ଏଏସ୍‌ଆଇ କର୍ମଚାରୀଙ୍କ ବହିରେ ଶ୍ରୀମନ୍ଦିର ନିଷିଦ୍ଧସ୍ଥାନର ଫଟୋ

ଏଏସ୍‌ଆଇ କର୍ମଚାରୀଙ୍କ ବହିରେ ଶ୍ରୀମନ୍ଦିର ନିଷିଦ୍ଧସ୍ଥାନର ଫଟୋ

ପୁରୀ : ଶ୍ରୀମନ୍ଦିର ଭିତରକୁ କ୍ୟାମେରା ମନା। ଫଟୋ ଉଠାଇବା ମନା। ତଥାପି ମନ୍ଦିରର ବିଭିନ୍ନ ନିଷିଦ୍ଧ ସ୍ଥାନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ପରେ ପ୍ରଶାସନ ପକ୍ଷରୁ କ୍ୟାମେରା ନିୟମ କଡ଼ାକଡ଼ି କରାଯାଇଛି। ପର୍ଯ୍ୟଟକ ମୋବାଇଲ ଭିତରକୁ ନେଲେ ହଜାରେ ଟଙ୍କା ଜରିମାନା ଆଦାୟ କରାଯାଉଛି। ସେବାୟତଙ୍କୁ ବି ବିନା କ୍ୟାମେରାର ଫିଚର ଫୋନ୍‌ ଦେବା ଯୋଜନା ହୋଇଛି। ତଥାପି ଫଟୋ ଭାଇରାଲ ହେବା ବନ୍ଦ ହେଉନି। ଏଭଳି ସ୍ଥିତିରେ ଶ୍ରୀମନ୍ଦିରର ଫଟୋ ସମ୍ବଳିତ ଏକ ବହି ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପୁସ୍ତକରେ ଶ୍ରୀମନ୍ଦିର ଭିତରର ବହୁ ଫଟୋ ଏମିତିକି ନିଷିଦ୍ଧ ଅଞ୍ଚଳର ଫଟୋମାନ ପ୍ରକାଶ ପାଇଛି। ବହିର ଲେଖକ ହେଉଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା ଏଏସ୍‌ଆଇର ଜଣେ ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ। ବହିଟି ୨୦୦୮ ମସିହା ପୂର୍ବରୁ ପ୍ରକାଶ ପାଇ ବିକ୍ରି ହେଉଥିଲେ ବି ଏବେ ଏହା ପୁରୀବାସୀଙ୍କ ନଜରକୁ ଆସିଛି।

ଇଂରାଜୀରେ ଲିଖିତ ଏହି ପୁସ୍ତକ ‘ଜଗନ୍ନାଥ ଇନ୍‌ ହିଷ୍ଟୋରିକାଲ ପର୍ସପେକ୍ଟିଭ୍‌ସ’ର ଲେଖକ ହେଉଛନ୍ତି ଡ. ରବିନାରାୟଣ ଦାଶ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଚାକିରୀରୁ ଅବସର ନେବା ପରେ ସେ ଏହି ପୁସ୍ତକ ଲେଖିଥିଲେ ବୋଲି ଜଣାପଡ଼ିଛି। ବହିର ମୂଲ୍ୟ ୨୫୦୦ ଟଙ୍କା ରହିଥିବା ବେଳେ ୨୦୦୮ରେ ଏହାର ଶେଷ ସଂସ୍କରଣ ପ୍ରକାଶ ପାଇଛି। ଏଥିରେ ଶ୍ରୀମନ୍ଦିର ଭିତରେ ଥିବା ବରାହ ଅବତାର, ବିଷ୍ଣୁ, ବ୍ରହ୍ମା, ବସୁଦେବ ପ୍ରମୁଖଙ୍କ ସମେତ ଶତାଧିକ ଫଟୋ ସହ ଏହା ସମ୍ବନ୍ଧରେ ବର୍ଣ୍ଣନା ରହିଛି। ବିଦେଶରେ ୨୦୦୮ ମସିହା ପୂର୍ବରୁ ଏହି ବହି ଭଲ ବିକ୍ରି ହୋଇଥିବା ଜଣାପଡ଼ିଛି। ଏବେ ବହି ସଂପର୍କରେ ଜଣାପଡ଼ିଛି।

କେତେକ ସେବାୟତ ଏହି ବହି ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଉକ୍ତ ପୁସ୍ତକକୁ ତୁରନ୍ତ ନିଷିଦ୍ଧ କରିବା ସହ ଲେଖକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ଏହା ପୂର୍ବରୁ ଏଏସ୍‌ଆଇ ଜଣେ ଅଧିକାରୀ ଶ୍ରୀମନ୍ଦିରର କିଛି ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ଏବେ ଏହି ଲେଖକଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe