ମଣ୍ଡି ବଦଳରେ ଛତିଶଗଡ଼ ଯାଉଛି ଧାନ: ଚାଲାଣ ହୋଇ ସାରିଲାଣି ୩୦%, ଦଲାଲ ଦେଉଛନ୍ତି ଏମ୍‌ଏସ୍‌ପି ମୂଲ୍ୟ

Advertisment

ଦଲାଲ ଖୁସ୍‌, ଚାଷୀ ବି ଖୁସ୍‌

ଦଲାଲ ଖୁସ୍‌, ଚାଷୀ ବି ଖୁସ୍‌

ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା ଜାରି: ମଣ୍ଡିରେ ସର୍ବନିମ୍ନ ଭିତ୍ତିଭୂମି ନାହିଁ, କାକରରେ ଭିଜୁଛି ଧାନ

ବରଗଡ଼/ନୂଆପଡ଼ା: ପଦ୍ମପୁର ଉପଖଣ୍ଡରେ ଉପନିର୍ବାଚନ ତାତି! ସାଧାରଣ ଜନତାଙ୍କଠାରୁ ରାଜନୈତିକ ନେତା, ସମସ୍ତେ ଏବେ ପ୍ରଚାରରେ ମାତିଛନ୍ତି। ଏପରିସ୍ଥଳରେ, ଧାନକିଣାକୁ ନେଇ ଏକ ବାସ୍ତବ ଚିତ୍ର ସାମ୍‌ନାକୁ ଆସିଛି। ଉପଖଣ୍ଡର ବିଭିନ୍ନ ଅଞ୍ଚଳର ବିଲରୁ ପ୍ରାୟ ୮୦ ପ୍ରତିଶତ ଧାନ କଟି ସାରିଲାଣି। କିନ୍ତୁ, ମଣ୍ଡିରେ ଧାନ ନଥିବା ବେଳେ ୩୦ ପ୍ରତିଶତ ଛତିଶଗଡ଼କୁ ଚାଲାଣ ହୋଇସାରିଲାଣି। କେବଳ ବରଗଡ଼ ଜିଲ୍ଲାର ପଦ୍ମଖଣ୍ଡ କାହିଁକି, ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି।

ପଦ୍ମପୁର ଉପଖଣ୍ଡରେ ନଭେମ୍ବର ପହିଲାରୁ ଖରିଫ୍‌ ଧାନ ଅମଳକ୍ଷମ ହୋଇଥାଏ। ଏହିଦୃଷ୍ଟିରୁ ନଭେମ୍ବର ପ୍ରଥମାର୍ଦ୍ଧରୁ ଜିଲ୍ଲାରେ ଖରିଫ୍‌ ଧାନକିଣା ଆରମ୍ଭ ହୋଇଥାଏ। କିନ୍ତୁ, ଏଥର ବିଳମ୍ବରେ ଧାନକିଣା ଚାଷୀଙ୍କୁ କ୍ଷତି ପହଁଚାଇଛି। ‘ସମ୍ବାଦ ଗ୍ରାଉଣ୍ଡଜିରୋ’ରୁ ହସ୍ତଗତ ତଥ୍ୟ ଅନୁସାରେ, ପଦ୍ମପୁର ଉପଖଣ୍ଡରେ ନଭେମ୍ବର ମାସ ପହିଲାରୁ ୩୦% ଖରିଫ୍‌ ଧାନ ଅମଳ ହୋଇସାରିଥିଲା। କିନ୍ତୁ, ଗତ ୨୧ ତାରିଖରେ ଧାନମଣ୍ଡି ଖୋଲିଛି। ଏହି ସମୟ ବ୍ୟବଧାନ ମଧ୍ୟରେ ଚାଷୀ ବାଧ୍ୟହୋଇ ଅମଳ କରିଥିବା ଧାନ ସ୍ବଳ୍ପଦରରେ ମିଲର୍ସକୁ ଟେକିଦେଉଛି। ଚାଷୀଙ୍କ କହିବାନୁସାରେ, ତାଙ୍କ ଭଳି ଉପଖଣ୍ଡର ବହୁଚାଷୀ ଦଲାଲଙ୍କୁ ଧାନ ପଠାଇଛନ୍ତି। ଚଳିତବର୍ଷ ମଣ୍ଡି ଖୋଲିବା ଦିନରୁ ଧାନ ବିକ୍ରି ସ୍ବାଭାବିକ ହୋଇନାହିଁ। ଚାଷୀଙ୍କୁ ଉତ୍ପାଦିତ ଧାନ ହିସାବରେ ଟୋକନ୍‌ ମିଳିନାହିଁ। ତେଣୁ, ଚାଷୀ ଛତିଶଗଡ଼ର ଦଲାଲଙ୍କୁ ଏମ୍‌ଏସ୍‌ପି ମୂଲ୍ୟରେ ଧାନ ଦେବାକୁ କୁଣ୍ଠାବୋଧ କରୁନଥିବା ସେ ‘ସମ୍ବାଦ’କୁ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଛତିଶଗଡ଼ରେ କ୍ବିଣ୍ଟାଲ ପିଲା ଧାନଦର ୨୫ଶହ ଟଙ୍କା ଥିବାବେଳେ ସେହି ରାଜ୍ୟର ଦଲାଲ ଚାଷୀଙ୍କୁ ନିର୍ଦ୍ଧାରିତ ଏମ୍‌ଏସ୍‌ପି ମୂଲ୍ୟ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଦେଇ ଧାନ କିଣୁଛନ୍ତି। ଏଥିରୁ ଦଲାଲ ଭରପୁର ଲାଭ ଉଠାଉଛନ୍ତି, ମାତ୍ର ଉଚିତ ମୂଲ୍ୟରେ ଧାନ ବିକ୍ରି ହେଉଥିବାରୁ ଚାଷୀମାନେ ଧାନ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଏ ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ପାଇକମାଳ ବ୍ଲକ୍‌ ବୁଖୁରାମୁଣ୍ଡା, ପଲସେନ, ଲୁହାରପାଲି, ଗମ୍ଭାରିଡିହି ଆଦି ଗାଁର ଚାଷୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରୁ ଜଣାପଡ଼ିଛି ଯେ ଏହସବୁ ସ୍ଥାନରେ ୯୦ ପ୍ରତିଶତ ବିଲରେ ଧାନ କଟି ସାରିଛି। କିନ୍ତୁ, ଧାନ ମଣ୍ଡି ବଦଳରେ ଛତିଶଗଡ଼ ଯାଇଛି।
କେବଳ ବରଗଡ଼ରେ କାହିଁକି, ନୂଆପଡ଼ା ଜିଲ୍ଲାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବିଳମ୍ବ‌ରେ ମଣ୍ଡି ଖୋଲିବାର ସୁଯୋଗ ନେଇ   ଛତିଶଗଡ଼ ଧାନ ବେପାରୀମାନେ କମ୍‌ ମୂଲ୍ୟରେ ଧାନ କିଣି ନେଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe