ABP News
ସୋନପୁର: ବିନିକାର ଏକ ଫ୍ୟାନ୍ସି ଦୋକାନର ମାଲିକ ଦୀନବନ୍ଧୁ ମେହେର ତାଙ୍କ ଦୋକାନରେ ଥିବା ଷ୍ଟକ୍କୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନିରେ ବୀମାଭୁକ୍ତ କରିଥିଲେ। ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଋଣ କରି ଦୋକାନ କରିବା ସହ ୧୨ ଲକ୍ଷ ଟଙ୍କାର ବୀମା କରିଥିଲେ। ଏହି ବୀମା ପାଇଁ ୫ ହଜାର ୬୬୪ ଟଙ୍କା ସମ୍ପୃକ୍ତ ବୀମା କମ୍ପାନିକୁ ପୈଠ କରିଥିଲେ। ୨୦୨୦ ମଇ ୧୪ ତାରିଖ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଦୋକାନ ତାଲା ଭାଙ୍ଗି ଚୋରି କରି ନେଇଥିଲେ। ଏ ସମ୍ପର୍କରେ ଦୀନବନ୍ଧୁ ବିନିକା ଥାନାରେ ଅଭିଯୋଗ କରିଥିଲେ।
ଆକଳନ କରି କ୍ଷତିପୂରଣ ଦେବାକୁ ସେ ସମ୍ପୃକ୍ତ ବୀମା କମ୍ପାନି ନିକଟରେ ଆବେଦନ କରିଥିଲେ। ବୀମା କମ୍ପାନି ତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଦେବାରୁ ଦୀନବନ୍ଧୁ ‘ଜିଲ୍ଲା ଖାଉଟି ବିବାଦ ନିବାରଣ ଆୟୋଗ’ର ଦ୍ବାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ସମସ୍ତ କାଗଜପତ୍ର ଏବଂ ସାକ୍ଷ୍ୟକୁ ଭିତ୍ତିକରି ଗତବର୍ଷ ଡିସେମ୍ବର ୧୫ ତାରିଖ ଉପଭୋକ୍ତା ଦୀନବନ୍ଧୁଙ୍କୁ ୪ ଲକ୍ଷ ୫୨ ହଜାର ୩୩୯ ଟଙ୍କା କ୍ଷତିପୂରଣ ଦେବାକୁ ସମ୍ପୃକ୍ତ ବୀମା କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମଙ୍ଗଳବାର ଏହି କ୍ଷତିପୂରଣ ଟଙ୍କା ସମ୍ପୃକ୍ତ ବୀମା କମ୍ପାନି ଖାଉଟି ଅଦାଲତ ମାଧ୍ୟମରେ ଉପଭୋକ୍ତା ଶ୍ରୀ ମେହେରଙ୍କୁ ପଇଠ କରିଥିବା ଜିଲ୍ଲା ଖାଉଟି ବିବାଦ ନିବାରଣ ଆୟୋଗର ସଭାପତି ଉପନନ୍ଦ ପୁରୋହିତ ଏବଂ ସଭ୍ୟ ହଳଧର ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାମଶଙ୍କର ମେହେର ମାମଲା ପରିଚାଳନା କରୁଥିଲେ।
Follow Us