କଙ୍ଗାରୁ କୋର୍ଟର ଅମାନବୀୟ ଦଣ୍ଡ: ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

Advertisment
କଙ୍ଗାରୁ କୋର୍ଟର ଅମାନବୀୟ ଦଣ୍ଡ: ଗୁଣିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ/ମାଲକାନଗିରି: ଗୁଣିଆ ସନ୍ଦେହରେ କଙ୍ଗାର କୋର୍ଟର ନିର୍ଦ୍ଦେଶକ୍ରମେ ଯୁବକଙ୍କୁ ନିସ୍ତୁକ ମାଡ଼ ହୋଇଛି। ଏହି ଘଟଣାକୁ ପ୍ରଘଟ କଲେ ମୃତ୍ୟୁଦଣ୍ଡ ପାଇଁ ମଧ୍ୟ ଯୁବକଙ୍କୁ ଚେତାବନୀ ଦିଆଯାଇଛି । ପଡ଼ିଆ ବ୍ଲକ୍‌ କାଲଦାପାଲି ପଞ୍ଚାୟତ ଟାଙ୍ଗୁରଗୁଡ଼ା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଏମ୍‌ଭି-୭୯ ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ କରିଛି। ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଗାଁର କେହି ଜଣେ ଗୁଣିଗାରେଡ଼ି କରିବାରୁ ଲୋକେ ବାରମ୍ବାର ଅସୁସ୍ଥ ହେଉଥିବା ଉପରୋକ୍ତ ଗାଁର କିଛି ବ୍ୟକ୍ତିଙ୍କୁ ସ୍ବପ୍ନାଦେଶ ହୋଇଥିଲା। ତେଣୁ ଗ୍ରାମବାସୀ ଗୁଣିଆକୁ ଖୋଜିବା ଆରମ୍ଭ କରିଥିଲେ। ଶେଷରେ ଚେନସା ମାଡ଼ି ନାମକ ଜଣେ ଯୁବକ ସନ୍ଦେହ ଘେରକୁ ଆସିଥିଲେ। ଏହାପରେ ଗାଁରେ କଙ୍ଗାରୁ କୋର୍ଟ କରି ଚେନସାଙ୍କୁ ବିନା ପ୍ରମାଣରେ ଦୋଷୀ ସାବ୍ୟସ୍ତ କରାଗଲା। କୋର୍ଟର ନିଷ୍ପତ୍ତି ଅନୁସା‌ରେ ଚେନସାକୁ ମାରିଦେବାକୁ ନିଷ୍ପତ୍ତି ନିଆଗଲା।

ଆଜି ସକାଳୁ ଚେନସାକୁ ଘରୁ ମାରପିଟ୍‌ କରି ଛତିଶଗଡ଼ ସୀମା ତଥା ଶାବେରୀ ନଦୀ କୂଳକୁ ନିଆଯାଇଥିଲା। ନିସ୍ତୁକ ପିଟିବା ପରେ ଗୁରୁତର ଅବସ୍ଥାରେ କିଛି ଲୋକ ପୁଣି ଘରେ ଆଣି ଛାଡ଼ିଥିଲେ। ଯିବା ପୂର୍ବରୁ ଆକ୍ରମଣ ସଂପର୍କରେ ପୁଲିସକୁ ଜଣାଇଲେ କିମ୍ବା ଚିକିତ୍ସା ପାଇଁ ଡାକ୍ତରଖାନାକୁ ଗଲେ ଜୀବନରେ ମାରିଦେବାକୁ ଏମାନେ ଚେତାବନୀ ଦେଇଥିଲେ। ବର୍ତ୍ତମାନ ଚେନସାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। ଶୁଣିବାକୁ ମିଳୁଛି ଚେନସାକୁ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ଯୋଜନା ହୋଇଥିଲା। କୌଣସି ସୂତ୍ରରୁ ଏଭଳି ଅମାନୁଷିକ ଘଟଣା ସଂପର୍କରେ ଖବର ପାଇ ଏମ୍‌ଭି-୭୯ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। ଚେନସାଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣେ ଅଭିଯୁକ୍ତକୁ ଚିହ୍ନଟ କରି ଥାନାରେ ଅଟକ ରଖାଯାଇଛି। ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe