ବେଆଇନ୍ ବନ୍ଧୁକ କାରବାର, ଲମ୍ବିଛି ଜିଲ୍ଲା ବାହାରକୁ ଚେର

Advertisment
ବେଆଇନ୍ ବନ୍ଧୁକ କାରବାର, ଲମ୍ବିଛି ଜିଲ୍ଲା ବାହାରକୁ ଚେର

Unsplash

ବରଗଡ଼: ଏବେ ବରଗଡ଼ ସହରରେ ବୁଲୁଥିବା କିଛି ପୁରୁଣା ଅପରାଧୀ ପାଖରେ ବନ୍ଧୁକ ରଖିଥିବା ଦେଖିବାକୁ ମିଳୁଛି। ଏପରିକି ନିଜକୁ ପୁଲିସ୍‌ର ଲୋକ ବୋଲି ପରିଚୟ ଦେଇ ଏ‌ମାନେ ବଟି ଆଦାୟ କରୁଥିବା ଅଭିଯୋଗ ହେଉଛି। କିନ୍ତୁ ପୁଲିସ୍‌ ହାତରେ ଆଉ ବେଆଇନ୍‌ ବନ୍ଧୁକ ଲାଗୁନାହିଁ। ତେଣୁ ଅପରାଧୀମାନେ ସ୍ବଚ୍ଛନ୍ଦରେ ନିଜ କାୟା ବିସ୍ତାର କରୁଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ପୁଲିସ୍‌ ସଫଳତା ପାଇଥିଲା। ଏହି ଅବଧି ଭିତରେ ପୁଲିସ୍‌ ୧୦ଟି ବେଆଇନ ବନ୍ଧୁକ  ଜବତ କରିଥିଲା। ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା। ଏହାବାଦ୍‌ ଜିଲ୍ଲାରେ ଥିବା ସମସ୍ତ ଲାଇସେନ୍ସପ୍ରାପ୍ତ ବନ୍ଧୁକ ପୁଲିସ୍‌ ଜବତ କରିଥିଲା। ଜୋର୍‌ଦାର୍‌ ପୁଲିସ୍‌ ତତ୍ପରତା ଯୋଗୁଁ ଜିଲ୍ଲାରେ ସୁରୁଖୁରୁରେ ନିର୍ବାଚନ ସରିଥିଲା। କୌଣସି ସ୍ଥାନରେ କିଛି ବଡ଼ ଅଘଟଣ ଘଟିନଥିଲା। କିନ୍ତୁ ଏବେ ଅପରାଧୀଙ୍କ ହାତରେ ବେଆଇନ୍‌ ବନ୍ଧୁକ ରହିବା ଜିଲ୍ଲାରେ ମାଫିଆ ସକ୍ରିୟ ଥିବା ଇଂଗିତ କରୁଛି।

ସାଧାରଣତଃ ଜିଲ୍ଲାର ଅଧିକାଂଶ ବଡ଼ ଅପରାଧରେ ଛତିଶଗଡ଼ି ମାଫିଆଙ୍କ ହାତ ଥାଏ। ସେମାନେ ଏଠାରେ ଡକାୟତି ଏବଂ ଅନ୍ୟ ଅପରାଧ ଘଟାଇ ପୁଣି ସୀମାପାର୍‌ ହୋଇ ଛତିଶଗଡ଼ ପଳାୟନ କରୁଥିବା ନଜିର ରହିଛି। ଏପରିକି ଛତିଶଗଡ଼ରୁ ବରଗଡ଼ ଜିଲ୍ଲାକୁ ଚୋରା ଭାବେ ବନ୍ଧୁକ ଚାଲାଣ ହେଉଥିବା ଖବର ରହିଛି। ଯଦ୍ବାରା ଅପରାଧୀମାନେ ଅନାୟାସରେ ବନ୍ଧୁକ ପାଉଛନ୍ତି। ଗାଁ ଗୁଡ଼ିକରେ ମଧ୍ୟ ଅପରାଧୀମାନେ ବନ୍ଧୁକ ବ୍ୟବହାର କରିବା ପୁଲିସ୍‌ ପାଇଁ ବେଶୀ ଚିନ୍ତାର କାରଣ ସାଜିଛି।  ଗ୍ରାମାଞ୍ଚଳରେ ବି ହାଇପ୍ରୋଫାଇଲ୍‌ ଅପରାଧୀ ନିଜ କାୟା ବିସ୍ତାର ଆରମ୍ଭ କଲେଣି। ଏହାବାଦ୍‌ ବର୍ଷତମାମ ଜିଲ୍ଲାରେ ବାରମ୍ବାର ଚୋରି, ଡକାୟତି ଭଳି  ମାମଲା ସାମନାକୁ ଆସିଛି। ଏଥିରେ ରୋକ୍‌ ଲଗାଇବା ପାଇଁ ପୁଲିସ୍‌ ପାରମ୍ପାରିକ ଶୈଳୀ ବଦଳରେ ସ୍ବତନ୍ତ୍ର ଯୋଜନା ନେଇ କାର୍ଯ୍ୟ କରିବା କଥା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe