ଅସୁରକ୍ଷିତ ଗଜରାଜ: ଏବର୍ଷ ମଲେଣି ୫୬ ହାତୀ

ବ୍ୟା‌ରେଜ୍‌ରେ ଫସି ମରିବା ପ୍ରଥମ ଘଟଣା!, ୪ ବର୍ଷ ‌ହେଲା ହାତୀ ଜନ୍ମମୃତ୍ୟୁର ହିସାବ ନାହିଁ

ହାତୀଙ୍କୁ ଜଗିବ ଡ୍ରୋନ୍‌, ୨୦୨୨ରେ କାର୍ଯ୍ୟକ୍ଷମ ହେବ ରେସ୍କ୍ୟୁ କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ହାତୀ। ଗତ ସପ୍ତାହକ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ଅଧିକ ହାତୀଙ୍କ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି। କେଉଁଠି ଛୁଆହାତୀର ପ୍ରାଣ ଯାଇଛି ତ ଆଉ କେଉଁଠି ପାଣିରେ ବୁଡ଼ି ଦନ୍ତା ମରିଛି। ଏତେ ପରେ ବି ଚେତୁନି ବନ ବିଭାଗ। ଅଫିସରମାନେ ଏସି ଘରେ ବସି ନକ୍ସା ପ୍ରସ୍ତୁତ କରି ଦେଉଛନ୍ତି। ହେଲେ ତାହା କିଭଳି କାର୍ଯ୍ୟକାରୀ ହେଉଛି କି ନାହିଁ ଦେଖିବାକୁ କେହି ନାହାନ୍ତି। ଏମିତିକି ହାତୀ ବିପଦରେ ପଡ଼ିଲେ ତାହାକୁ କିଭଳି ଉଦ୍ଧାର କରାଯିବ ସେନେଇ ବି ଯୋଜନା ପ୍ରସ୍ତୁତ କରୁନାହାନ୍ତି। ଯେଉଁଥିପାଇଁ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବଢ଼ି ଚାଲିଛି।

ଚିନ୍ତାର ବିଷୟ ହେଉଛି ଯେ ଗତ ୯ ମାସରେ ୫୬ଟି ହାତୀଙ୍କ ପ୍ରାଣ ଯାଇଛି। ଦୁର୍ଘଟଣା, ବିଷକ୍ରିୟା, ବିଦ୍ୟୁତ୍‌ ଆଘାତ, ଶିକାରୀଙ୍କ କବଳରେ ପଡ଼ି ଏହି ହାତୀଗୁଡ଼ିକ ପ୍ରାଣ ହରାଉଛନ୍ତି। ତେବେ ଗତ ସପ୍ତାହରେ ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ମରିବା ଘଟଣାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। କେଉଁଥିପାଇଁ ହାତୀଟିର ମୃତ୍ୟୁ ହେଲା ତାହାକୁ ନେଇ ଏବେ ବି ବିବାଦ ଲାଗିରହିଛି। କିଏ ପୋଲ ଉପରେ ଲୋକଙ୍କ ଭିଡ଼କୁ ଦୋଷ ଦେଉଥିବାବେଳେ ଆଉ କିଏ ନଦୀରୁ ହାତୀ ବାହାରିବାକୁ ବାଟ ନ ଥିବାରୁ ମୃତ୍ୟୁ ହେଲା ବୋଲି କହୁଛନ୍ତି। ଏଭଳି ସମୟରେ ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କେତେ ଯତ୍ନବାନ ତାହାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଦୁର୍ଘଟଣାର ୩ ଦିନ ପରେ ବି ସ୍ଥିତିର ସମୀକ୍ଷା ହୋଇନି। କାରଣ ଖୋଜା ଯାଇନି। କାହାକୁ ଦୋଷ ଦିଆଯାଇ ନାହିଁ କି କାର୍ଯ୍ୟାନୁଷ୍ଠାନ ହୋଇନି। ସତେ ଯେମିତି ଏହି ହାତୀ ମୃତ୍ୟୁ ପାଇଁ କେହି ଦୋଷୀ ନୁହନ୍ତି।

ସେପଟେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସେହି ଅନୁପାତରେ ଜନ୍ମ ହେଉଛନ୍ତି କି ନାହିଁ ସେନେଇ ବନ ବିଭାଗ ପାଖରେ ଖବର ନାହିଁ। କାରଣ ୪ ବର୍ଷ ହେଲା ହାତୀ ଗଣନା ହୋଇ ନାହିଁ। ୨୦୨୧ରେ ଗଣନା ହେବାକୁ ଥିବା ବେଳେ କରୋନା ପାଇଁ ତାହା ବନ୍ଦ ରହିଛି। ୨୦୨୨ରେ ହାତୀ ଗଣନା କରିବାକୁ ବନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରିଛି। ଯଦି ଦେଖାଯାଏ ୨୦୧୪ ତୁଳନାରେ ୨୦୧୭ରେ ସେତେଟା ବଢ଼ି ନ ଥିଲେ। ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଓଡ଼ିଶାରେ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ୪୬ଟି ଥିଲା। ‌ତେବେ ଗତ ଏକ ଦଶନ୍ଧିରେ ପ୍ରତିବର୍ଷ ହାରାହାରି ୭୬ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏମିତିକି ଗତ ୪ ବର୍ଷ ମଧ୍ୟରେ ହାରାହାରି ୮୦ଟି ହାତୀଙ୍କ ମୃତ୍ୟୁ ଘଟିଛି। ଗତ ୧୧ ବର୍ଷ ୫ ମାସରେ ଓଡ଼ିଶାରେ ୮୭୨ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ବାରା ମୃତ୍ୟୁମୁଖରେ ପଡ଼ିଛନ୍ତି।

ମୁଣ୍ଡଳୀ ହାତୀ ମୃତ୍ୟୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ୱାଇଲ୍ଡଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖି ନଦୀ, ନାଳରେ ହାତୀଙ୍କ ଚଳପ୍ରଚଳ ପାଇଁ ରୢାମ୍ପ ସୁବିଧା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ମୁଣ୍ଡଳୀରେ ହାତୀ ଦୁର୍ଘଟଣା ବନ୍ୟପ୍ରାଣୀ ପ୍ରେମୀଙ୍କୁ ଆଘାତ ଦେଇଛି। ବ୍ୟାରେଜ୍‌ ନିକଟ ହାତୀଙ୍କ ଚଲାପଥ ହୋଇଥିଲେ ମଧ୍ୟ ସେଭଳି କୌଣସି ସୁବିଧା ନାହିଁ। ଯେଉଁଥିପାଇଁ ଏହି ଦନ୍ତା ହାତୀଟି ଦୁଇ ଥର କୂଳକୁ ଆସି ଉପରକୁ ଉଠିବାକୁ ଉଦ୍ୟମ କରିଥିଲା। ମାତ୍ର ସମ୍ଭବପର ହୋଇ ନ ଥିଲା। ବନ୍ୟା ସମୟରେ ହାତୀଙ୍କ କ୍ଷେତ୍ରରେ ନିୟମିତ ଭାବେ ଏଭଳି ଘଟଣା ସମ୍ନାକୁ ଆସିଥାଏ। ହାତୀ ଭାସି ଯାଆନ୍ତି। ମାତ୍ର କେବେ ପ୍ରାଣ ନ ଥିଲେ। ଏଭଳି ଘଟଣାକୁ ରୋକିବା ପାଇଁ ମହାନଦୀରେ ଥିବା ବିଭିନ୍ନ ବ୍ୟାରେଜ୍‌ ସମେତ ବ୍ରାହ୍ମଣୀ ନଦୀର ସାମଲ ବ୍ୟାରେଜ୍‌, ବୈତରଣୀ ନଦୀର କାନପୁର ବ୍ୟା‌ରେଜ୍‌ ନିକଟରେ ହାତୀ ଚଳପ୍ରଚଳ କରୁଥିବାରୁ ରୢାମ୍ପର ଆବଶ୍ୟକତା ରହିଛି। ଏ ଦିଗରେ ପଦ‌କ୍ଷେପ ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe