ଭୁବନେଶ୍ୱର: ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଓ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।
ସୋମବାର ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୫ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ଏକ ରାଷ୍ଟୀୟ ଉତ୍ସବ ଓ ଗର୍ବର ପ୍ରତୀକ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପୂର୍ବରୁ ଅଗଷ୍ଟ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ମାର୍ଗଠାରେ ଅଭ୍ୟାସ ପରେଡର ସୁପରିଚାଳନା କରାଯିବ । ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପରେଡ ଓ ପତାକା ଉତ୍ତୋଳନ ସ୍ଥାନଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ମୁଖ୍ୟ ମଞ୍ଚ ଓ ପ୍ୟାରେଡ୍ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ବିଶିଷ୍ଟ ଅତିଥି, ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉପବେଶନ ବ୍ୟବସ୍ଥା, ଉତ୍ସବସ୍ଥଳର ସାଜସଜ୍ଜା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଅଧିକ ପଢ଼ନ୍ତୁ: ଅଗଷ୍ଟ ୧୪ରେ କଂଗ୍ରେସ ପକ୍ଷରୁ ବାଲେଶ୍ବର-ବଳଙ୍ଗାରେ ପଦଯାତ୍ରା: ସପ୍ତାହେ ପୁଲିସ ଷ୍ଟେସନ ଘେରାଉ ପାଇଁ ଚେତାବନୀ
ସାଧାରଣତନ୍ତ୍ର ଦିବସ-୨୦୨୫ରେ ଉତ୍ତମ ପ୍ରଦର୍ଶନ କରିଥିବା ପ୍ରଜ୍ଞାପନ ମେଢ଼ ଓ ପରେଡ ଦଳମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିବେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସ୍ୱତନ୍ତ୍ର ସଂଖ୍ୟାକୁ ଏହି ଅବସରରେ ମୁଖ୍ୟ ଅତିଥି ଉନ୍ମୋଚନ କରିବେ । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯିବ। ଏଥି ସହ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ନିମନ୍ତ୍ରଣ ପତ୍ର ମୁଦ୍ରଣ ଓ ବଣ୍ଟନ ପାଇଁ ପଦକ୍ଷେପ ନିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ । ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇଠାରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯିବ । ସେହିପରି ଆର୍ଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ ।
ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ବିଷ୍ଣୁ ପ୍ରିୟା ସାହୁ, ଉପ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପି୍ରୟଦର୍ଶିନୀ, ବିତ୍ତ ପରାମର୍ଶଦାତା ପୃଥ୍ୱୀରାଜ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ: ଏମ୍ସ ଭୁବନେଶ୍ୱରରେ ଐତିହାସିକ ୟରୋସ୍କୋପିଆ ୨୦୨୫ ଆୟୋଜିତ
i & pr odisha | Independence Day-2025