ପ୍ରତୀକ ପାଲଟିଛନ୍ତି ପ୍ରେରଣା: ଖପର ଘରୁ ‘ଖେଲୋ ଇଣ୍ଡିଆ’ ପଦକ

ପ୍ରତୀକ ପାଲଟିଛନ୍ତି ପ୍ରେରଣା: ଖପର ଘରୁ ‘ଖେଲୋ ଇଣ୍ଡିଆ’ ପଦକ

ଭୁବନେଶ୍ବର: ଦିନେ ଥିଲେ ଆମାଜନ ଡେଲିଭରି ବୟ। ଆଜି ବିଶ୍ବ ଜିତିବାର ସ୍ବପ୍ନ ଦେଖୁଛନ୍ତି। ବରଗଡ଼ ଜିଲ୍ଲା ଡାଙ୍ଗ ଗାଁର ଅଭାବୀ ମା’ବାପା ଯୁଧିଷ୍ଠିର ମହାରଣା ଓ ଉର୍ମିଳା ମହାରଣାଙ୍କ କ୍ରୀଡ଼ାବିତ୍ ପୁଅ ପ୍ରତୀକ ମହାରଣାଙ୍କୁ ଖେଳ ହିଁ ନୂଆ ଉଡ଼ାଣ ଭରିବାକୁ ଡେଣା ପ୍ରଦାନ କରିଛି। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ଯେ ସବୁକିଛି ହାସଲ କରିହେବ, ସେକଥା ପ୍ରମାଣ କରିଛନ୍ତି ପ୍ରତୀକ। ଖପର ଘରୁ ବାହାରି ଖେଲୋ ଇଣ୍ଡିଆ ପଦକ ଜିତିବା ଭିତରେ ଅନେକଙ୍କ ପାଇଁ ସେ ପାଲଟି ଯାଇଛନ୍ତି ପ୍ରେରଣାର ଉତ୍ସ। ବାଧାବିଘ୍ନ ଓ ଅନଟନ ସତ୍ତ୍ବେ ମାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ପ୍ରତୀକ। ଜାତୀୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଏକାଧିକ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏପରିକି କନିଷ୍ଠସ୍ତରୀୟ ଖେଳାଳି ହୋଇଥିଲେ ମଧ୍ୟ ବରିଷ୍ଠଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ଅନେକ ସଫଳତା ସାଉଣ୍ଟିଛନ୍ତି ଏହି ୧୬ ବର୍ଷୀୟ କିଶୋର।

ମହାନ ଧାବକ ଉସେନ ବୋଲ୍ଟଙ୍କୁ ଆଦର୍ଶ କରିଥିବା ପ୍ରତୀକଙ୍କ ସଫଳତା ଧାରା ମଧ୍ୟରେ ରହିଛି ରାଜ୍ୟ ୧୮ବର୍ଷରୁ କମ୍ ମିଟ୍‌ର ୧୦୦ ମିଟରରେ ନୂଆ କୀର୍ତ୍ତିମାନ (୧୦.୭୨ ସେକେଣ୍ଡ), ୧୮ ବର୍ଷରୁ କମ୍ ପୂର୍ବାଞ୍ଚଳ ଦୌଡ଼କୁଦର ୨୦୦ ମିଟରରେ ସ୍ବର୍ଣ୍ଣ (୨୨ ସେକେଣ୍ଡ), ଗତବର୍ଷର ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୧୦୦ ମିଟରରେ କାଂସ୍ୟ, ୧୦୦୦ ମିଟର ମିଡ୍‌ଲେ ରିଲେରେ ରୌପ୍ୟ, ୨୦୨୩ ମସିହାର ୩୮ତମ ଜାତୀୟ କନିଷ୍ଠ ଦୌଡ଼କୁଦର ୧୦୦୦ ମିଟର ସ୍ପ୍ରିଣ୍ଟ୍ ମିଡ୍‌ଲେରେ ନୂଆ କୀର୍ତ୍ତିମାନ ସହ ସ୍ବର୍ଣ୍ଣ। କେବଳ ୧୦୦ ମିଟର ନୁହେଁ ୨୦୦ ମିଟର ଇଭେଣ୍ଟ୍‌ରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ଚାଲିଛନ୍ତି ସେ। ‘‘କରୋନା କାଳରେ ବାପାଙ୍କ କାମଧନ୍ଦା ପୂରା ଠପ୍ ପଡ଼ିଯାଇଥିଲା। ଘରେ ଅଭାବ ଅନଟନ ଲାଗି ରହିଥିଲା। ସେଥିପାଇଁ ମୁଁ ୬-୭ ମାସ ଆମାଜନ ଡେଲିଭରି ବୟ ଭାବେ କାମ କରୁଥିଲି। ମାଟ୍ରିକ୍‌ରେ ୭୪ ପ୍ରତିଶତ ନମ୍ବର ରଖିଛି। ଖୁବ୍‌ଶୀଘ୍ର ଯୁକ୍ତ ୨ରେ ନାମ ଲେଖାଇବାକୁ ଯାଉଛି। ଶିବ ମିଶ୍ର ସାର୍‌ଙ୍କ ପ୍ରୋତ୍ସାହନ ଓ ମାର୍ଗଦର୍ଶନରେ ‌ମୋ ଦକ୍ଷତାକୁ ଆହୁରି ଶାଣିତ କଲି। ପରେ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳ ହୋଇ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ରାଲାଏନ୍ସ ଏଚ୍‌ପିସିରୁ ଡାକରା ପାଇଥିଲି। ତେବେ ବ୍ୟକ୍ତିଗତ କାରଣ ପାଇଁ ସେଠାରେ ଯୋଗ ଦେଇପାରି ନଥିଲି। ଏବେ ବିଶ୍ବ ଯୁବ କ୍ରୀଡ଼ା ପାଇଁ ପ୍ରସ୍ତୁତି କରୁଛି। ଜୁନ୍‌ରେ ହେବାକୁ ଥିବା ଜାତୀୟ ଯୁବ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରି ଏଥିଲାଗି ଭାରତୀୟ ଦଳରେ ସ୍ଥାନ ପାଇବି ବୋଲି ଆଶା ରଖିଛି’’ ବୋଲି ପ୍ରତୀକ ‘ସମ୍ବାଦ’କୁ କହିଛନ୍ତି।
ତାଙ୍କୁ ନେଇ ପ୍ରଶିକ୍ଷକ ଶିବ ମିଶ୍ର ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ପ୍ରତୀକ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ସଠିକ୍ ମାର୍ଗଦର୍ଶନ, ସମର୍ଥନ ଓ ପ୍ରଶିକ୍ଷଣ ମିଳିଲେ ଅନ୍ତର୍ଜାତୀୟ ସ୍ତରରେ ସେ ନିଶ୍ଚିତ ଭାବେ ପଦକ ଜିତିପାରିବ। ତା ପାଇଁ ବରଗଡ଼ରେ ଅଭ୍ୟାସ ବ୍ୟବସ୍ଥା କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe