Injured elephant calf rescued from Saranda jungle: Medicine administered in presence of forest department and medical team Photograph: (sambad.in)
ବିଶ୍ରା: ପ୍ରାୟ ସପ୍ତାହକ ପୂର୍ବେ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଆହତ ହୋଇଥିବା ହାତୀ ଶାବକକୁ ତୁତୁଙ୍ଗାଉଲି ଜଙ୍ଗଲରେ ବନବିଭାଗ ପକ୍ଷରୁ ଠାବ କରାଯାଇଛି। ହାତୀ ଶାବକଟି ବହୁତ ଦୁର୍ବଳ ହୋଇଯାଇଛି। ତାର ବାମ ପଛଗୋଡ଼ ଗୁରୁତର ଆଘାତ ଲାଗିଛି ଓ ସେଥିରୁ ପୂଜରକ୍ତ ବାହାରୁଥିବା ଦେଖାଯାଇଛି।
ଝାଡ଼ଖଣ୍ଡ ସରଣ୍ଡା ଡିଭିଜନର ଡିଏଫ୍ଓ ଅଭିରୂପ ସିହ୍ନା କହିଛନ୍ତି ଯେ, ସରଣ୍ଡାର ଦୀଘା ଗାଁରୁ ପ୍ରାୟ ୫ କିମି ଦୂର ତୁତୁଙ୍ଗାଉଲି ଜଙ୍ଗଲର ନାଳ ନିକଟରେ ଆହତ ହାତୀ ଶାବକ ମିଳିଛି। ଚାଇଁବସା, ରାଉରକେଲା ଓ କେନ୍ଦୁଝରର ପ୍ରାଣୀଚିକିତ୍ସକ ଦଳ ସେଠାରେ ଉପସ୍ଥିତ ଅଛନ୍ତି। ଆହତହାତୀକୁ ପ୍ରାଥମିକ ଚିକିତ୍ସା ଓ ଔଷଧ ଦିଆଯାଇଛି। ଗୁଜରାଟର ବନତରା ପ୍ରାଣୀ ସଂରକ୍ଷଣ କେନ୍ଦ୍ରରୁ ଉଦ୍ଧାରକାରୀ ଦଳକୁ ମଧ୍ୟ ଡକାଯାଇଛି। ଡାକ୍ତରୀ ପରୀକ୍ଷା ପରେ ହିଁ ହାତୀଛୁଆ ଆହତ ହେବାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।
ନିୟମ ଅନୁଯାୟୀ, ହାତୀକୁ କେବଳ ଥରେ ମାତ୍ର ହି ଟ୍ରାଙ୍କୁଲାଇଜ୍ କରାଯାଇଥାଏ। ହାତୀଟି ବର୍ତ୍ତମାନ ନାଳକୂଳରେ ଅଛି ଓ ତା’ର ଅବସ୍ଥା ସଙ୍କଟାପନ୍ନ। ଏହା ସହିତ ହାତୀଟି ଏବେ ବି ଆକ୍ରମଣାତ୍ମକ ରହିଛି।
ତେଣୁ ସେଠାରେ ଟ୍ରାଙ୍କୁଲାଇଜ୍ କରିବା ଟିକେ କଷ୍ଟକର। ବନତରା ଦଳ ତାକୁ ଟ୍ରାଙ୍କୁଲାଇଜ୍ କରିବା ପରେ ହିଁ ଏହାର ଉପଯୁକ୍ତ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି। ତଥାପି ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଏହି ଘଟଣା ଘଟିଥିବା ସମ୍ଭାବନାକୁ ମଧ୍ୟ ସେ ଅସ୍ୱୀକାର କରିନାହାନ୍ତି।
ହାତୀ ନିକଟରେ ପହଞ୍ଚିଲା ‘ସମ୍ବାଦ’ ଟିମ୍
ଆହତ ହାତୀଟିକୁ ଖୋଜି ତା’ର ଅତି ନିକଟରେ ପହଞ୍ଚିଥିଲା ‘ସମ୍ବାଦ’ ଟିମ୍। ସେମାନଙ୍କୁ ଦେଖି ହାତୀଟି ଗର୍ଜନ କରିବା ସହ ଛୋଟେଇ ଛୋଟେଇ ମାଡ଼ି ଆସିଥିଲା। ମାତ୍ର ଟିମ୍ ସଙ୍ଗରେ ଥିବା ସ୍ଥାନୀୟ ଗ୍ରାମବାସୀ ଧରମ ପ୍ରକାଶ ଟପ୍ନୋ ହାତୀକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ହାତୀଟି ତା’ର ଆହତ ଗୋଡ଼ଟିକୁ ଟେକି ଦେଖାଇବାକୁ ଚେଷ୍ଟା କରିଥିଲା।
sundargarh | Elephant | Naxal
Follow Us