ଭିନ୍ନକ୍ଷମଙ୍କ ପ୍ରତି ବିବାହ ଆଗ୍ରହ ବଢ଼ୁଛି, ୯ ମାସରେ ୧୪ ଭିନ୍ନକ୍ଷମଙ୍କୁ ବିବାହ କରିଛନ୍ତି ସାଧାରଣ ବ୍ୟକ୍ତି

ଭିନ୍ନକ୍ଷମଙ୍କ ପ୍ରତି ବିବାହ ଆଗ୍ରହ ବଢ଼ୁଛି, ୯ ମାସରେ ୧୪ ଭିନ୍ନକ୍ଷମଙ୍କୁ ବିବାହ କରିଛନ୍ତି ସାଧାରଣ ବ୍ୟକ୍ତି

Shutterstock

ସମ୍ବଲପୁର: ଦିନ ‌ଥିଲା ଭିନ୍ନକ୍ଷମ ଯୁବକ/ଯୁବତୀଙ୍କୁ ବିବାହ କରିବା ପାଇଁ କେହି ଆଗ୍ରହ ଦେଖାଉ ନଥିଲେ। ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିବାହ କଲେ ଅଧିକ ହଇରାଣ ହେବାର ଆଶଙ୍କା ବ୍ୟକ୍ତ କରୁଥିଲା। ତ‌େବେ, ଯୁବ ବଦଳିବା ସହିତ ଧୀରେ ଧୀରେ ଯୁବତୀ/ଯୁବତୀଙ୍କ ସେହି ଚିନ୍ତାଧାରାରେ ବି ପରିବର୍ତ୍ତନ ଘଟୁଥିବା ପରିଲକ୍ଷିତ ହୋଇଛି। ଭିନ୍ନକ୍ଷମ ଯୁବକ/ଯୁବତୀଙ୍କୁ ବି ଏବେ ସାଧାରଣ ବ୍ୟକ୍ତି ନିସଂକୋଚରେ ବିବାହ କରିବା ସହିତ ଜୀବନ ସାଥୀ ଭାବେ ବାଛି ନେଉଥିବା ଦେଖିବାକୁ ମିଳିଛି। ଗତ ୯ ମାସ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୪ ଜଣ ଭିନ୍ନକ୍ଷମଙ୍କୁ ସାଧାରଣ ବ୍ୟକ୍ତି(ସୁସ୍ଥ ବ୍ୟକ୍ତି) ବିବାହ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ଗତ ଜାନୁଆରିରୁ ସେପ୍‌ଟେମ୍ବର ମାସ ମଧ୍ୟରେ ୧୪ ଜଣ ଭିନ୍ନକ୍ଷମଙ୍କୁ ସାଧାରଣ ବ୍ୟକ୍ତି ବିବାହ କରିଛନ୍ତି। ସେଥି ମଧ୍ୟରୁ ଜିଲ୍ଲାର ବାମରା ବ୍ଲକ୍‌ରେ ୩ ଜଣ, ଜମନକିରା ବ୍ଲକ୍‌ରେ ୨ ଜଣ, ଯୁଯୁମୁରା‌ ବ୍ଲକ୍‌ରେ ଜଣେ, ନାକଟିଦେଉଳ ବ୍ଲକ୍‌ରେ ୨ ଜଣ, ରେଢ଼ାଖୋଲ ବ୍ଲକ୍‌ରେ ଜଣେ, ରେଂଗାଲି ବ୍ଲକ୍‌ରେ ୨ ଜଣ ଏବଂ ସମ୍ବଲପୁର ମହାନଗର ନିଗମ ଅଂଚଳରେ ୩ ଜଣ ଭିନ୍ନକ୍ଷମ ଯୁବକ/ଯୁବତୀଙ୍କୁ ସାଧାରଣ ବ୍ୟକ୍ତି ବିବାହ କରିଛନ୍ତି। ଭିନ୍ନକ୍ଷମଙ୍କୁ ସାଧାରଣ ବ୍ୟକ୍ତି ବିବାହ କଲେ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଉପରୋକ୍ତ ୧୪ ଜଣ ହିତାଧିକାରୀଙ୍କୁ ଇତିମଧ୍ୟରେ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତ‌େବେ, ରାଜ୍ୟ ସରକାରଙ୍କ ଏସବୁ ଯୋଜନା ସଂପର୍କରେ ଅଧିକ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ଯୋଜନା ସଂପର୍କରେ ଜାଣିପାରୁନଥିବାରୁ ଅନେକ ହିତାଧିକାରୀ ଏଥିରୁ ବଂଚିତ ରହିଥିବା ଜଣାପଡ଼ିଛି। ଯୋଜନାର ଅଧିକ ପ୍ରଚାର ପ୍ରସାର ହେଲେ ଯେଉଁ ହିତାଧିକାରୀମାନ‌େ ଏଥିରୁ ଲାଭ ଉଠାଇପାରୁନାହାନ୍ତି, ସେମାନେ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇପାରନ୍ତେ ଏବଂ ଅନ୍ୟ ସାଧାରଣ ବ୍ୟକ୍ତି ବି ଭିନ୍ନକ୍ଷମଙ୍କୁ  ଜୀବନ ସାଥୀ କରିବାରେ ଆଗ୍ରହ ପ୍ରକାଶ କରନ୍ତେ ବୋଲି କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe