟାୟକ୍ରମେ ଶରୀରର ଗୁରୁତ୍ବପୂର୍ଣ୍ଣ ହର୍‌ମୋନ୍‌କୁ ଏହା କ୍ଷତି ପହଞ୍ଚାଉଛି। ତେଣୁ ବନ୍ଧ୍ୟାଦୋଷ ବଢ଼ିଚାଲିଥିବା କୁହାଯାଉଛି। କେବଳ ବନ୍ଧ୍ୟାଦୋଷ ନୁହେଁ, ସାଧାରଣ ମଣିଷ ବୟସ୍କ ପରି ‌ଦେଖାଯିବା, ଅସୁସ୍ଥ ଶିଶୁ ଜନ୍ମ ହେବା ଆଦି ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ସ୍ବାଭାବିକ ପ୍ରକ୍ରିୟାରେ ଶିଶୁ ଜନ୍ମ ହେବା ସଂଖ୍ୟା ମଧ୍ୟ କମି ଯାଉଛି। ଯଦିଓ ପଶ୍ଚିମ ଓଡ଼ିଶାରେ ବନ୍ଧ୍ୟାଦୋଷ ଦୂରୀକରଣ ପାଇଁ ବିଭିନ୍ନ ଚିକିତ୍ସାଳୟରେ ଅତ୍ୟାଧୁନିକ ଉପଚାର ଉପଲବ୍ଧ ରହୁଛି, କିନ୍ତୁ ମୂଳ ସମସ୍ୟାର ନିବାରଣ ପାଇଁ କିଛି ଠୋସ୍‌ ବ୍ୟବସ୍ଥା ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଧାର୍ଯ୍ୟ ଗାଇଡ୍‌ଲାଇନ୍‌କୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି। କୀଟନାଶକ ବ୍ୟବହାର ହ୍ରାସ ସହ ଜୈବିକ ଚାଷକୁ ପ୍ରାଧାନ୍ୟ ଦିଆଯାଉଥିଲେ ହେଁ ଏହାର ପ୍ରୋତ୍ସାହନ ବ୍ୟବସ୍ଥା ଯଥେଷ୍ଟ ନୁ‌ହେଁ। ଆଗାମୀ ଦିନରେ ପ୍ରଦୂଷଣ ଏଭଳି ବଢ଼ି ଚାଲିଲେ ବନ୍ଧ୍ୟାଦୋଷ ବି ସମପରିମାଣରେ ବଢ଼ି ଚାଲିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe