ଭିତରକନିକା ରାଜସ୍ବ ଗାଁ?: ୧୯୩୦ରୁ କାଏମ୍‌ ରହିଛି ବିଚିତ୍ର ରେକର୍ଡ

Advertisment

ଜନଶୂନ୍ୟ ଜୀବଜନ୍ତୁଙ୍କ ଅଞ୍ଚଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପରେ ବି ବଦଳୁନି ସ୍ଥିତି

ଜନଶୂନ୍ୟ ଜୀବଜନ୍ତୁଙ୍କ ଅଞ୍ଚଳକୁ ଜାତୀୟ ଉଦ୍ୟାନ ମାନ୍ୟତା ପରେ ବି ବଦଳୁନି ସ୍ଥିତି

ଭିତରକନିକା ରାଜସ୍ବ ଗାଁ?: ୧୯୩୦ରୁ କାଏମ୍‌ ରହିଛି ବିଚିତ୍ର ରେକର୍ଡ

ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର: ବଉଳାକୁମ୍ଭୀର, ଲୁଣା ଜଙ୍ଗଲ, ପଶୁପକ୍ଷୀଙ୍କ ଭୂସ୍ବର୍ଗ ଭାବେ ବିଶ୍ବ ପ୍ରସିଦ୍ଧ ‘ଭିତରକନିକା’ ଜାତୀୟ ଉଦ୍ୟାନ। ସରକାରୀ ଦସ୍ତାବିଜ୍‌ରେ ରାଜସ୍ବ ଗ୍ରାମ ଭାବେ ଏହା ବିବେଚିତ। ହେଲେ ୧୯୩୦ରୁ ଗଡ଼ି ଆସୁଥିବା ଏହି ରେକର୍ଡ ସଂଶୋଧନ ନହେବା ବିସ୍ମୟକର ବିଷୟ। ଶତାଧିକ ଲୋକ ବସବାସ କରୁଥିବା ଅନେକ ପଡ଼ାଗାଁକୁ ବାରମ୍ବାର ଦାବି ସତ୍ତ୍ବେ ରାଜସ୍ବ ଗାଁର ମାନ୍ୟତା ମିଳୁ ନଥିବା ବେଳେ ଆଦୌ ମଣିଷ ନଥିବା ଜାତୀୟ ଉଦ୍ୟାନ ମାନ୍ୟତାପ୍ରାପ୍ତ ଅଞ୍ଚଳକୁ ରାଜସ୍ବ ଗ୍ରାମ ମାନ୍ୟତାଦେଇ ରଖିବା ପଛରେ କି ଯୁକ୍ତି ରହିଛି, ତାହା ବୁଝାପଡ଼ୁନାହିଁ।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାକୁ ୪ ଅକ୍ଟୋବର ୧୯୬୧ରେ ସଂରକ୍ଷିତ ଜଙ୍ଗଲର ମାନ୍ୟତା ମିଳିଥିଲା। ୨୨ ଏପ୍ରିଲ ୧୯୭୫ରେ ଭିତରକନିକାକୁ ଅଭୟାରଣ୍ୟ ଏବଂ ୩ ଅକ୍ଟୋବର ୧୯୯୮ରେ ଏହା ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି। କିନ୍ତୁ ସରକାରୀ ଦସ୍ତାବିଜ୍‌ ମୁତାବକ ୧୯୩୦ ଓ ୧୯୮୯ ସେଟଲ୍‌ମେଣ୍ଟରେ ଭିତରକନିକାକୁ ମିଳିଥିବା ରାଜସ୍ବ ଗାଁର ମାନ୍ୟତା ଏବେ ବି କାଏମ ରହିଛି। ଏହି ଗାଁରେ ଶ୍ରୀ ନାଏକ ବାବୁ ଠାକୁର ବିଜେ, ଭିତରକନିକା ସେବାୟତ ଟ୍ରଷ୍ଟି ରବୀନ୍ଦ୍ର ନାରାୟଣ ଭଂଜଦେଓ ପିତା- ଶୈଳେନ୍ଦ୍ର ନାରାୟଣ ଭଂଜଦେଓ ଗୋବିନ୍ଦପୁରଙ୍କ ନାଁରେ ଜମି ପଟ୍ଟା ରହିଛି। ଏହି ପଟ୍ଟାରେ ପ୍ଲଟ ନଂ ୬ରେ ୨ଏକର ୬୮ ଡିସିମିଲ, ପ୍ଲଟ ନଂ ୭ ରେ ୫ ଏକର ୧୮ ଡିସିମିଲ, ପ୍ଲଟ ନଂ ୬/୧୧ରେ ୨ ଏକର ୪୪ ଡିସିମିଲ, ପ୍ଲଟ ନଂ ୧୮/୨୩ରେ ୧ ଏକର ୧୨ ଡିସିମିଲ, ଏଭଳି ମୋଟ ୧୧ ଏକର ୪୨ ଡିସିମିଲ ଜମି ରହିଛି। ଗାଁର ଖାତା ନଂ ୨୮୪ ଏବଂ ଏହି ଜମିର କିସମ ବଗାୟତ ୨ ରହିଥିବା ବେଳେ ଚୌହଦି ଜମିର କିସମ ମିଶ୍ରିତ ବଗାୟତ ରହିଛି।

ସୂଚନା ଅନୁଯାୟୀ, ରାଜନଗର ତହସିଲ ଅଧୀନରେ ୩୦୬ଟି ରାଜସ୍ବ ଗାଁ ରହିଛି। ଏବେବି ଓକିଲପାଳ, ଡିଆପାରି, ଗୋସିଗାଁ, ଚମ୍ପାଦିଆ, ବରଗୁଡିଦଣ୍ତା ଭଳି ୫୦ ରୁ ଅଧିକ ଗାଁ ରହିଛି ଯେଉଁଠି ଶହ ଶହ ପରିବାର ବାସ କରୁଥିଲେ ବି ସେ ଗାଁକୁ ରାଜସ୍ବ ଗାଁର ମାନ୍ୟତା ମିଳିପାରୁନି। ସେହି ଗାଁର ଲୋକେ ପଡୋଶୀ ଗାଁର ପରିଚୟରେ ଆଜିଯାଏ ଅଛନ୍ତି। ମାତ୍ର ଭିତରକନିକାରେ ଜଣେ ବି ମଣିଷ ନଥିବା ବେଳେ ବାର୍‌ହା, ହରିଣ, ସମ୍ବର, ହେଟାବାଘ, ଫିସିଂକ୍ୟାଟ୍‌, ଝିଙ୍କ, ଅହିରାଜ, ଅଜଗର ସହିତ ବଉଳା କୁମ୍ଭୀର ଓ ଶତାଧିକ ପ୍ରଜାତିର ପକ୍ଷୀ ବସବାସ କରୁଛନ୍ତି। ଅବଶ୍ୟ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏବେ ବି ଏକ ଶିବ ମନ୍ଦିର ରହିଛି। ପର୍ଯ୍ୟଟକମାନେ ଭିତରକନିକା ନଦୀ ପାର ହୋଇ ୩ କିଲୋମିଟର ଘଞ୍ଚ ଅରଣ୍ୟ ମଧ୍ୟରେ ଚାଲି ଚାଲି ଯିବା ପରେ ଏହି ଶିବ ମନ୍ଦିର ପଡେ। ଜାତୀୟ ଉଦ୍ୟାନ ଘୋଷଣା ପୂର୍ବରୁ ସେଠାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଭିତରକନିକାରେ ୧୯୩୦ ପୂର୍ବରୁ ଲୋକେ ରହୁ ନଥିଲେ କିମ୍ବା ପରବର୍ତ୍ତୀ ସମୟରେ ବି ରାଜସ୍ବ ଗ୍ରାମ ମାନ୍ୟତା ଥିବା ଅଞ୍ଚଳରେ କେହି ରହି ନାହାନ୍ତି। ଏଠାରେ ସାଧାରଣ ଲୋକଙ୍କର କୌଣସି ଜମି ନାହିଁ। ଏଭଳି ସ୍ଥିତିରେ କେଉଁ ଉଦ୍ଦେଶ୍ୟରେ ଭିତରକନିକାର ରାଜସ୍ବ ଗାଁ ମାନ୍ୟତା ବଜାୟ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe