ଶ୍ରୀମନ୍ଦିର ଭିତର ଦର୍ଶନ: ହେଲାନି କାଠରାମ୍ପ୍‌, ଧାଡ଼ିବ୍ୟବସ୍ଥା

ଶ୍ରୀମନ୍ଦିର ବାହାର ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିଲା। ନୂଆ ବିଜେପି ସରକାର ଓଡ଼ିଶାରେ ଆସିବା ପରେ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଳନ ସ୍ବରୂପ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଚାରିଦ୍ବାର ଉନ୍ମୁକ୍ତ ହେଲା।

jagannath temple-the financial express

ପୁରୀ: ଶ୍ରୀମନ୍ଦିର ବାହାର ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିଲା। ନୂଆ ବିଜେପି ସରକାର ଓଡ଼ିଶାରେ ଆସିବା ପରେ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଳନ ସ୍ବରୂପ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଚାରିଦ୍ବାର ଉନ୍ମୁକ୍ତ ହେଲା। କିନ୍ତୁ ଭିତର ଦର୍ଶନ ବ୍ୟବସ୍ଥାରେ ଅଦ୍ୟାବଧି ସୁଧାର ଆସିପାରିନି। ପୁରୁଣା ବ୍ୟବସ୍ଥାରେ ଏବେ ବି ଭକ୍ତଙ୍କ ଦର୍ଶନ ଚାଲିଛି। ପ୍ରତିଦିନ ଭିତରକାଠ ଓ ବାହାରକାଠ ଦର୍ଶନ ବେଳେ ନାଟମଣ୍ଡପରେ ଭକ୍ତ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି। ପ୍ରତିଦିନ ଦର୍ଶନ ପାଇଁ ଠେଲାପେଲା ଲାଗୁଛି। ଶନିବାର, ରବିବାର ଅବା ଅନ୍ୟ କୌଣସି ଛୁଟିଦିନରେ ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ଏଥିରେ ସୁଧାର ଆଣିବାକୁ ଅଗଷ୍ଟ ମାସରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ନାଟମଣ୍ଡପରେ କାଠରାମ୍ପ ପକାଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଗଲା। ଯାହାକୁ ଭକ୍ତ, ସେବାୟତ ମହଲ ସ୍ବାଗତ କଲେ। ଇତିମଧ୍ୟରେ ନିଷ୍ପତ୍ତିକୁ ୭ ମାସ ବିତିଗଲାଣି, କିନ୍ତୁ ଅଦ୍ୟାବଧି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଅନେକ ଥର ଏହି ବ୍ୟବସ୍ଥା ଆରମ୍ଭ ହେବ କୁହାଯାଇଛି।

ଏବେ ବି ଭକ୍ତ ଅଣନିଃଶ୍ବାସୀ, ଠେଲାପେଲା
କାର୍ତ୍ତିକ ପରେ ଧାଡ଼ିବ୍ୟବସ୍ଥା କରିବାକୁ ହୋଇଥିଲା ଘୋଷଣା

ମାତ୍ର କାର୍ଯ୍ୟକାରୀ ହୋଇନି। ଫଳସ୍ବରୂପ ଠେଲାପେଲା ଓ ଅଣନିଃଶ୍ବାସୀ ଭିତରେ ପ୍ରତିଦିନ ଭକ୍ତ ଚେତାଶୂନ୍ୟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ସାତପାହାଚ, ନାଟମଣ୍ଡପ, ବାହାରକାଠ, ଭିତରକାଠରେ ଅସମ୍ଭାଳ ଭିଡ଼ ଲାଗୁଛି ଓ ଭକ୍ତ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ପୂର୍ବରୁ ଭକ୍ତଙ୍କୁ ଦର୍ଶନ ପାଇଁ କେବଳ ସିଂହଦ୍ୱାର ଦେଇ ଛଡ଼ାଯାଉଥିଲା। ଭକ୍ତମାନେ ସିଂହଦ୍ୱାରରେ ଧାଡ଼ିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ। ପରେ ପୁଣି  ଶ୍ରୀମନ୍ଦିର ଭିତରକୁ ଯିବା ପରେ ସାତ ପାହାଚଠାରେ ଅଟକୁଥିଲେ। ଏଣୁ ଶ୍ରୀମନ୍ଦିର ଭିତରେ ବି ଭିଡ଼ ରହୁଥିଲା। ସେପଟେ ସାତପାହାଚରୁ ଦର୍ଶନ ପାଇଁ ନାଟମଣ୍ଡପକୁ ଯିବା ବେଳେ ଶ୍ରଦ୍ଧାଳୁମାନେ ଭିଡ଼ ଭିତରେ ଅଣନିଃଶ୍ୱାସୀ ହୋଇପଡୁଥିଲେ। ଶନିବାର, ରବିବାର ଓ ଅନ୍ୟ ଓ ପର୍ବପର୍ବାଣୀ, ଛୁଟିଦିନରେ ୫ରୁ ୬ ଘଣ୍ଟା ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ ମିଳୁଥିଲା। ଏବେ ଚାରିଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି ସତ, କିନ୍ତୁ ଭିତର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିନି। ଉଭୟ ଭିତର ଓ ବାହାର କାଠ ଦର୍ଶନ ବେଳେ ଭକ୍ତ ନାଟମଣ୍ଡପରେ କସରତ କରୁଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ନାଟମଣ୍ଡପରେ କାଠରାମ୍ପ ପକାଇ ୬ଟି ଧାଡ଼ିରେ ଭକ୍ତଙ୍କୁ ଛାଡ଼ିବାକୁ ଯୋଜନା ହେଲା।

 ତିନିଟି ଧାଡ଼ିରେ ମହିଳା, ଶିଶୁ, ବୃଦ୍ଧବୃଦ୍ଧାଙ୍କୁ ଓ ଅନ୍ୟ ତିନିଟି ଧାଡ଼ିରେ ପୁରୁଷ ଭକ୍ତଙ୍କୁ ଛାଡ଼ିବାର ଯୋଜନା କରାଗଲା। ଯୋଜନା ଅନୁଯାୟୀ, ସବୁଠୁ ଆଗରେ ରହିଥିବା ଧାଡ଼ିଠାରୁ ତାର ପଛ ଧାଡ଼ି ୪ ଇଞ୍ଚ ଅଧିକ ଉଚ୍ଚ ରହିବ। ସେହି ଅନୁସାରେ ପ୍ରତି ଧାଡ଼ି ଆଗ ଧାଡ଼ିଠାରୁ ୪ ଇଞ୍ଚ ଅଧିକ ରଖିବାକୁ ଯୋଜନା ହେଲା। ଯଦ୍ବାରା ସବୁ ଭକ୍ତ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିପାରିବେ। ଯେଉଁମାନେ ଧାଡ଼ିରେ ପଶିବାକୁ ଚାହୁନାହାନ୍ତି, ସେମାନଙ୍କ ପାଇଁ ଗରୁଡ଼ସ୍ତମ୍ଭଠାରେ କାଠ ରାମ୍ପ ପକାଇବାକୁ ଯୋଜନା ହେଲା। ନାଟମଣ୍ଡପରୁ ସବୁ ଆଲମିରା ଓ ଅନ୍ୟାନ୍ୟ ଆସବାବ ହଟାଇ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଯୋଜନା ହେଲା। ଏଥିପାଇଁ ଭୁବନେଶ୍ବର ନୟାପଲ୍ଲୀରେ କାଠରାମ୍ପ ବି ତିଆରି ହେଲା। କାର୍ତ୍ତିକ ମାସ ଶେଷ ପରେ ଏହି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ କାର୍ତ୍ତିକ ଯିବା ୩ ମାସ ଗଡ଼ିଗଲାଣି। କିନ୍ତୁ ନାଟମଣ୍ଡପ କାଠରାମ୍ପ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇପାରିନି। ବାରମ୍ବାର ତାରିଖ ବଦଳାଇବା ପରେ ଶେଷରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିରବ ରହିବାକୁ ଶ୍ରେୟ ମଣିଛନ୍ତି। ପରିଣାମ ସ୍ବରୂପ ପ୍ରତିଦିନ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ସଂଘର୍ଷ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe