ଭୁବନେଶ୍ୱର : କୋଲକାତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଜୋନ୍ ଅନ୍ତର୍ଗତ ଆନ୍ତଃରାଜ୍ୟ ଜଳ ବିବାଦ ବୈଠକରେ ଆଜି ଓଡ଼ିଶା-ଛତିଶଗଡ଼-କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାଢେ ତିନି ଘଣ୍ଟା ଧରି ପରସ୍ପର ବିରୋଧରେ ଅଭିଯୋଗର ପାହାଡ଼ ଲଦିଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାର ଏଥିରେ ଆଜି କଡ଼ା ଜବାବ ରଖିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗକୁ ବିବାଦକୁ ଭିଡି ଦାୟୀ କରିଛନ୍ତି ଯେ ଏହି ସଂସ୍ଥା ସବୁଠାରେ କଳି ମଞ୍ଜି ପୋତୁଛି।
ସୂଚନା ଅନୁସାରେ, କୋଲକାତା ତାଜ୍ରେ ହୋଇଥିବା ଆଜିର ବୈଠକରେ ମହାନଦୀ ପ୍ରସଙ୍ଗ ଉଠିଥିଲା। ଏଥିରେ ରାଜ୍ୟ ସରକାର ଛତିଶଗଡ ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ଯେ ପୂର୍ବରୁ ଛତିଶଗଡ଼ ମହାନଦୀ ଉପରମୁଣ୍ଡରେ ୬ଟି ବ୍ୟାରେଜ ନିର୍ମାଣ ସଂପର୍କରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ। କିଛି ବି ହେଲାନି। ସମସ୍ତେ ଚୁପ୍ ବସିଲେ। ଏବେ ସପ୍ତମ ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ହେଲାଣି। ଏ ନେଇ କେନ୍ଦ୍ରୀୟ ଜଳ ଆୟୋଗକୁ ଓଡ଼ିଶା ଜଣାଇଛି। କାହିଁକି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିିଁ? ସେହିପରି ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ମାଣ ଉପରେ ରୋକ୍ ଲଗାଇଛନ୍ତି। ଏହାକୁ ବି ଛତିଶଗଡ ମାନିବନି?
ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ରାଜ୍ୟମାନେ ନିଜ ନିଜ ରାଜ୍ୟର ସ୍ୱାର୍ଥ ପାଇଁ କିଛି ବି କରିବେ। ହେଲେ କେନ୍ଦ୍ରୀୟ ଜଳ ଆୟୋଗ କି କାମ କରୁଛି? ଯାହା ଜଣାପଡୁଛି, ଏହି ସଂସ୍ଥାଟି ହିଁ ଅସଲରେ ସବୁ କଥାରେ କଳି ବଢାଉଛି। ଦ୍ୱନ୍ଦ୍ୱ ତିଆରି କରୁଛି, ରାଜ୍ୟ ରାଜ୍ୟ ଭିତରେ ବିବାଦର ମଞ୍ଜି ବୁଣୁଛି। କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ପରୋକ୍ଷରେ ଏକଥା ସୂଚାଉଛି ଯେ ଓଡ଼ିଶାର କ୍ଷତି ସମସ୍ତେ ଚାହୁଁଛନ୍ତି।
ଅନ୍ୟପକ୍ଷରେ ଛତିଶଗଡ ସରକାର ତେଲେଙ୍ଗିରି ଓ ନବରଙ୍ଗପୁର ପ୍ରକଳ୍ପ କଥା ଉଠାଇଥିଲେ। କହିଥିଲେ ଯେ ଓଡ଼ିଶା ସରକାର ଏ କ୍ଷେତ୍ରରେ ନିୟମ ଭାଙ୍ଗୁଛନ୍ତି। ଆଶଙ୍କା ହେଉଛି, ଛତିଶଗଡର କ୍ଷତି ହେବ। ଇନ୍ଦ୍ରାବତୀ ପାଣି ମିଳିବ ନାହିଁ। ପ୍ରତିଜବାବରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ଛତିଶଗଡ଼ ସ୍ୱପ୍ନର କାହାଣୀ ତିଆରି କରୁଛି। ନିର୍ଦିଷ୍ଟ କି କ୍ଷତି ହେବ ଆଜି ଜଣାନ୍ତୁ। ହେଲେ ସେମାନେ ତଥ୍ୟ ଦେଇପାରିନଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ଗୋଦାବରୀ ଟ୍ରିବ୍ୟୁନାଲର ରାୟକୁ ଓଡ଼ିଶା ଶତ ପ୍ରତିଶତ ମାନୁଛି। ଛତିଶଗଡ଼କୁ ଯେମିତି ପାଣି ଦିଆଯିବା କଥା ସେଥିରେ ଖିଲାପ ହୋଇନି କି ହେବାର ନାହିଁ। କେନ୍ଦ୍ରୀୟ ଜଳ ଆୟୋଗ ଓଡ଼ିଶାର ଯୁକ୍ତିରେ ରାଜି ହୋଇଥିଲା।
ସେହିଭଳି ମିଡିଲ୍ କୋଲାବ ପ୍ରକଳ୍ପ ନେଇ ଉଭୟ ରାଜ୍ୟ ପୁଣି ଭିଡାଭିଡି ହୋଇଥିଲେ। ପାଣି କମିିବା ସଂପର୍କରେ ଛତିଶଗଡ ଆପତ୍ତି ଉଠାଇଥିଲେ ହେଁ, ତଥ୍ୟ ଦେଇପାରିନଥିଲା। ଓ଼ଡିଶା ସରକାର ପ୍ରଶ୍ନ କରିଥିଲେ ଯେ ନିର୍ଦିଷ୍ଟ କେଉଁ କାରଣ ପାଇଁ ତେଲ୍ ଓ ଖଡ୍ଗ ପ୍ରକଳ୍ପ ପ୍ରସ୍ତାବକୁ ଆୟୋଗ ଅଟକାଇଛନ୍ତି ଜଣାନ୍ତୁ। ଉଭୟ ପ୍ରକଳ୍ପ ହୀରାକୁଦ ତଳମୁଣ୍ଡରେ ଅବସ୍ଥିତ। ଛତିଶଗଡ଼ ସହିତ ନେଣଦେଣ ନାହିଁ। ଏପରିସ୍ଥଳେ ଆୟୋଗ ଛତିଶଗଡକୁ ଜବାବ କାହିଁକି ମାଗିଛନ୍ତି? ଯଦି ମାଗିଲେ ନିୟମତଃ ସଂପୃକ୍ତ ସରକାର ୪୫ ଦିନ ମଧ୍ୟରେ ଜବାବ ଦେଉନଥିବା ପରିପ୍ରେକ୍ଷୀରେ ଓଡ଼ିଶାର ପ୍ରକଳ୍ପକୁ ଅନୁମତି ମିଳିବା କଥା। ଏମିତି କାହିଁକି ହେଉନାହିଁ?
ଉଲ୍ଲେଖଥାଉକି, ରାଜ୍ୟ ସରକାରଙ୍କ ତରଫରୁ ଜଳସଂପଦ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୁକ୍ତି ରଖିଥିଲେ। ଖୁବ୍ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ ବୋଲି ସୂଚନା ମିଳିଛି।
Follow Us