ମାଓବାଦୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ: ନିର୍ବାଚନ ପୂର୍ବରୁ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଡିଜିପି

Advertisment
ମାଓବାଦୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ: ନିର୍ବାଚନ ପୂର୍ବରୁ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଡିଜିପି

ବ୍ରହ୍ମପୁର:‌ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଅଧୀନରେ ଥିବା ଜିଲ୍ଲାଗୁଡ଼ିକରେ ଆସନ୍ତା ମେ ମାସ ୧୩ ଓ ୨୦ରେ ନିର୍ବାଚନ ରହିଛି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଆଇନଶୃଙ୍ଖଳା ଓ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜି) ଅରୁଣ କୁମାର ଷଡ଼ଙ୍ଗୀ। ଡିଜି ଶ୍ରୀ ଷଡ଼ଙ୍ଗୀ ଆଜି ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଆଇଜି କାର୍ଯ୍ୟାଳୟରେ ୫ଟି ପୁଲିସ ଜିଲ୍ଲାର ଏସ୍‌ପିଙ୍କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକ ଉପରେ ସୂଚନା ପ୍ରଦାନ କରି ଡିଜି କହିଛନ୍ତି ଯେ ବିଶେଷ କରି ନିର୍ବାଚନକୁ କିପରି ଅବାଧ ଓ ମୁକ୍ତ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ମାଓ ଗତିବିଧି ରହିଥିବା ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି। ନିର୍ବାଚନ ସମୟରେ ଯେପରି କୌଣସି ପ୍ରକାର ମାଓହିଂସା ଦେଖା ନଦେବ ସେ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କରି ନିର୍ବାଚନ ବେଳେ ପୁଲିଂ ପାର୍ଟି, ବୁଥ୍‌ ଓ ଭୋଟର୍‌ଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଗତ ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ରେଞ୍ଜରେ ମୋଟ ୪ହଜାର ୩୦୦ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ସେହିପରି ଧାରା ୧୦୭ ଓ ୧୧୦ରେ ପ୍ରାୟ ୧୩ହଜାର ଲୋକଙ୍କ ବିରୋଧରେ ୪,୫୦୦ ନୋଟିସ ଜାରି କରାଯାଇଛି। ବେଆଇନ ଅର୍ଥ କାରବାର ସହିତ ଅନ୍ୟାନ୍ୟ ଦିଗ ଉପରେ ନଜର ରଖିବା ପାଇଁ ୨୯ଟି ଷ୍ଟାଟିକ୍‌ ସର୍ଭିଲାନ୍ସ ଟିମ୍‌ ସହିତ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ନିର୍ବାଚନ ପାଇଁ ପୁଲିସ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଦକ୍ଷିଣାଞ୍ଚଳ ରେଞ୍ଜରେ ବର୍ତ୍ତମାନ ୨୦ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି। ସେହିପରି ଓଡ଼ିଶାରୁ ୨୫ କମ୍ପାନି ଫୋର୍ସ କେନ୍ଦ୍ରକୁ ଦିଆଯାଇଛି। ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ରହିଥିବାରୁ ସେମାନେ ଫେରି ଆସିବା ସହିତ କେନ୍ଦ୍ରରୁ କିଛି ଅଧିକ ଫୋର୍ସ ମିଳିବ ବୋଲି ଆଶା କରାଯାଉଛି। ଏଣୁ ନିର୍ବାଚନ ସମୟରେ ସୁରକ୍ଷା ପାଇଁ ଯଥେଷ୍ଟ ଫୋର୍ସ ଉପଲବ୍ଧ ହେବ। ସେହିପରି ଓଡ଼ିଶା-ଆନ୍ଧ୍ର ସୀମାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବ୍ରହ୍ମପୁର ଓ ଗଜପତି ଜିଲ୍ଲାର ଆନ୍ଧ୍ର ସୀମାରେ ଚେକ୍‌ପୋଷ୍ଟ କରାଯାଇଛି ବୋଲି ଡିଜି ସୂଚନା ଦେଇଛନ୍ତି। ସମୀକ୍ଷା ବୈଠକରେ ଅତିରିକ୍ତ ଡିଜି (ଆଇନଶୃ୍ଙ୍ଖଳା) ସଂଜୟ କୁମାର, ଅତିରିକ୍ତ ଡିଜି(ଅପରେସନ୍‌) ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ଆଇଜି ଅନୁପ କୁମାର ସାହୁ, ଗୁଇନ୍ଦା ଡିଆଇଜି କନୱର୍‌ ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଜୟନାରାୟଣ ପଙ୍କଜ, ବ୍ରହ୍ମପୁର ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ, ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଗଜପତି ଏସ୍‌ପି ସ୍ବାତୀ ଏସ୍‌. କୁମାର, କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଓ ବୌଦ୍ଧ ଏସ୍‌ପି ରାଜ ପ୍ରସାଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe