ଅସୁରକ୍ଷିତ ବଡ଼ ଡାକ୍ତରଖାନା: ସୁରକ୍ଷାକର୍ମୀ ଓ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ଅସୁରକ୍ଷିତ ବଡ଼ ଡାକ୍ତରଖାନା: ସୁରକ୍ଷାକର୍ମୀ ଓ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ବାଲେଶ୍ବର: ଅସୁରକ୍ଷିତ ହୋଇପଡ଼ିଛି ବାଲେଶ୍ବର ବଡ଼ ଡାକ୍ତରଖାନା। କଥା କଥାରେ ମାରଣାସ୍ତ୍ରରେ ଆକ୍ରମଣ ତ ଆଉ କେତେବେଳେ ସାମାନ୍ୟ କଥାକୁ ନେଇ ପିଟାମରା ଦେଖିବାକୁ ମିଳିଛି। ଅନ୍ୟଙ୍କୁ ସୁରକ୍ଷା ଦେଉଥିବା ସୁରକ୍ଷାକର୍ମୀ ବି ଏଥିରେ ବାଦ୍‌ ପଡ଼ୁନାହାନ୍ତି। ଆଜି ଏଭଳି ଏକ ଅଭାବୀନୟ ଘଟଣା ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଥିଲା। ପ୍ରସ୍ଥାନ ଗେଟ୍‌ଦେଇ ଜଣେ ଯୁବକ ଡାକ୍ତରଖାନା ଭିତରକୁ ଯିବାକୁ ଚାହିଁଥିବା ବେଳେ ଏହାକୁ ନେଇ ସୁରକ୍ଷାକର୍ମୀ ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଉଭୟ ପକ୍ଷ ପିଟାମରା ହୋଇଥିଲେ। ଡାକ୍ତରଖାନା ପରିସରରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ମୁତାବକ, ସୋମବାର ମଧ୍ୟାହ୍ନ ୧୨.୩୦ ସମୟରେ ମାନସିଂବଜାର ଅଞ୍ଚଳର କାବୁଲୁ ଦାସଙ୍କ ପୁଅ ବିକି ଦାସ(୩୦) ନିଜ ପୁଅକୁ ଧରି କୁକୁର କାମୁଡ଼ା ‌ଇଜେକ୍ସନ୍‌ ଦେବାକୁ ଡାକ୍ତରଖାନା ଆସିଥିଲେ। ଡାକ୍ତରଖାନାର ପ୍ରସ୍ଥାନଗେଟ୍‌ ପଟେ ସେ ଯିବାକୁ ଚାହିଁଥିଲେ। ହେଲେ ଗେଟ୍‌ ପାଖରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ମୁନ୍ନା ଚାନ୍ଦ(୨୫) ସାହୁ ତାଙ୍କୁ ଅଟକାଇଥିଲେ। ବିକିକୁ ପ୍ରବେଶ ଗେଟ୍‌ଦେଇ ଯିବାକୁ କହିଥିଲେ। ଏଥିରେ ବିକି ସୁରକ୍ଷାକର୍ମୀଙ୍କ କଥାକୁ ନ ଶୁଣି ଯିବାକୁ ଜିଦ୍‌ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା।

publive-image

ବିକି ଖରାପ ଭାଷାରେ ସୁରକ୍ଷାକର୍ମୀ ମୁନ୍ନାଙ୍କୁ ଗାଳିଗୁଲଜ କରିଥିଲେ। ଏ ବାବଦରେ ଶ୍ରୀ ଚାନ୍ଦ ସୁକ୍ୟରିଟି ସୁପରଭାଇଜରଙ୍କୁ ଜଣାଇବାରୁ ସୁପରଭାଇଜର ଆସି ବିକିଙ୍କୁ ବୁଝାସୁଝା କରିବା ପରେ ବିକି ଭୁଲ ମାଗି ସେଠାରୁ ପଳେଇ ଯାଇଥିଲେ। କିଛି ସମୟ ପରେ ବିକି ତାଙ୍କ ସାଙ୍ଗ ଦିଲ୍ଲୀପ ବେହେରା(ଜୟୀ)(୩୧)କୁ ଡାକ୍ତରଖାନାକୁ ଡାକି ସୁରକ୍ଷାକର୍ମୀ ମୁନ୍ନାଙ୍କୁ ମାଡ଼ ମାରିଥିଲେ। ଏହା ଜାଣି ଅନ୍ୟ ସୁରକ୍ଷା କର୍ମୀମାନେ ସେଠାରେ ପହଞ୍ଚି ବିକି ଓ ଜୟୀଙ୍କୁ ମାଡ଼ ମାରିବା ସହିତ ଫାଣ୍ଡିକୁ ନେବାକୁ ଚେଷ୍ଟା କରିଥିଲେ।

ଉଭୟ ପକ୍ଷ ପିଟାମରା ହୋଇ ଗୁରୁତର ଆହତ ହୋଇଥିଲେ। ସୁରକ୍ଷାକର୍ମୀ ମୁନ୍ନାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ବିକି ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଜୟୀ ବି ଆହତ ହୋଇଥିଲା। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଟାଉନ୍‌ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ସନ୍ଧ୍ୟାରେ ଦୁଇ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇ ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe